ନୂଆଦିଲ୍ଲୀ: ବିଦେଶରେ କାମ କରି ଦେଶକୁ ଭାରତୀୟମାନେ ସର୍ବାଧିକ ଅର୍ଥ ପଠାଇଛନ୍ତି। ଜାତିସଂଘର ଏକ ରିପୋର୍ଟ ଅନୁସାରେ ଏଭଳି ପାଣ୍ଠି ପାଇବାରେ ୨୦୨୪ରେ ଭାରତ ଶୀର୍ଷ ସ୍ତାନରେ ରହିଛି। ଏହା ହେଉଛି ବିଶ୍ବର ଏକମାତ୍ର ଦେଶ ଯାହା ୧୦୦ ବିଲିୟନ ଡଲାରରୁ ଅଧିକ ପାଣ୍ଠି ପାଇଛି।
୨୦୧୫ରେ ତାହା ୬୮୯୧ କୋଟି ଡଲାର, ୨୦୨୦ରେ ୮୩୧୫ କୋଟି ଡଲାର ଓ ୨୦୨୪ରେ ୧୩୭.୬୭ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା। ୨୦୨୪ରେ ସ୍ବଦେଶକୁ ପଠାଯାଇଥିବା ଅର୍ଥର ସର୍ବାଧିକ ରାଶି ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ପାଇଛନ୍ତି। ଭାରତ, ପାକିସ୍ତାନ ଓ ବାଂଲାଦେଶକୁ ସେହି ପାଣ୍ଠି ଆସିଛି। ଉଚ୍ଚ ଆୟ ବର୍ଗରେ ଥିବା ଦେଶଗୁଡ଼ିକରେ କାମ କରି ଲୋକମାନେ ନିଜ ଦେଶକୁ ପାଣ୍ଠି ପଠାଇଥାନ୍ତି।
ଆମେରିକାରେ କାର୍ଯ୍ୟ କରୁଥିବା ଲୋକମାନେ ସର୍ବାଧିକ ପାଣ୍ଠି ସ୍ବଦେଶକୁ ପଠାଇଛନ୍ତି। ଏହା ପଛକୁ ସାଉଦି ଆରବ, ସ୍ବିଜରଲ୍ୟାଣ୍ଡ ଓ ଜର୍ମାନୀ ରହିଛି। ବିଦେଶକୁ ପାଠପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ୨୦୨୨ରେ ଚୀନ୍ରୁ ସର୍ବାଧିକ ୧୦ ଲକ୍ଷ ପିଲା ପାଠପଢ଼ିବାକୁ ବାହାରକୁ ଯାଇଥିଲେ। ଭାରତରୁ ୬,୨୦,୦୦୦, ଉଜବେକିସ୍ତାନରୁ ୧,୫୦,୦୦୦, ଭିଏତନାମରୁ ୧,୩୪,୦୦୦ ଓ ଜର୍ମାନୀରୁ ୧,୨୬,୦୦୦ ପିଲା ବିଦେଶକୁ ପାଠପଢ଼ିବାକୁ ଯାଇଥିଲେ।
ସୌଜନ୍ୟ ସମ୍ବାଦ

