Site icon Swayam News

‌Goa nightclub fire: ଗୋଆ ନାଇଟକ୍ଲବ୍‌ ଅଗ୍ନିକାଣ୍ଡ: ଦିଲ୍ଲୀରେ ଗିରଫ ହେଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ: ଗୋଆର ‘ବର୍ଚ ବାଏ ରୋମିଓ ଲେନ୍‌’ ନାଇଟ କ୍ଲବ୍‌ର ସହ ମାଲିକ ସୌରଭ ଲୁଥ୍ରା ଓ ଗୌରଭ ଲୁଥ୍ରା ଆଜି ଥାଇଲାଣ୍ଡରୁ ପ୍ରତ୍ୟର୍ପିତ ହେବାପରେ ଦିଲ୍ଲୀ‌ରେ ଆସି ପହଞ୍ଚିଛନ୍ତି। ଲୁଥ୍ରା ବ୍ରଦର୍ସ ବିମାନବନ୍ଦରରେ ପହଞ୍ଚିବାପରେ ସେମାନଙ୍କୁ ଗୋଆ ପୁଲିସର ଏକ ଟିମ୍‌ ଗିରଫ କରିଛି। ସେମାନଙ୍କୁ ଗୋଆ ନେବା ପୂର୍ବରୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା।  ଉଲ୍ଲେଖଯୋଗ୍ୟ,  ଡିସେମ୍ବର ୬ ତାରିଖରେ ‘ବର୍ଚ ବାଏ ରୋମିଓ ଲେନ୍‌’ରେ  ହୋଇଥିବା ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା।  ଏହି ଘଟଣାର ଠିକ୍‌ ୯୦ ମିନିଟ୍‌ ପରେ ଦିଲ୍ଲୀର ଏହି ବ୍ୟବସାୟୀ ଲୁଥ୍ରା ବ୍ରଦର୍ସ ଦେଶ ଛାଡ଼ି ଥାଇଲାଣ୍ଡର ଫୁକେଟ ଚାଲି ଯାଇଥିଲେ। ସେମାନଙ୍କ ବିରୋଧରେ ଇଣ୍ଟରପୋଲ୍‌ ବ୍ଲୁ କର୍ନର ନୋଟିସ୍‌ ଜାରି କରିଥିଲା। ଉଭୟଙ୍କୁ ଡିସେମ୍ବର ୧୧ ତାରିଖରେ ଥାଇ କର୍ତ୍ତୃପକ୍ଷ ଅଟକ ରଖିଥିଲେ ଏବଂ ଏହାପ‌ରେ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ।  ଏହି ପ୍ରକ୍ରିୟା ସମୟ‌ରେ ଭାରତୀୟ କର୍ତ୍ତୃପକ୍ଷମାନେ ଥାଇ ସରକାରଙ୍କ ସହ ଯୋଗାଯୋଗରେ ଥିଲେ।

ଲୁଥ୍ରା ବ୍ରଦର୍ସଙ୍କୁ ଗିରଫ କରିବା ପୂର୍ବରୁ ଗୋଆ ପୁଲିସ ଏହି ମାମଲାରେ  କ୍ଲବ୍‌ର ୫ ଜଣ ମ୍ୟାନେଜର ଏବଂ ଷ୍ଟାଫ ସଦସ୍ୟଙ୍କୁ ଗିରଫ କରିଥିଲା।  ଗତ ସପ୍ତାହରେ ଦିଲ୍ଲୀ କୋର୍ଟ ଏହି ମାମଲାରେ ‌‌ସୌରଭ ଏବଂ ଗୌରବ ଲୁଥ୍ରାଙ୍କୁ ଗିରଫ କବଳରୁ ଅନ୍ତରୀଣ ସୁରକ୍ଷା ଦେବାପାଇଁ ମନା କରିଦେଇଥିଲେ।  ଘୋର ସୁରକ୍ଷା ଅବହେଳା ଯୋଗୁ ଏତେବଡ଼ ଦୁର୍ଘଟଣା ଘଟିଗଲା ବୋଲି ଅଭିଯୋଗ ହୋଇଛି। କର୍ତ୍ତୃପକ୍ଷ  କହିଛନ୍ତି, ନାଇଟ୍‌ କ୍ଲବ୍‌ରୁ ନିଆଁ ଲିଭିନଥିବା ବେଳେ ସୌରଭ ଏବଂ ଗୌରବ ଲୁଥ୍ରା ଭୋର୍‌ ୧.୧୭ ସମୟରେ ଥାଇଲାଣ୍ଡକୁ ଟିକେଟ ବୁକ୍‌ କରିଥିଲେ ଏବଂ ସେହି ଦିନ ସକାଳ ୫.୩୦ ସମୟରେ ସେମାନେ ଥାଇଲାଣ୍ଡ ଯାଇଥିଲେ। ଏହାର ୨୪ ଘଣ୍ଟା ପରେ ଲୁଥ୍ରା ବ୍ରଦର୍ସଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି ହୋଇଥିଲା।  ଉକ୍ତ ମାମଲା‌ରେ ସମସ୍ତ ପ୍ରାଥମିକ ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଛି ଏବଂ ଆଇନ ଅନୁଯାୟୀ ପରବର୍ତ୍ତୀ ତଦନ୍ତ ଜାରି ରହିଛି।

ସୌଜନ୍ୟ ସମ୍ବାଦ

Exit mobile version