Gas connection: ରାଜ୍ୟଙ୍କୁ କହିଲା କେନ୍ଦ୍ର:ପାଇପ୍‌ ଗ୍ୟାସ୍‌ ସଂଯୋଗ ବଢ଼ାଅ: ୧୦% ଅଧିକ ବାଣିଜ୍ୟିକ ଏଲ୍‌ପିଜି ଦିଆଯିବ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏଲ୍‌ପିଜି ଯୋଗାଣକୁ ପ୍ରଭାବିତ କରିଥିବାରୁ କେନ୍ଦ୍ର ସରକାର ପାଇପ୍‌ ଜରିଆରେ ଅଧିକ ସଂଖ୍ୟକ ଘରେ ଗ୍ୟାସ୍‌ ପହଞ୍ଚାଇବା ଉପରେ ଜୋର ଦେଇଛନ୍ତି। ପାଇପ୍‌ଡ ନାଚୁରାଲ ଗ୍ୟାସ୍‌ (ପିଏନ୍‌ଜି) ସଂଯୋଗ ଦେବାରେ ରହିଥିବା ପ୍ରତିବନ୍ଧକଗୁଡ଼ିକୁ ତତ୍କାଳ ଦୂର କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି।

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଏଲ୍‌ପିଜି ଯୋଗାଣକୁ ପ୍ରଭାବିତ କରିଥିବାରୁ କେନ୍ଦ୍ର ସରକାର ପାଇପ୍‌ ଜରିଆରେ ଅଧିକ ସଂଖ୍ୟକ ଘରେ ଗ୍ୟାସ୍‌ ପହଞ୍ଚାଇବା ଉପରେ ଜୋର ଦେଇଛନ୍ତି। ପାଇପ୍‌ଡ ନାଚୁରାଲ ଗ୍ୟାସ୍‌ (ପିଏନ୍‌ଜି) ସଂଯୋଗ ଦେବାରେ ରହିଥିବା ପ୍ରତିବନ୍ଧକଗୁଡ଼ିକୁ ତତ୍କାଳ ଦୂର କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ଯେଉଁ ରାଜ୍ୟ ଯେତେ ଶୀଘ୍ର ପିଏନ୍‌ଜି ସଂଯୋଗ ବଢ଼ାଇବେ, ସେମାନଙ୍କୁ ସେତେ ଅଧିକ ବାଣିଜ୍ୟିକ ଏଲ୍‌ପିଜି ଯୋଗାଇ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟମାନଙ୍କୁ ଏବେ ୨୦ ପ୍ରତିଶତ ବାଣିଜ୍ୟିକ ଏଲ୍‌ପିଜି ଯୋଗାଇ ଦିଆଯାଉଛି। ପିଏନ୍‌ଜି ସଂଯୋଗ ବଢ଼ାଇପାରି‌ଲେ ସେହି ହାର ୩୦ ପ୍ରତିଶତକୁ ବଢ଼ିବା ସୁଯୋଗ ରହିଛି ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ, ଜାହାଜ ଚଳାଚଳ ମନ୍ତ୍ରଣାଳୟ ଓ ବିଦେଶ ମନ୍ତ୍ରଣାଳୟର ମିଳିତ ବିବୃତିରେ କୁହାଯାଇଛି। ଉଭୟ ଘରୋଇ ଓ ବାଣିଜ୍ୟିକ ଗ୍ରାହକମାନଙ୍କୁ ପିଏନ୍‌ଜି ସଂଯୋଗ ନେବାକୁ କେନ୍ଦ୍ର ସରକାର ଆହ୍ବାନ ଦେଇଛନ୍ତି। ବିଶେଷ କରି ହୋଟେଲ୍‌, ରେସ୍ତୋରାଁ, ହସ୍ପିଟାଲ୍‌ ଓ ହଷ୍ଟେଲ୍‌ଗୁଡ଼ିକୁ ପିଏନ୍‌ଜି ସଂଯୋଗ ନେବାକୁ ପରାମର୍ଶ ଦିଆଯାଇଛି।

ପିଏନ୍‌ଜି ସଂଯୋଗ ଦେବାର ସମୟ ସୀମା ହ୍ରାସ କରିବାକୁ ଗ୍ୟାସ୍‌ ବିତରଣ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ୍‌, ଡିଜେଲ୍‌ ଓ ଏଲ୍‌ପିଜିର କୌଣସି ଅଭାବ ନାହିଁ। କୌଣସି ବିତରକଙ୍କ ପାଖରେ ଏଲ୍‌ପିଜି ଷ୍ଟକ୍‌ ଶେଷ ହୋଇଥିବାର ଖବର ମିଳିନାହିଁ। ଏଲ୍‌ପିଜିର ଅନଲାଇନ୍‌ ବୁକିଂ ୮୩ ପ୍ରତିଶତରୁ ବଢ଼ି ୯୩ ପ୍ରତିଶତ ହୋଇଛି। ସେହିପରି ଡେଲିଭରି ପ୍ରମାଣୀକରଣ କୋଡ୍ ୮୧ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ଏଲ୍‌ପିଜି ଉତ୍ପାଦନରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି।ଦେଶରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ଥିବାରୁ ଆତଙ୍କିତ ହୋଇ ନ ହେବାକୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି।

କୌଣସି ଗୁଜବରେ ବିଶ୍ବାସ ନ କରିବା ଓ କେବଳ ଆନୁଷ୍ଠାନିକ ତଥ୍ୟ ଉପରେ ବିଶ୍ବାସ କରିବାକୁ ଲୋକମାନଙ୍କୁ କୁହାଯାଇଛି। କୌଣସି ବିତରକଙ୍କ ପାଖରେ ଭିଡ଼ ନ ଲଗାଇ ଅନଲାଇନ୍‌ରେ ଗ୍ୟାସ୍‌ ବୁକିଂ କରିବାକୁ ପରାମର୍ଶ ଦିଆଯାଇଛି। ଏଲ୍‌ପିଜି ପରିବର୍ତ୍ତେ ପିଏନ୍‌ଜି, ଇଲେକ୍ଟ୍ରିକ୍‌ କୁକର, ଇଣ୍ଡକ୍ସନ କୁକ୍‌ଟପ୍‌ ଭଳି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ମଧ୍ୟ ସରକାର ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version