Diesel Sale Restriction: ଡିଜେଲ ବିକ୍ରି କଟକଣା: ଗାଡ଼ି ପିଛା ସର୍ବାଧିକ ୨୦୦ ଲିିଟର
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ତେଲ ଯୋଗାଣ ଗୁରୁତର ପ୍ରଭାବିତ ହୋଇଛି। ପରିସ୍ଥିତିକୁ ନଜରରେ ରଖି ତେଲ କମ୍ପାନିଗୁଡ଼ିକ ଡିଜେଲ ବିକ୍ରି ଉପରେ କଟକଣା ଲଗାଇଛନ୍ତି। ପେଟ୍ରୋଲ ପମ୍ପରେ ଗାଡ଼ି ପିଛା କିମ୍ବା ଗ୍ରାହକ ପିଛା ୨୦୦ ଲିଟରରୁ ଅଧିକ ଡିଜେଲ ବିକ୍ରି ହେବ ନାହିଁ।

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟଯୁଦ୍ଧ ପ୍ରଭାବରେ ତେଲ ଯୋଗାଣ ଗୁରୁତର ପ୍ରଭାବିତ ହୋଇଛି। ପରିସ୍ଥିତିକୁ ନଜରରେ ରଖି ତେଲ କମ୍ପାନିଗୁଡ଼ିକ ଡିଜେଲ ବିକ୍ରି ଉପରେ କଟକଣା ଲଗାଇଛନ୍ତି। ପେଟ୍ରୋଲ ପମ୍ପରେ ଗାଡ଼ି ପିଛା କିମ୍ବା ଗ୍ରାହକ ପିଛା ୨୦୦ ଲିଟରରୁ ଅଧିକ ଡିଜେଲ ବିକ୍ରି ହେବ ନାହିଁ। ଶିଳ୍ପ କାରଖାନାଗୁଡ଼ିକର ଗାଡ଼ି ଆସି ପେଟ୍ରୋଲ ପମ୍ପରୁ ଡିଜେଲ ପକାଉଥିବା ଜଣାପଡ଼ିବା ପରେ ଏଭଳି କଟକଣାଲଗାଯାଇଛି। ତେଲ ଅଭାବ ଭଳି ସ୍ଥିତି ଏଡ଼ାଇବା ପାଇଁ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।ସରକାର ସ୍ପଷ୍ଟ କରିଛନ୍ତି ଯେ ପେଟ୍ରୋଲ ପମ୍ପରେ ବିକ୍ରି ହେଉଥିବା ପେଟ୍ରୋଲ ଓ ଡିଜେଲ କେବଳ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ: ଉଦ୍ଦିଷ୍ଟ। ସେଠାରେ ତେଲ ନ ପକାଇବାକୁ ବାଣିଜ୍ୟିକ ଗ୍ରାହକମାନଙ୍କୁ କୁହାଯାଇଛି। ପେଟ୍ରୋଲ ପମ୍ପ ଓ ବଲ୍କ ୟୁଜରଙ୍କ (ଅଧିକ ପରିମାଣର ଡିଜେଲ କିଣୁଥିବା ଗ୍ରାହକ) ପାଇଁ ବିକ୍ରି ହେଉଥିବା ଡିଜେଲ ଦରରେ ବଡ଼ ଧରଣର ଅନ୍ତର ରହିଛି। ସାଧାରଣ ଡିଜେଲ ଠାରୁ ବଲ୍କ ଡିଜେଲର ଲିଟର ପିଛା ଦାମ୍ ୪୫ ଟଙ୍କା ପର୍ଯ୍ୟନ୍ତ ଅଧିକ ରହୁଛି। ସେଥିପାଇଁ ଶିଳ୍ପସଂସ୍ଥାର ଗାଡ଼ିଗୁଡ଼ିକ ସାଧାରଣ ପେଟ୍ରୋଲ ପମ୍ପକୁ ଆସି ତେଲ ପକାଉଥିବା ସନ୍ଦେହ କରାଯାଉଛି। ସେଭଳି ଘଟଣାକୁ ରୋକିବା ଲାଗି ଗାଡ଼ି ପିଛା