Site icon Swayam News

Goa’s film festival: ଗୋଆରେ ଚଳଚ୍ଚିତ୍ରର ମହାକୁମ୍ଭ

ପାଣାଜୀରୁ ବସନ୍ତରାଜ ସାହୁ

ଗୋଆର ରାଜପଥରେ ଆକର୍ଷଣୀୟ କାର୍ଣ୍ଣିଭାଲ୍ ସହ ଆରମ୍ଭ ହୋଇଥିବା ୫୬ତମ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କେବଳ ଆମ ଦେଶର ନୁହେଁ, ବିଶ୍ବ ଚଳଚ୍ଚିତ୍ରର ଗତକାଲି, ଆଜି ଓ ଆସନ୍ତାକାଲିର ମହାସମାଗମ ଦେଖିବାକୁ ମିଳୁଛି। ନଅ ଦିନର ଏହି ଉତ୍ସବକୁ ତାରକାମାନେ ପହଞ୍ଚିବା ଆରମ୍ଭ କରିଛନ୍ତି। ଆଉ କେତେଜଣ ଆଗାମୀ ଦିନର ତାରକା ମଧ୍ୟ ଏଠାକୁ ନିଜର ସ୍ବପ୍ନ ପୂରଣ କରିବାକୁ ଧାଇଁ ଆସିଛନ୍ତି।

କାନ୍‌କୁ ଅତିକ୍ରମ କରିବାର ମହତ୍ତ୍ବାକାଂକ୍ଷା!
ଉଦ୍‌ଘାଟନୀ ସମାରୋହରେ ଏହି ମହୋତ୍ସବର ନିର୍ଦେଶକ ଶେଖର କପୁର କହିବାର ଶୁଣିବାକୁ ମିଳିଲା ଯେ ଗୋଆ ଚଳଚ୍ଚିତ୍ର ମହୋତ୍ସବ ଖୁବ୍ ଶୀଘ୍ର କାନ୍ ମହୋତ୍ସବକୁ ଅତିକ୍ରମ କରିବାକୁ ଯାଉଛି। କଥାଟି ପ୍ରଥମେ ଟିକେ ଅବାସ୍ତବ ମନେ ହେଲେ ବି ଏହି ମହୋତ୍ସବର ବିଶାଳତା ଓ ପରିକଳ୍ପନାରେ ଆତ୍ମବିଶ୍ବାସର ଝଲକ  ସ୍ପଷ୍ଟ ବାରି ହୋଇ ପଡୁଛି। ଗୋଆର ବିଭିନ୍ନ ସ୍ଥାନରେ ଥିବା ସାତଟି ସିନେମା ହଲ୍ ସମେତ ସମୁଦ୍ର କୂଳର ଅସ୍ଥାୟୀ ପରଦାରେ ୮୦ଟି ଦେଶର ୨୭୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବାର ଅଛି। ଏଥର ମହିଳା ସିନେ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିବା ଲାଗି ୫୦ଟି ମହିଳା ନିର୍ଦେଶକଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ର ଏହି ମହୋତ୍ସବର ଅଂଶ ହୋଇଛି। ଦେଶର ପ୍ରଥମ ଏଆଇ ଚଳଚ୍ଚିତ୍ର ମହୋତ୍ସବ ମଧ୍ୟ ଏଥର ଆୟୋଜିତ ହେଉଛି। ଏଥିରେ ମାନବିକ ସୃଜନଶୀଳତା ସହିତ କୃତ୍ରିମ ବୁଦ୍ଧିମତ୍ତାର ମିଳିତ ସମ୍ଭାବନାର ଅନ୍ବେଷଣ ଚାଲିଛି। ଶ୍ରେଷ୍ଠ ଏଆଇ କ୍ଷୁଦ୍ର ଚଳଚ୍ଚିତ୍ରକୁ ତିନି ଲକ୍ଷ ଟଙ୍କାର ପୁରସ୍କାର ମିଳିବ।

