ରାଜ୍ୟ

Ganjam floods: ଗଞ୍ଜାମ ବନ୍ୟା ମନୁଷ୍ୟକୃତ: ନବୀନ

ଗଞ୍ଜାମ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଲୋକଙ୍କ ଦୁର୍ଦ୍ଦଶା ଏବଂ ରିଲିଫ ଓ ସହାୟତା କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଭୁବନେଶ୍ୱର: ଗଞ୍ଜାମ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ  ଲୋକଙ୍କ ଦୁର୍ଦ୍ଦଶା ଏବଂ ରିଲିଫ ଓ ସହାୟତା କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଏହି ବନ୍ୟା ମନୁଷ୍ୟକୃତ ବୋଲି ଆରୋପ ଲଗାଇଛନ୍ତି। ବନ୍ୟା ବିପନ୍ନଙ୍କୁ ରିଲିଫ ଓ ଥଇଥାନ କ୍ଷେତ୍ରରେ ଅବହେଳା ନେଇ ସରକାରଙ୍କୁ ଦାୟୀ କରିବା ସହ ବିଫଳତା ପାଇଁ ସରକାର ଉତ୍ତରଦାୟିତ୍ୱ ସ୍ଥିର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ 
ସରକାର ଉତ୍ତରଦାୟିତ୍ବ ନିଅନ୍ତୁ

ଚିଠିରେ ବିରୋଧୀ ଦଳ ନେତା ଦର୍ଶାଇଛନ୍ତି, ଗଞ୍ଜାମରେ ବନ୍ୟା କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ। ବରଂ ରାଜ୍ୟ ବିଜେପି ସରକାରଙ୍କ ଚରମ ଅପାରଗତା, ଅବହେଳା ଓ ଦୂରଦୃଷ୍ଟିହୀନତାର କରୁଣ ପରିଣତି। ଏହା  ସମ୍ପୂର୍ଣ ମନୁଷ୍ୟକୃତ। ବିଜେପି ସରକାରଙ୍କୁ ଜବାବ ମାଗି ନବୀନ କହିଛନ୍ତି, ଆଇଏମ୍‌ଡିର ଆଗୁଆ ସତର୍କତା ସତ୍ତ୍ୱେ କାହିଁକି କୁମ୍ଭକର୍ଣ୍ଣ ନିଦ୍ରାରେ ଥିଲା ପ୍ରଶାସନ ? ଅକ୍ଟୋବର ୨୩ରୁ ଚେତାବନୀ ମିଳିବା ସତ୍ତ୍ୱେ ବର୍ଷା ପୂର୍ବରୁ ଡ୍ୟାମରୁ  ଜଳ ନିଷ୍କାସନ ନ କରି ପ୍ରବଳ ବର୍ଷା ସମୟରେ ବିନା ପୂର୍ବ ସୂଚନାରେ ଗେଟ୍ ଖୋଲି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦରେ ପକାଇଲା କିଏ ? ଦିନ ଦିନ ଧରି ଲୋକେ ଖାଦ୍ୟ ଓ ପାଣି ବିନା ଛଟପଟ ହେଲେ। ଉଦ୍ଧାର କାର୍ଯ୍ୟରେ ଅହେତୁକ ବିଳମ୍ବ ହେଲା। ଏହି ଅକ୍ଷମଣୀୟ ଅପରାଧ ପାଇଁ ଦାୟୀ କିଏ ?

ନବୀନ ଆହୁରି ଅଭିଯୋଗ କରିଛନ୍ତି, ବିଜେଡି ସରକାର ସମୟରେ ଗଢ଼଼ା ହୋଇଥିବା ବିଶ୍ୱସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା, ସରପଞ୍ଚ ଓ ମିସନ ଶକ୍ତିର ଭୂମିକାକୁ ଅଣଦେଖା କରି ଏ ସରକାର ସମଗ୍ର ବ୍ୟବସ୍ଥାକୁ ଭାଙ୍ଗିରୁଜି ଚୂରମାର୍ କରିଦେଇଛି। ସରପଞ୍ଚମାନଙ୍କ ପ୍ରତି ଅବହେଳା ଏବଂ ମିସନ ଶକ୍ତି କାର୍ଯ୍ୟକ୍ରମକୁ ପ୍ରାୟତଃ ବନ୍ଦ କରିଦେବା ଫଳରେ ଏହି ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ପରେ ଏବେ ଗଞ୍ଜାମ। ପ୍ରତିଟି ବିପର୍ଯ୍ୟୟରେ ସରକାର ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଦେଉଛନ୍ତି। ସରକାରଙ୍କ ଅପାରଗତା ଓ ଅବହେଳା କେବେ ବି ଲୋକଙ୍କ ଦୁର୍ଦ୍ଦଶାର କାରଣ ହେବା ଉଚିତ ନୁହେଁ। ସରକାରଙ୍କ ଅକ୍ଷମତାର ବୋଝ ନିରୀହ ଜନତା କାହିଁକି ସହିବେ? ଗଞ୍ଜାମର କ୍ଷତିଗ୍ରସ୍ତ ଚାଷୀ, ମହିଳା, କ୍ଷୁଦ୍ର ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ଏବଂ ପୁନଃନିର୍ମାଣ ସହାୟତା ଦେବାକୁ ସେ ଦାବି କରିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button