
ମେକ୍ସିକୋ ସିଟି: ଫିଫା ଫୁଟ୍ବଲ୍ ବିଶ୍ବକପ୍-୨୦୨୬ ମହାଆଡ଼ମ୍ବରରେ ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ଫୁଟ୍ବଲ୍ ଇତିହାସର ସର୍ବବୃହତ୍ ମହାସମର ଭାବେ ପରିଗଣିତ ହେଉଥିବା ବିଶ୍ବକପ୍ର ୨୩ତମ ସଂସ୍କରଣରେ ଅନେକ ‘ପ୍ରଥମ’ର ସମାହାର ଘଟିଛି। ପ୍ରଥମ ଥର ଲାଗି ତିନିଟି ଦେଶ ଆମେରିକା, କାନାଡା ଓ ମେକ୍ସିକୋ ଆୟୋଜକ ଅଛନ୍ତି।
ଐତିହାସିକ ଉଦ୍ଘାଟନୀ ଉତ୍ସବ ମଧ୍ୟ ତିନିଟି ପର୍ଯ୍ୟାୟରେ ଆୟୋଜିତ ହୋଇଛି। ମେକ୍ସିକୋର ମେକ୍ସିକୋ ସିଟି ଷ୍ଟାଡିୟମ୍ରେ ଆୟୋଜିତ ପ୍ରଥମ ଉଦ୍ଘାଟନୀ ଉତ୍ସବରେ କଲମ୍ବିଆନ୍ ପପ୍ ଷ୍ଟାର ସାକିରା ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ନିଜ ମନ୍ତ୍ରମୁଗ୍ଧକର ସଂଗୀତ ପରିବେଷଣ ଏବଂ ନିଆରା ନୃତ୍ୟରେ ଦର୍ଶକଙ୍କୁ ବିମୋହିତ କରିଛନ୍ତି ସେ। ଅନ୍ୟମାନଙ୍କ ମଧ୍ୟରେ ଜେ. ବାଲଭିନ, ଟାଇଲା, ଆଲେକଜାଣ୍ଡ୍ରୋ ଫର୍ଣ୍ଣାଣ୍ଡେଜ୍, ମାନା ବେଲିଣ୍ଡା, ଲସ୍ ଆଞ୍ଜେଲ୍ସ ଆଜୁଲେସ୍ ଓ ଡାନି ଓସେନ ଭଳି ଲୋକପ୍ରିୟ ସଂଗୀତ ଗ୍ରୁପ୍ ଉଦ୍ଘାଟନୀ ଉତ୍ସବର ମାନ ବଢ଼ାଇଛନ୍ତି।
ସାକିରା ବିଶ୍ବକପ୍ର ଆନୁଷ୍ଠାନିକ ଗୀତ ‘ଡାଇ ଡାଇ’ ପରିବେଷଣ କଲା ବେଳେ ଦର୍ଶକ ପୂରା ଝୁମି ଉଠିଥିଲେ। ଶୁକ୍ରବାର କାନାଡାର ଟରୋଣ୍ଟୋସ୍ଥିତ ବିଏମ୍ଓ ଫିଲ୍ଡରେ ଆୟୋଜିତ ହେବାକୁ ଥିବା ଅନ୍ୟଏକ ଉଦ୍ଘାଟନୀ ଉତ୍ସବରେ ଆଲାନିସ୍ ମୋରିସେଟ୍, ଆଲେସିଆ କାରା, ମାଇକେଲ୍ ବବଲ୍, ଜେସି ରିୟାଜ, ନୋରା ଫତେହୀ, ସଂଜୟ, ଭେଗେଡ୍ରିମ୍ ତଥା ୱିଲିୟମ୍ ପ୍ରିନ୍ସଙ୍କ ଭଳି କଳାକାର ନୃତ୍ୟ ଓ ସଂଗୀତ ପରିବେଷଣ କରିବେ। ସେହିଭଳି ଆମେରିକାର ଲସ୍ ଏଞ୍ଜେଲ୍ସସ୍ଥିତ ସୋଫି ଷ୍ଟାଡିୟମ୍ରେ ହେବାକୁ ଥିବା ଉଦ୍ଘାଟନୀ ଉତ୍ସବରେ କେଟି ପେରୀ, ଫ୍ୟୁଚର, ଆନିଟା, ଲିସା, ରେମା ଓ ଟାଇଲାଙ୍କ ଭଳି କଳାକାର ନିଜ ଯାଦୁ ଦେଖାଇବେ। ତିନିଟି ଯାକ ଉଦ୍ଘାଟନୀ ଉତ୍ସବର ପ୍ରାୟୋଜକ ରହିଛନ୍ତି ଏକାଧିକ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବର କଳା ନିର୍ଦ୍ଦେଶକ ମାର୍କୋ ବଲିଚ।
ସୌଜନ୍ୟ ସମ୍ବାଦ




