Global tourist : ‘ପୁରୀ-କୋଣାର୍କ’ ଓ ‘ହୀରାକୁଦ’କୁ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀ ପ୍ରସ୍ତାବ: ଓଡ଼ିଶାରେ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀର ବିକାଶ ଶୀର୍ଷକ କର୍ମଶାଳା
ଆଜି ଲୋକସେବା ଭବନଠାରେ ‘ଓଡ଼ିଶାରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ବିକାଶ’ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ପ୍ରତ୍ୟେକ ରାଜ୍ୟରେ ଅତିକମ୍ରେ ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ବିକଶିତ କରିବା ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର....

ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ‘ଓଡ଼ିଶାରେ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ବିକାଶ’ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ପ୍ରତ୍ୟେକ ରାଜ୍ୟରେ ଅତିକମ୍ରେ ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ବିକଶିତ କରିବା ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ସଙ୍କଳ୍ପ ଅନୁଯାୟୀ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି କର୍ମଶାଳା ଆୟୋଜିତ ହୋଇଥିଲା। ପର୍ଯ୍ୟଟନ ବିଭାଗ ଦୁଇଟି ପ୍ରସ୍ତାବିତ ପର୍ଯ୍ୟଟନସ୍ଥଳୀ ‘ପୁରୀ-କୋଣାର୍କ’ ଓ ‘ହୀରାକୁଦ’ ବିଷୟରେ ତଥ୍ୟ ରଖିଥିଲା। ଜଗନ୍ନାଥ ସଂସ୍କୃତି, କୋଣାର୍କ ସୂର୍ଯ୍ୟ ମନ୍ଦିର, ଓଡ଼ିଶାର ବିସ୍ତୃତ ବେଳାଭୂମି, ଚିଲିକା ଓ ରଘୁରାଜପୁର ଐତିହ୍ୟ ଗ୍ରାମକୁ କେନ୍ଦ୍ର କରି ‘ପୁରୀ-କୋଣାର୍କ’ ଅଞ୍ଚଳକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ, ଆଧ୍ୟାତ୍ମିକ ତଥା ବେଳାଭୂମି ପର୍ଯ୍ୟଟନସ୍ଥଳୀ ଭାବେ ଉପସ୍ଥାପନା କରାଯାଇଥିଲା। ଅନ୍ୟପଟେ, ହୀରାକୁଦ ଜଳାଶୟ ଓ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଭିତ୍ତି କରି ‘ହୀରାକୁଦ’କୁ ଏକ ଉଚ୍ଚ ସମ୍ଭାବନାମୟ ଇକୋ-ଟୁରିଜିମ୍, ଜଳ ପର୍ଯ୍ୟଟନ ଓ ଦୁଃସାହସିକ ପର୍ଯ୍ୟଟନ ସ୍ଥଳୀ ଭାବରେ ଉପସ୍ଥାପନା କରାଯାଇଥିଲା।
ଏଥିରେ ପର୍ଯ୍ୟଟନ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାରେ ଅଧ୍ୟକ୍ଷତା କରି କହିଥିଲେ, ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି, ରୋଜଗାର ସୃଷ୍ଟି ଓ ଆଞ୍ଚଳିକ ସମୃଦ୍ଧି କ୍ଷେତ୍ରରେ ପର୍ଯ୍ୟଟନ ଏକ ପ୍ରମୁଖ ମାଧ୍ୟମ ସାଜିବାର ସମସ୍ତ ସାମର୍ଥ୍ୟ ରଖିଛି। ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉତ୍କୃଷ୍ଟ ସେବା ଓ ପର୍ଯ୍ୟଟକଙ୍କୁ ଅନନ୍ୟ ଅନୁଭୂତି ପ୍ରଦାନ କରି ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତାମୂଳକ କରିବା ପାଇଁ ସମସ୍ତ ସଂଶ୍ଳିଷ୍ଟ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ମିଳିତ ପ୍ରୟାସ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। କର୍ମଶାଳାରେ ପର୍ଯ୍ୟଟନ ବିଭାଗର ସଚିବ (ଭାରପ୍ରାପ୍ତ) ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ରଙ୍କ ସହ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟସ୍, ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ୍, ଆଡ୍ଭେଞ୍ଚର୍ ଟୁର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ, ଓଡ଼ିଶା ଆସୋସିଏସନ୍ ଅଫ୍ ଟୁର୍ ଅପରେଟର୍ସ ଓ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶାର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହି ଆଲୋଚନା କରିଥିଲେ।
ସୌଜନ୍ୟ ସମ୍ବାଦ




