ଭୁବନେଶ୍ବର: ରାଜଧାନୀରେ ପୁଣି ଲଜ୍ଜା। ରାତି ଅଧରେ ଅସହାୟ ମହିଳାଙ୍କୁ ଷ୍ଟେସନ୍ରେ ଛାଡ଼ିଦେବା ଆଳରେ ଲିଫ୍ଟ ଦେଇ ଏକ ପରିତ୍ୟକ୍ତ ଘରକୁ ନେଇଗଲେ। ଦୁଇ ସାଙ୍ଗ ମିଶି ରାତିସାରା ଦୁଷ୍କର୍ମ କଲେ। ଏଭଳି ଘଟଣା ତମାଣ୍ଡୋ ଥାନା ଅଧୀନ ରଣସିଂହପୁର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ତମାଣ୍ଡୋ ଥାନା ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାଗଡ଼ ଅଞ୍ଚଳର ନାରାୟଣ ସ୍ବାଇଁ(୩୧) ଓ ବିଚିତ୍ର ସାହୁ(୩୪)। ଉଭୟ ଏଠାରେ ଏମ୍ସ ଅଞ୍ଚଳରେ ରହି ଆମ୍ବୁଲାନ୍ସ ଚାଳକ ଭାବେ କାମ କରନ୍ତି।
ସୂଚନା ମୁତାବକ, ପୀଡ଼ିତାଙ୍କ ସ୍ବାମୀ ଜଣେ ମିସ୍ତ୍ରି ଏବଂ ଚନ୍ଦକା ଥାନା ଅଞ୍ଚଳରେ ରହନ୍ତି। କିଛିଦିନ ତଳେ ପୀଡ଼ିତା ପଶ୍ଚିମବଙ୍ଗରୁ ସ୍ବାମୀଙ୍କ ପାଖକୁ ଆସିଥିଲେ। ତେବେ କୌଣସି କାରଣକୁ ନେଇ ଗତ ୨୮ ତାରିଖ ରାତିରେ ସ୍ବାମୀଙ୍କ ସହ ବଚସା ହୋଇଥିଲା। ମହିଳା ଜଣଙ୍କ ରାଗି ଘରୁ ଚାଲିଆସିଥିଲେ। ପଶ୍ଚିମବଙ୍ଗ ଫେରିଯିବା ପାଇଁ ଷ୍ଟେସନ୍ ଯାଉଥିଲେ। ବିଳମ୍ବିତ ରାତିରେ ନାରାୟଣ ବାଇକ୍ରେ ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଏକୁଟିଆ ଦେଖି ପଚରାଉଚରା କରିଥିଲା। ମହିଳା ଜଣଙ୍କ ଷ୍ଟେସନ୍ ଯିବା କଥା ଜାଣିବା ପରେ ତାଙ୍କୁ ଏକୁଟିଆ ଯିବାକୁ ବାରଣ କରିଥିଲା। ବିଶ୍ବାସ ଜନ୍ମାଇ ଲିଫ୍ଟ ଦେବାକୁ କହି ତାଙ୍କୁ ବାଇକ୍ରେ ବସାଇ ଷ୍ଟେସନ୍ ନେବା ପରିବର୍ତ୍ତେ ରଣସିଂହପୁର ଅଞ୍ଚଳରେ ଥିବା ଏକ ଘରକୁ ନେଇଯାଇଥିଲା। ସେଠାରେ ତା’ର ସହଯୋଗୀ ବିଚିତ୍ରକୁ ଡାକି କବାଟ ଖୋଲିଥିଲା।
ସୌଜନ୍ୟ ସମ୍ବାଦ
