Ganjam: ଗଞ୍ଜାମରୁ ବନ୍ଧାହେଲା ହାପି ହାତୀ

‘ମୁଁ ଜେଲ୍‌ରୁ ଫେରିଥିବାରୁ ପରଦିନ ସନ୍ଧ୍ୟାରେ ୫ ଜଣ ସାଙ୍ଗ ଦୟା ନଈପଠାରେ ଏକାଠି‌ହୋଇ ବିୟର ପାର୍ଟି କରିଥିଲୁ। ନିଶା ବି ଜୋର ଚଢ଼ିଥାଏ। ଏହି ସମୟରେ ନିଛାଟିଆ ରାସ୍ତାରେ....

ଭୁବନେଶ୍ବର/ଧଉଳି: ‘ମୁଁ ଜେଲ୍‌ରୁ ଫେରିଥିବାରୁ ପରଦିନ ସନ୍ଧ୍ୟାରେ ୫ ଜଣ ସାଙ୍ଗ ଦୟା ନଈପଠାରେ ଏକାଠି‌ହୋଇ ବିୟର ପାର୍ଟି କରିଥିଲୁ। ନିଶା ବି ଜୋର ଚଢ଼ିଥାଏ। ଏହି ସମୟରେ ନିଛାଟିଆ ରାସ୍ତାରେ ପୁଅଝିଅଙ୍କୁ ଦେଖି ଅଟକାଇ ଦେଲୁ। ଜୋସ୍‌ରେ ଥିବାରୁ ଯୁବକଙ୍କୁ ମାଡ଼ମାରିବା ସହ ତାଙ୍କ ବାନ୍ଧବୀକୁ ଛଡ଼ାଇ ନେଇ ବଣକୁ ପଳାଇଥିଲୁ। ଆଉ ତାଙ୍କ ସହ ଦୁଷ୍କର୍ମ କରିଥିଲୁ।’ ଦୟାନଦୀ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଧଉଳି ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ଶିଶୁପାଳଗଡ଼ ପାଇକରା ଭୋଇସାହିର ସତ୍ୟ ପ୍ରକାଶ ହାତୀ ଓରଫ ହାପି(୨୫) ଏଭଳି ଲୋମଟାଙ୍କୁରା ବୟାନ ପୁଲିସକୁ ଦେଇଛି। ତେବେ ସେ ଘଟଣା ଦିନ କିଭଳି ସାଙ୍ଗମାନଙ୍କ ସହ  ମିଶି ଦୁଷ୍କର୍ମ କରିଥିଲା? କେମିତି ଆକ୍ରମଣ କରି ଲୁଟ୍‌ପରେ ଯୁବକଙ୍କୁ ରକ୍ତାକ୍ତ କରି ଫୋପାଡ଼ିଥିଲେ? ତାର ସିନ୍‌ରିକ୍ରିଏସନ୍‌କରି ପୁଲିସକୁ ଦେଖାଇଥିଲା। ଦିନ ପାଖାପାଖି ସାଢ଼େ ୧୦ଟା ସମୟରେ ସ୍ପେସାଲ ସ୍କ୍ବାଡ୍‌ଓ ଧଉଳି ଥାନା ପୁଲିସର ୩ଟି ଟିମ୍‌ତାକୁ ଘଟଣାସ୍ଥଳକୁ ନେବା ପରେ ସେ ସେହି  ଲୋମଟାଙ୍କୁର ଦୃଶ୍ୟର ନାଟ୍ୟରୂପାନ୍ତର କରିଥିଲା। ସିନ୍‌ରିକ୍ରିଏସନ୍‌ପରେ ତାକୁ ଥାନାକୁ ଆଣି ବିଏନ୍‌ଏସ୍‌ଏସ୍‌ଦଫା-୧୮୦ରେ ବୟାନ ରେକର୍ଡ କରାଯାଇଥିଲା।

