ବାଣିଜ୍ୟ

GDP growth: ରେପୋ ହାର କମିବା ସମ୍ଭାବନା କମ୍‌; ଜିଡିପି ୬.୬ ପ୍ରତିଶତ ରହିପାରେ

ଜୁନ ମାସରେ ହେବାକୁ ଥିବା ମୁଦ୍ରା ନୀତି କମିଟି (ଏମ୍‌ପିସି)ର ସମୀକ୍ଷା ବୈଠକରେ ରେପୋ ହାର (ଯେଉଁ ସୁଧ ହାରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ସ୍ବଳ୍ପ ମିଆଦୀ ଋଣ ପ୍ରଦାନ କରିଥାଏ) କମିବା ସମ୍ଭାବନା କମ୍‌ ରହିଛି।

ନୂଆଦିଲ୍ଲୀ: ଜୁନ ମାସରେ ହେବାକୁ ଥିବା ମୁଦ୍ରା ନୀତି କମିଟି (ଏମ୍‌ପିସି)ର ସମୀକ୍ଷା ବୈଠକରେ ରେପୋ ହାର (ଯେଉଁ ସୁଧ ହାରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ସ୍ବଳ୍ପ ମିଆଦୀ ଋଣ ପ୍ରଦାନ କରିଥାଏ) କମିବା ସମ୍ଭାବନା କମ୍‌ ରହିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କର ରିସର୍ଚ୍ଚ ରିପୋର୍ଟରେ ଏହା କୁହାଯାଇଛି। ଟଙ୍କା ମୂଲ୍ୟରେ ହେଉଥିବା ହ୍ରାସକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଅନ୍ୟ ନୀତିଗତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି।

ବର୍ତ୍ତମାନ ପାଇଁ ସୁଧହାର ଅପରିବର୍ତ୍ତିତ ରହିବ ବୋଲି ଅନୁମାନ କରାଯାଇଛି। ଅନ୍ୟ ଆର୍ଥିକ ରିପୋର୍ଟ ଉପରେ ମୁଦ୍ରାନୀତି କମିଟିର ସୁଧ ହାର ପରିବର୍ତ୍ତନ ସଂକ୍ରାନ୍ତ ପରବର୍ତ୍ତୀ ନିଷ୍ପତ୍ତି ନିର୍ଭର କରିବ। ରିପୋର୍ଟରେ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ମୋଟ ଘରୋଇ ଉତ୍ପାଦ (ଜିଡିପି) ୬.୬ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଭବିଷ୍ୟତର ତଥ୍ୟ ଆଧାରରେ ଏହି ଆକଳନ ପରିବର୍ତ୍ତନ ହୋଇପାରେ।

୨୦୨୫-୨୬ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ପ୍ରାୟ ୭.୨ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ସମୁଦାୟ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଜିଡିପି ହାର ୭.୫ ପ୍ରତିଶତ ରହିବା ସମ୍ଭାବନା ରହିଛି। ବର୍ତ୍ତମାନର ଧାରା ଅନୁସାରେ ଆସନ୍ତା ତ୍ରୟମାସରେ ଖୁଚୁରା ମୁଦ୍ରାସ୍ଫୀତି ୫ ପ୍ରତିଶତ ଉପରେ ରହିବା ସମ୍ଭାବନା ରହିଛି। କିନ୍ତୁ ଚଳିତ ତ୍ରୟମାସରେ ଏହା ୪.୦ ପ୍ରତିଶତରୁ ୪.୧ ପ୍ରତିଶତ ମଧ୍ୟରେ ରହିପାରେ। ୨୦୨୬-୨୭ ଆର୍ଥିକବର୍ଷ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ୫ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଦୃଢ଼ ଆର୍ଥିକ ଭିତ୍ତିଭୂମି ସତ୍ତ୍ବେ ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରା ଅଧିକ ଦୁର୍ବଳ ହେଉଛି। ଏଥିପାଇଁ ରିଜର୍ଭ ବ୍ୟାଙ୍କକୁ ବଜାରରେ ହସ୍ତକ୍ଷେପ ବଢ଼ାଇବାକୁ ହେବ।

 

ଟଙ୍କାର ଏକତରଫା ହ୍ରାସ ଏବଂ ଅତ୍ୟଧିକ ଅସ୍ଥିରତାକୁ ରୋକିବା ଲାଗି ଭାରତ ନିକଟରେ ଯଥେଷ୍ଟ ବିଦେଶୀ ମୁଦ୍ରା ରହିଛି। ଏଥିସହିତ ବାଲାନ୍ସ ଅଫ୍‌ ପେମେଣ୍ଟ୍‌କୁ ଠିକ୍‌ ରଖିବା ପାଇଁ ବ୍ୟାପକ ରଣନୀତିର ଆବଶ୍ୟକତା ରହିଛି। ମଧ୍ୟପ୍ରାଚ୍ୟ ଶାନ୍ତି ଆଲୋଚନାରେ ସେଭଳି କୌଣସି ଠୋସ୍‌ ଅଗ୍ରଗତି ଉପୁଜିନାହିଁ। ତେଣୁ ଅଶୋଧିତ ତେଲ ଦର ଉପରେ ଚାପ ରହିବ। ୨୦୨୬ ବର୍ଷର ଅଧିକାଂଶ ସମୟରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୦ ଡଲାରରୁ ଅଧିକ ରହିପାରେ ବୋଲି କୁହାଯାଇଛି। ରାଷ୍ଟ୍ରାୟତ୍ତ ତେଲ ବିପଣନ କମ୍ପାନିଗୁଡ଼ିକର କ୍ଷତି ଭରଣା କରିବାକୁ ହେଲେ ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ୫ ଟଙ୍କା ଶୁଳ୍କ ହ୍ରାସ ନଚେତ ଦର ୬ ଟଙ୍କା ବଢ଼ାଇବାର ଆବଶ୍ୟକତା ପଡ଼ିପାରେ ବୋଲି ରିପୋର୍ଟରେ କୁହାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button