ଜାତୀୟବାଣିଜ୍ୟ

Paytm ଲଞ୍ଚ କଲେ ନୂଆ ‘ପକେଟ୍ ମନି’ ଫିଚର, ଟିନଏଜରଙ୍କ ଲାଗି ସହଜ ହେବ UPI ପେମେଣ୍ଟ

ନୂଆଦିଲ୍ଲୀ: ଆର୍ଥିକ ସଂକଟର ସାମ୍ନା କରୁଥିବା ପେଟିଏମ ନିଜ ୟୁଜରଙ୍କ ଲାଗି ଏକ ନୂଆ ଫିଚର ‘ପକେଟ୍ ମନି’ ଉପଲବ୍ଧ କରିଛି। ଏହା ବିଶେଷ କରି କିଶୋର ଓ କିଶୋରୀଙ୍କୁ ଧ୍ୟାନରେ ରଖି ବିକଶିତ କରାଯାଇଛି। ଏହି ଫିଚର ମାଧ୍ୟମରେ ଯୁବବର୍ଗ ବିନା ବ୍ୟାଙ୍କ ଆକାଉଣ୍ଟରେ ୟୁପିଆଇ ପୈଠ କରିପାରିବେ। ଏହି ସୁବିଧା ଏନପିସିଆଇଙ୍କ ୟୁପିଆଇ ସର୍କଲ ଫ୍ରେମୱାର୍କ ଆଧାରିତ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ପିଲା ଓ କିଶୋରଙ୍କୁ ଡିଜିଟାଲ ପୈଠ ସୁବିଧା ପ୍ରଦାନ କରିବା। ତେବେ ମାତାପିତା ଓ ପରିବାରର ବିଶ୍ୱସନୀୟ ସଦସ୍ୟ ସେମାନଙ୍କ ଖର୍ଚ୍ଚ ଉପରେ ନଜର ରଖି ପାରିବେ।

ପକେଟ ଫିଚରର ବିଶେଷତା
ଏହି ଫିଚର ମାଧ୍ୟମରେ ଅଭିଭାବକ ନିଜ ବ୍ୟାଙ୍କ ଖାତାକୁ ଲିଂକ କରି ପିଲାଙ୍କୁ ସୀମିତ ୟୁପିଆଇ ଆକ୍ସେସ୍ ଦେଇ ପାରିବେ। ଏହା ପରେ ପିଲା ନିଜ ମୋବାଇଲ ଫୋନରୁ ୟୁପିଆଇ ପୈଠ କରିପାରିବେ। ହେଲେ ଏହାର ପୁରା ନିୟନ୍ତ୍ରଣ ସେମାନଙ୍କ ମାତାପିତାଙ୍କ ପାଖରେ ରହିବ। ସେମାନେ ଚାହିଁଲେ ଯେବେବି ଏହି ଆକ୍ସେସକୁ ବନ୍ଦ କରିପାରିବେ। ଏହି ଫିଚର ସେହି ପିଲା ଓ ଯୁବବର୍ଗଙ୍କ ଲାଗି ଉପଯୋଗୀ ହେବ ଯେଉଁମାନେ ସେମାନଙ୍କ ଛୋଟମୋଟ ଆବଶ୍ୟକତା ଯେପରି ସ୍କୁଲ କ୍ୟାଣ୍ଟିନ, ମେଟ୍ରୋ ଯାତ୍ରା, କ୍ୟାବ ପୈଠ, ମୋବାଇଲ ରିଚାର୍ଜ ଅଥବା ଅନଲାଇନ କ୍ରୟ ନିମନ୍ତେ ଡିଜିଟାଲ ପେମେଣ୍ଟ କରିବାକୁ ଚାହୁଁଛନ୍ତି।

