gambling-den ଜୁଆ ଆଡ୍ଡାରେ ଚଢ଼ାଉ: ୧୫ଗିରଫ, ୧.୬୬ଲକ୍ଷ, ୫ କାର୍ ଓ ବାଇକ୍ ଜବତ
ନବରଙ୍ଗପୁରର ତାରାଗାଁ ନିକଟ କାଜୁ ଜଙ୍ଗଲରେ ଚାଲୁଥିବା ବଡ଼ ଜୁଆ ଆଡ୍ଡାରେ ପୁଲିସ ଚଢ଼ାଉ କରି ୧୫ ଜଣଙ୍କୁ ଗିରଫ କରିଛି। ୧.୬୬ ଲକ୍ଷ ଟଙ୍କା, ୨ଟି କାର୍, ୩ଟି ବାଇକ୍ ଓ ୧୨ଟି ମୋବାଇଲ୍ ଜବତ ହୋଇଛି।

ନବରଙ୍ଗପୁର (ସୁରେଶ ନାଇଡ଼ୁ): ଅନେକ ଦିନ ଧରି ପୁଲିସକୁ ଚକମା ଦେଇ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ଆଜି ଚଢ଼ାଉ ହୋଇଛି। ଚଢ଼ାଉରେ ୧୫ ଜୁଆଡ଼ି ଗିରଫ ହୋଇଥିବା ବେଳେ ପ୍ରାୟ ୨ଲକ୍ଷ ଟଙ୍କା ଏବଂ ୫ଟି କାର୍ ଓ ବାଇକ୍ ଜବତ ହୋଇଛି।
ନବରଙ୍ଗପୁରଥାନାର ତାରଗାଁ ନିକଟସ୍ଥ କାଜୁ ଜଙ୍ଗଲ ମଧ୍ୟରେ ଚାଳୁଥିଲା ଜୁଆ। ଏଠାକୁ ନବରଙ୍ଗପୁର ସହର ସମେତ ଡାବୁଗାଁ, କୋରାପୁଟ ଜିଲ୍ଲାର ବୋରିଗୁମ୍ମା, ଜୟପୁରରୁ ମଧ୍ୟ ଜୂଆ ଖେଳିବା ପାଇଁ ଆସିଥାନ୍ତି।
ଆଜି ଚଢ଼ାଉ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା କହିଛନ୍ତି, ଏସ୍ପି ପାର୍ଥ କାଶ୍ୟପ ଜଗଦୀଶଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା। ଯୋଜନାବଦ୍ଧ ଭାବେ ଆଡ୍ଡାର ଚାରିପଟେ ପୁଲିସ ଘେରାବନ୍ଦୀ କରାଯାଇଥିଲା। ଏହି ଜୁଆଆଡ୍ଡାରୁ ୧୪ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧ଲକ୍ଷ ୬୬ହଜାର ୧୩୦ଟଙ୍କା, ୩ଟି ବାଇକ, ୨ଟି କାର ସହ ୧୨ଟି ମୋବାଇଲ ଫୋନ ଜବତ କରାଯାଇଛି। ଏମାନଙ୍କ ମଧ୍ୟରୁ ନବରଙ୍ଗପୁର ସହରର ୨ଜଣ, ତାରାଗାଁର ୨ଜଣ, ବଦାମୁଣ୍ଡାର ୩ଜଣ, ବୋରିଗୁମ୍ମା ଅଂଚଳର ୫ଜଣ, ଡାବୁଗାଁ, ଜୟପୁର, ଓ କେନ୍ଦୁଗୁଡାର ଜଣେ ଲେଖାଏଁ ଏଭଳି ୧୫ଜଣଙ୍କୁ ପୁଲିସ ଆଡ୍ଡାରୁ ଧରିଥିଲା।
ସୌଜନ୍ୟ ସମ୍ବାଦ