ସିନେମାର କ୍ରୀଡ଼ାଭୂମି- ‘କଳାଭୂମି’ 
ଚଳଚ୍ଚିତ୍ର ନିର୍ମାଣ ଶିଖିବାକୁ ଓ ନିର୍ମାଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହି ମହୋତ୍ସବର ସବୁଠାରୁ ଆକର୍ଷଣୀୟ ସ୍ଥାନ ହେଉଛି କଳାଭୂମି। ପ୍ରଥମ ଦିନରେ ଏଠାରେ ପିତା-ପୁତ୍ର ସିନେ ନିର୍ମାତା ମୁଜଫର ଅଲୀ ଓ ସାଦ ଅଲୀ ଭାରତୀୟ ସିନେମାର ବିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଥିଲେ ତ ପ୍ରବୀଣ ଅଭିନେତ୍ରୀ ଖୁସବୁ ସୁନ୍ଦର ଓ ସୁହାସିନୀ ମଣିରତ୍ନମ୍ ଅଭିନୟର ସ୍ଥୂଳ ଓ ସୂକ୍ଷ୍ମ ଦକ୍ଷତା ଶିଖାଇଥିଲେ। ଅନ୍ୟ ପଟେ ‘କ୍ରିଏଟିଭ୍ ମାଇଣ୍ଡ୍‌ସ ଅଫ ଟୁମରୋ’ ଚ୍ୟାଲେଞ୍ଜର ଅୟମାରମ୍ଭ ହେଲା, ଯେଉଁଥିରେ ୧୨୫ ଜଣ ଯୁବ ପ୍ରତିଭା ୪୮ ଘଣ୍ଟା ମଧ୍ୟରେ ୧୩ଟି ସିନେମା ପ୍ରସ୍ତୁତ କରିବେ। କଳା ଭବନର ଆଉ ଦୁଇଟି ଆକର୍ଷଣ ହେଉଛି ପୁରୁଣା କ୍ୟାମେରା ପ୍ରଦର୍ଶନୀ ଓ ଚଳଚ୍ଚିତ୍ର ସହ ଜଡ଼ିତ ଡାକ ଟିକେଟ ପ୍ରଦର୍ଶନୀ।

ଜୟ-ବୀରୁଙ୍କ ବନ୍ଧୁତାର ପ୍ରତୀକ
ଗୋଆର ପୁରୁଣା ଜିଏମ୍‌ସି ବିଲଡିଂରେ ଥିବା ମହୋତ୍ସବ ମୁଖ୍ୟାଳୟରେ ପ୍ରଦର୍ଶିତ ହେଉଛି ‘ଶୋଲେ
ମୋଟରସାଇକଲ’। ‘ଶୋଲେ’ ଚଳଚ୍ଚିତ୍ରର ‘ୟେ ଦୋସ୍ତି…’ ଗୀତରେ ‘ଏମ୍‌ୱାଇବି ୩୦୪୭’ ନମ୍ବର ସଂବଳିତ ଏହି ‘ବିଏସ୍ଏ ଡବ୍ଲୁଏମ୍୨୦’ ମଡେଲ୍ ବାଇକ୍‌ଟି ବ୍ୟବହୃତ ହୋଇଥିଲା।

ମହୋତ୍ସବର ଦୈନିକ ପତ୍ରିକା
ଏହି ମହୋତ୍ସବର ପ୍ରଥମ ଦିନରୁ ଏକ ଟାବ୍‌ଲଏଡ୍ ପତ୍ରିକାର ପ୍ରକାଶନ ଆରମ୍ଭ ହୋଇଛି, ଯାହାର ନାମ ‘ଇଫିଲୋଏଡ୍’। ଏଥିରେ ମହୋତ୍ସବର ପ୍ରମୁଖ ଖବର ସବୁ ଆକର୍ଷଣୀୟ ଢଙ୍ଗରେ ପ୍ରକାଶ ପାଉଛି।

 

ସୌଜନ୍ୟ – ସମ୍ବାଦ

Exit mobile version