ଜେରା ବେଳେ ସେ କହିଥିଲା ଯେ ଗତ ୯ ତାରିଖ ଦିନ ସେ (ହାପି) ଝାରପଡ଼ା ଜେଲ୍‌ରୁ ଜାମିନ୍‌ରେ ଆସିବା ପରେ ତା’ର ଗ୍ୟାଙ୍ଗର ବିଭୁପ୍ରସାଦ ମିଶ୍ର, କାଳନ୍ଦୀ ପାତ୍ର, ସାଗର ଓ ନରେଶକୁ ନେଇ ନଈପଠାରେ ବିୟର ପାର୍ଟି କରିଥିଲା। ସେମାନେ ନଈପଠା ରାସ୍ତାରେ ବସିଥିବା ବେଳେ ଯୁବକ ଓ ତାଙ୍କ ସହ ଥିବା ଝିଅଟିକୁ ଦେଖି ପ୍ରଥମେ ଅଟକାଇଥିଲେ। ସେମାନେ କିଏ ? କାହିଁକି ଏପଟେ ଯାଉଛନ୍ତି? ଉଭୟଙ୍କ ସମ୍ପର୍କରେ ଟିକିନିଖି ବୁଝିଥିଲେ। ପ୍ରେମୀଯୁଗଳ ଜାଣିବା ପରେ ସେମାନେ ଏଠାକୁ ଖରାପ କାମ କରିବା ପାଇଁ ଆସିଥିବା ସନ୍ଦେହ କରିଥିଲେ। ଏହାପରେ ଯୁବକକୁ ନିସ୍ତୁକ ମାଡ଼ମାରି ତାଙ୍କଠାରୁ ଯୁବତୀଙ୍କୁ ଛଡ଼ାଇ ନିକାଞ୍ଚନ ବଣକୁ ନେଇଯାଇଥିଲେ। ଏପଟେ ଦୁଇଜଣ ସାଙ୍ଗ ଯୁବକଙ୍କୁ କାବୁ କରି ମାଡ଼ମାରି ଲହୁଲୁହାଣ କରିଥିବା ବେଳେ ସେପଟେ ଜଣଙ୍କ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଉଭୟଙ୍କଠାରୁ ଗହଣା ଓ ଟଙ୍କା ଛଡ଼ାଇ ନେଇ ସେଠାରୁ ଫେରାର୍‌ ହୋଇଯାଇଥିଲେ।

ନାବାଳିକା ଜଣକ ୧୩ ତାରିଖରେ ଗଣଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲାକୁ ଗୁରୁତ୍ବର ସହ ନେଇ ପ୍ରଥମେ ବିଭୁ ଓ କାଳନ୍ଦୀକୁ ଗିରଫ କରିଥିଲା। ସେମାନଙ୍କୁ ଜେରା କରି ଅନ୍ୟ ୩ଜଣଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ହାପି ଫେରାର୍‌ ହୋଇଯିବାକୁ ନେଇ ପୁଲିସ ଚିନ୍ତାରେ ପଡ଼ିଥିଲା। ତାର ଅପରାଧିକ ଇତିହାସ ଲମ୍ବା ଥିବାରୁ, ସେ ରାଜ୍ୟ ବାହାରକୁ ଚାଲିଯିବାର ଆଶଙ୍କା ଥିଲା। ତେଣୁ ତାକୁ କାବୁ କରିବା ପାଇଁ ସ୍ପେସାଲ ସ୍କ୍ବାଡ୍‌ ପୁଲିସକୁ ନେଇ ସ୍ବତନ୍ତ୍ର ଟିମ୍‌ଗଠନ କରାଯାଇଥିଲା। ହାପି ଗଞ୍ଜାମ‌ ଦେଇ ରାଜ୍ୟ ବାହାରକୁ ଫେରାର୍‌ ପୂର୍ବରୁ ବୁଧବାର ରାତିରେ ସ୍ପେସାଲ୍‌ସ୍କ୍ବାଡ୍‌ +ଓ ଧଉଳି ଥାନା ପୁଲିସ ମିଳିତ  ଭାବେ ଚଢ଼ଉ କରି ତାକୁ ଗଞ୍ଜାମରୁ ଗିରଫ କରିଥିଲେ।‌ଜେରା ପରେ ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ସେହିପରି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ସହଯୋଗୀ ସାଗର ଓ ନରେଶ ଫେରାର୍‌ଥିବାରୁ ଉଭୟଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସେମାନଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ପୁଲିସ ଜାଣିବାକୁ ପାଇଛି। ଅଭିଯୁକ୍ତଙ୍କୁ ଟିଆଇ ପରେଡ୍‌ପାଇଁ କୋର୍ଟରେ ପୁଲିସ ଆବେଦନ କରିଛି। କୋର୍ଟରୁ ଅନୁମତି ପରେ ଖୁବ୍‌ଶୀଘ୍ର ଟିଆଇ ପରେଡ୍‌କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version