ସ୍ବଭାବ କବି ଭାବରେ ସୁପରିଚିତ ଗଙ୍ଗାଧର ମେହେର ୧୮୬୨ ଅଗଷ୍ଟ ୯ ତାରିଖରେ ବରଗଡ଼ଜିଲ୍ଲା ଅନ୍ତର୍ଗତ ବରପାଲିର ଏକ ସାଧାରଣ ବୁଣାକାର ପରିବାରରେ ଜନ୍ମ ହୋଇଥିଲେ। ପିତା ଚୈତନ୍ୟ ମେହେର ଲୁଗାବୁଣା କାର୍ଯ୍ୟ ସହିତ ବୈଦ୍ୟ କାର୍ଯ୍ୟ କରୁଥିଲେ ହେଁ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିଲା। ଗଙ୍ଗାଧର ସକାଳେ ସ୍କୁଲ୍ ଯାଇ ଦିନ ବେଳେ ଲୁଗା ବୁଣା କାମରେ ପିତାଙ୍କୁ ସାହାଯ୍ୟ କରୁଥିଲେ। ସେ ଛୋଟ ବୟସରୁ ରାମାୟଣ, ମହାଭାରତ ସମେତ ଅନେକ ସଂସ୍କୃତ ପୁସ୍ତକ ପଢ଼ି ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ଭାଷାରେ ପାରଙ୍ଗମ ହୋଇଯାଇଥିଲେ। ୧୮୮୫ ମସିହାରେ ବରପାଲିର ତତ୍କାଳୀନ ଜମିଦାର ଲାଲ ନୃପରାଜ ସି˚ହ ତାଙ୍କୁ ଅମିନ ଭାବେ ନିଯୁକ୍ତ କରିଥିଲେ। ପରେ ମୋହରିର ପଦରେ ସମ୍ବଲପୁର, ବିଜେପୁର, ପଦ୍ମପୁର, ବରପାଲି ଆଦି ସ୍ଥାନରେ କାର୍ଯ୍ୟ କରି ୧୯୧୭ରେ ଅବସର ଗ୍ରହଣ କରିଥିଲେ।
ସେହି ସମୟରେ ସେ ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସଙ୍କ ଭଳି ପ୍ରାଚୀନ ଓଡ଼ିଆ କବିମାନଙ୍କ କାବ୍ୟ ପଢ଼ିବା ସହିତ ନିଜେ ଏକାଧିକ ଛୋଟ-ବଡ଼ କବିତା ଲେଖିଥିଲେ। ‘ରସରତ୍ନାକର’ ଗଙ୍ଗାଧରଙ୍କ ପ୍ରଥମ କାବ୍ୟ। ପରେ ଆଧୁନିକ ଶୈଳୀରେ ‘ଇନ୍ଦୁମତୀ’ ରଚନା କରିଥିଲେ। ‘ଅହଲ୍ୟାସ୍ତବ’, ‘ଉତ୍କଳ ଲକ୍ଷ୍ମୀ’, ‘କୀଚକ ବଧ’, ‘ତପସ୍ବିନୀ’, ‘ପ୍ରଣୟବଲ୍ଲରୀ’, ‘ଅର୍ଘ୍ୟଥାଳି’, କବିତା-କଲ୍ଲୋଳ’, ‘ପଦ୍ମିନୀ’ ଆଦି ଗଙ୍ଗାଧରଙ୍କର କେତେକ ଅମୂଲ୍ୟ ରଚନାବଳୀ। ପ୍ରକୃତିର ଅସାଧାରଣ ବର୍ଣ୍ଣନା, ଆଦର୍ଶ ଚରିତ୍ର ଚିତ୍ରଣ, ମାନବତାର ଜୟଗାନ ଆଦି ତାଙ୍କ ସାହିତ୍ୟ କୃତିର ବିଶେଷତ୍ବ। ୧୯୨୪ ଏପ୍ରିଲ ଆଜିର ଦିନରେ ଗଙ୍ଗାଧର ମେହେରଙ୍କ ତିରୋଧାନ ହୋଇଥିଲା।
ସୌଜନ୍ୟ ସମ୍ବାଦ