ସର୍ବାଧିକ ୨୦୦ ଲିଟର ଡିଜେଲ ବିକ୍ରି କରିବାକୁ ପେଟ୍ରୋଲ ପମ୍ପମାନଙ୍କୁ ତୈଳ କମ୍ପାନିଗୁଡ଼ିକ କହିଛନ୍ତି। ଏହି କଟକଣା ପରେ ବିପୁଳ ପରିମାଣର ଡିଜେଲ କିଣି ତାହାକୁ ମହଜୁଦ ରଖିବା କିମ୍ବା କଳାବଜାର କରିବା ଭଳି ଘଟଣା ମଧ୍ୟ ଘଟିବ ନାହିଁ ବୋଲି ଆଶା କରାଯାଉଛି।
ତେଲ ଅଭାବ ଭଳି ସ୍ଥିତି ଏଡ଼ାଇବା ପାଇଁ ଏହି କଠୋର ପଦକ୍ଷେପ
ଶିଳ୍ପ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସାଧାରଣ ଗ୍ରାହକଙ୍କୁ ବିକ୍ରି କରାଯାଉଥିବା ଡିଜେଲ ଉପରେ ତେଲ କମ୍ପାନିଗୁଡ଼ିକ ଲିଟର ପିଛା ୩୬ ଟଙ୍କା ୫୦ ପଇସା ଓ ଶିଳ୍ପ ଗ୍ରାହକଙ୍କୁ ବିକୁଥିବା ଡିଜେଲରେ ଲିଟରକୁ ୯ ଟଙ୍କାର କ୍ଷତି ସହୁଛନ୍ତି। ଚଳିତ ବର୍ଷ ଫେବ୍ରୁଆରିରୁ ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଅଶୋଧିତ ତେଲ ଦର ବ୍ୟାରେଲକୁ ୧୦୦ ଡଲାରରୁ ଉପରେ ରହିଛି। ନିଜ ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନି କରୁଥିବା ଭାରତ ପାଇଁ ଏହା ଏକ ଜଟିଳ ସ୍ଥିତି ସୃଷ୍ଟି କରିଛି। ଗୋଟିଏ ପଟେ ଦର ବଢ଼ିଛି ଓ ଅନ୍ୟପଟେ ହର୍ମୁଜ ପ୍ରଣାଳୀ ଦେଇ ତେଲ ଆସିପାରୁନାହିଁ। ସେଥିପାଇଁ ଦେଶରେ ତେଲ ଓ ଗ୍ୟାସ୍ର ଅଭାବ ଦେଖାଦେବା ଆଶଙ୍କା ରହିଛି। ଯେତିକି ତେଲ ଆସୁଛି ତାହା ଯେଭଳି ସୁବିଧାରେ ସାଧାରଣଙ୍କ ପାଖରେ ପହଞ୍ଚିବ ସେଥିପାଇଁ ବିକ୍ରି ଉପରେ କଟକଣା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଦରବୃଦ୍ଧିର ମାତ୍ରାକୁ କମ୍ କରିବା ପାଇଁ ସରକାର କିିଛି ମାସ ପୂର୍ବେ ଉଭୟ ପେଟ୍ରୋଲ ଓ ଡିଜେଲରୁ ଉତ୍ପାଦ ଶୁଳ୍କ ୧୦ ଟଙ୍କା ହ୍ରାସ କରିଥିଲେ। ଏହାସତ୍ତ୍ବେ ତେଲ କମ୍ପାନିଗୁଡ଼ିକର ଦୈନିକ କ୍ଷତି ୧୦୦୦ କୋଟି ଟଙ୍କାରୁ ଅଧିକ ହେବା ପରେ ବିଭିନ୍ନ ପର୍ଯ୍ୟାୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ୮ ଟଙ୍କା ପର୍ଯ୍ୟନ୍ତର ବୃଦ୍ଧି କରାଯାଇଥିଲା।
ସୌଜନ୍ୟ ସମ୍ବାଦ




