ବିଶେଷ

ଚପଲ ପିନ୍ଧି ଗାଡ଼ି ଚଲାଇଲେ କଟିବ କି ଚାଲାଣ ? ଜାଣନ୍ତୁ କ’ଣ କହୁଛି ଭାରତୀୟ ଟ୍ରାଫିକ୍ ନିୟମ…

​​​​​​​ନୂଆଦିଲ୍ଲୀ: ଭାରତରେ ଅନେକ ସମୟରେ ଚାଳକମାନେ ଆରାମଦାୟକ ଅନୁଭବ କରିବା ପାଇଁ କିମ୍ବା ଗରମ ଦିନରେ ଚପଲ କିମ୍ବା ସ୍ଲିପର ପିନ୍ଧି ଗାଡ଼ି ଚଲାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଅନେକଙ୍କ ମନରେ ଏକ ପ୍ରଶ୍ନ ଥାଏ ଯେ, ଚପଲ ପିନ୍ଧି କାର୍ ବା ବାଇକ୍ ଚଲାଇଲେ ଟ୍ରାଫିକ୍ ପୋଲିସ ଚାଲାଣ କଟିବ କି ? ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ମଧ୍ୟ ଶୁଣିବାକୁ ମିଳେ। ତେବେ ଆସନ୍ତୁ ଜାଣିବା ଭାରତୀୟ ମୋଟର ଯାନ ଆଇନ (Motor Vehicles Act) ଏବିଷୟରେ ପ୍ରକୃତରେ କ’ଣ କହୁଛି।

ଚପଲ ପିନ୍ଧିବା ବେଆଇନ କି ?

ଭାରତୀୟ ମୋଟର ଯାନ ଆଇନ, ୧୯୮୮ ଅନୁଯାୟୀ, କାର୍ ଚଲାଇବା ସମୟରେ ଚପଲ ପିନ୍ଧିବା ଉପରେ କୌଣସି ପ୍ରତ୍ୟକ୍ଷ ନିଷେଧାଦେଶ କିମ୍ବା ନିର୍ଦ୍ଦିଷ୍ଟ ନିୟମ ନାହିଁ ।ଏପରିକି ପୂର୍ବରୁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଚପଲ ପିନ୍ଧି ଗାଡ଼ି ଚଲାଇଲେ ଚାଲାଣ କଟିବାର କୌଣସି ସିଧାସଳଖ ନିୟମ ନାହିଁ।

କେଉଁ ପରିସ୍ଥିତିରେ କଟିପାରେ ଚାଲାଣ ?

ଯଦିଓ ଚପଲ ପିନ୍ଧିବା ସିଧାସଳଖ ବେଆଇନ ନୁହେଁ, ତଥାପି ଟ୍ରାଫିକ୍ ପୋଲିସ କେତେକ ବିଶେଷ ପରିସ୍ଥିତିରେ ଚାଲାଣ କାଟିପାରେ।

ବିପଜ୍ଜନକ ଗାଡ଼ି ଚାଳନା (ଧାରା ୧୮୪): ଯଦି ଆପଣଙ୍କ ଚପଲ ଯୋଗୁ ଗାଡ଼ିର ବ୍ରେକ୍ କିମ୍ବା ଏକ୍ସିଲେରେଟର୍‌ ଉପରୁ ନିୟନ୍ତ୍ରଣ ହଟିଯାଏ ଏବଂ ଆପଣ ଅସୁରକ୍ଷିତ ଭାବେ ଗାଡ଼ି ଚଲାଉଥିବା ପୋଲିସ ନଜରକୁ ଆସେ, ତେବେ ‘ବିପଜ୍ଜନକ ଗାଡ଼ି ଚାଳନା’ ଅଧୀନରେ ଚାଲାଣ କଟାଯାଇପାରେ।