ସୁରକ୍ଷା ଓ ଖର୍ଚ୍ଚ ସୀମା
ପେଟିଏମ ପକେଟ ମନି ଫିଚରରେ ଅନେକ ସ୍ତରୀୟ ସୁରକ୍ଷା ଯୋଡା ଯାଇଛି। ଏହା ଦ୍ୱାରା ପିଲାଙ୍କୁ ତ୍ରୁଟିପୂର୍ଣ୍ଣ ଉପଯୋଗରୁ ରୋକା ଯାଇ ପାରିବ। ଏହି ଫିଚରରେ ପ୍ରତ୍ୟେକ ୟୁପିଆଇ ନେଣଦେଣ ସୀମା ୫ ହଜାର ଟଙ୍କା ରଖା ଯାଇଛି। ସେହିପରି ପୁରା ୟୁପିଆଇ ନେଟୱାର୍କରେ ମାସ ତମାମ ଖର୍ଚ୍ଚ ପାଇଁ ସର୍ବାଧିକ ସୀମା ୧୫ ହଜାର ରହିଛି। ଏହାଛଡା ଫିଚର ସକ୍ରିୟ ହେଲେ ପ୍ରଥମ ଅଧଘଣ୍ଟାରେ ମାତ୍ର ୫୦୦ ଟଙ୍କା ପୈଠ କରାଯାଇ ପାରିବ। ପ୍ରଥମ ୨୪ ଘଣ୍ଟାରେ ମୋଟ ନେଣଦେଣ ସୀମା ୫ହଜାର ଟଙ୍କା ରହିଛି। ଏହି ଫିଚର ଚାଲୁ କରିବା ପାଇଁ ଡିଭାଇସ୍ ଲକ ହୋଇପାରୁଥିବା ଆବଶ୍ୟକ ଓ ଅଭିଭାବକ କେବେବି ୟୁପିଆଇ ପିନ୍ ମାଧ୍ୟମରେ ଖର୍ଚ୍ଚର ସୀମା ବଦଳାଇ ପାରିବେ।

କିପରି ସକ୍ରିୟ କରିବେ ପକେଟ ମନି ଫିଚର
ଏହି ଫିଚରକୁ ସକ୍ରିୟ କରିବା ପାଇଁ ସର୍ବ ପ୍ରଥମେ ପେଟିଏମ ଆପକୁ ଗୁଗଲ ପ୍ଲେ ଷ୍ଟୋର ଅଥବା ଆପଲ ଆପ୍ ଷ୍ଟୋରରୁ ଅପଡେଟ୍ କରିବାକୁ ପଡିବ। ଏହା ପରେ ଆପ୍ ଖୋଲି ‘ଟୁ ମୋବାଇଲ/କଣ୍ଟାକ୍ଟ’ ସେକ୍ସନକୁ ଯିବାକୁ ପଡିବ। ସେଠାରେ ପକେଟ ମନି ବିକଳ୍ପ ବାଛିବାକୁ ପଡିବ ଓ ସେହି ବ୍ୟକ୍ତିର ନମ୍ବର ଟିପିବାକୁ ପଡିବ ଯାହାଙ୍କ ପାଇଁ ଆପଣ ଏହି ଫିଚର ଚାଲୁ କରିବାକୁ ଚାହୁଁଛନ୍ତି। ଏହା ପରେ ସାମ୍ନାକୁ ଆସୁଥିବା ୟୁଜରର ୟୁପିଆଇ କ୍ୟୁଆର କୋଡ୍ ସ୍କାନ କରନ୍ତୁ ନଚେତ ୟୁପିଆଇ ଆଇଡି ଦିଅନ୍ତୁ। ଆବଶ୍ୟକ କାଗଜପତ୍ର ମାଧ୍ୟମରେ ଭେରିଫିକେସନ ପୁରା କରନ୍ତୁ। ଏହା ପରେ ମାସିକ ଖର୍ଚ୍ଚର ସୀମା ନିର୍ଦ୍ଧାରଣ କରନ୍ତୁ ନଚେତ ପୂର୍ବରୁ ଦିଆଯାଇଥିବା ବିକଳ୍ପ ବାଛନ୍ତୁ। ନିଜର ପ୍ରାଇମେରୀ ବ୍ୟାଙ୍କ ଆକାଉଣ୍ଟକୁ ବାଛନ୍ତୁ ଓ ପେଟିଏମ ୟୁପିଆଇ ପିନ୍ ଦିଅନ୍ତୁ। ଶେଷରେ ସେହି ୟୁଜର ଇନଭାଇଟେସନ ସ୍ୱୀକାର କଲେ ଫିଚର ଆକ୍ଟିଭେଟ ହୋଇଯିବ।

 

 

 

 

ସୌଜନ୍ୟ Prameya News7

Show More
Back to top button