ସାଧାରଣ ଟ୍ରାଫିକ୍ ନିୟମ ଉଲ୍ଲଂଘନ (ଧାରା ୧୭୭): ଯଦି ଗାଡ଼ି ଚଲାଇବା ସମୟରେ ଚପଲ ସୁରକ୍ଷିତ ଡ୍ରାଇଭିଂରେ ବାଧା ସୃଷ୍ଟି କରୁଥିବା ଜଣାପଡ଼େ, ତେବେ ସାଧାରଣ ନିୟମ ଉଲ୍ଲଂଘନ ଆଧାରରେ ଜରିମାନା କରାଯାଇପାରେ।

ସୂଚନାଯୋଗ୍ୟ, ଦୁଇଚକିଆ ଯାନ (ବାଇକ୍ ବା ସ୍କୁଟର) କ୍ଷେତ୍ରରେ କିଛି ରାଜ୍ୟରେ ସୁରକ୍ଷା ଦୃଷ୍ଟିରୁ ପାଦକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କି ହେଉଥିବା ଚପଲ ବା କିମ୍ବା ଜୋତା ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦିଆଯାଏ। ଯାହାଦ୍ୱାରା ଦୁର୍ଘଟଣା ସମୟରେ ପାଦ ସୁରକ୍ଷିତ ରହିବ।

ଚପଲ ପିନ୍ଧି ଗାଡ଼ି ଚଲାଇବାର ଅସୁବିଧା ଓ ସୁରକ୍ଷା ପ୍ରତି ବିପଦ

ଆଇନଗତ ଭାବେ ଏହା ସମ୍ପୂର୍ଣ୍ଣ ନିଷେଧ ହୋଇନଥିଲେ ମଧ୍ୟ ବିଶେଷଜ୍ଞମାନେ ଗାଡ଼ି ଚଲାଇବା ସମୟରେ ସଠିକ୍ ଜୋତା ପିନ୍ଧିବାକୁ ପରାମର୍ଶ ଦିଅନ୍ତି। ଏହାର କାରଣଗୁଡ଼ିକ ହେଲା:

ପେଡାଲ୍‌ରୁ ଗୋଡ଼ ଖସିଯିବା: ଚପଲ ସ୍ଲିପରରେ ଗ୍ରିପ୍ ଭଲ ନଥାଏ, ଯାହାଫଳରେ ଜରୁରୀକାଳୀନ ସ୍ଥିତିରେ ବ୍ରେକ୍ ମାରିବା ବେଳେ ଗୋଡ଼ ଖସିଯିବାର ଭୟ ଥାଏ।

ଚପଲ ଲାଖି ରହିଯିବା: ଅନେକ ସମୟରେ ଢିଲା ଚପଲ କାର୍‌ର ପେଡାଲ୍ ତଳେ ଲାଖି ରହିଯାଏ କିମ୍ବା ଅଟକିଯାଏ, ଯାହା ଦୁର୍ଘଟଣାର କାରଣ ସାଜିପାରେ।

ନିୟନ୍ତ୍ରଣରେ ସମସ୍ୟା: ଜୋତା ପିନ୍ଧିବା ଦ୍ୱାରା ଗାଡ଼ିର କ୍ଲଚ୍, ବ୍ରେକ୍ ଓ ଏକ୍ସିଲେରେଟର୍ ଉପରେ ସଠିକ୍ ଚାପ ଓ ନିୟନ୍ତ୍ରଣ ରହିଥାଏ।

ନିଷ୍କର୍ଷ: ଗୁଜବ ପ୍ରତି ଧ୍ୟାନ ନଦେଇ ଏତିକି ବୁଝିବା ଦରକାର ଯେ, କେବଳ ଚପଲ ପିନ୍ଧିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଜରିମାନା ନାହିଁ। କିନ୍ତୁ ନିଜର ଏବଂ ରାସ୍ତାରେ ଯାଉଥିବା ଅନ୍ୟମାନଙ୍କ ସୁରକ୍ଷା ପାଇଁ ଗାଡ଼ି ଚଲାଇବା ସମୟରେ ସବୁବେଳେ ସଠିକ୍ ଜୋତା ବ୍ୟବହାର କରିବା ଉଚିତ।

 

 

 

ସୌଜନ୍ୟ Prameya News7

Show More
Back to top button