Good news for govt employees : ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏଣିକି ପରୀକ୍ଷା କିମ୍ବା ଚାକିରି ପାଇଁ NOC ଆବେଦନ କରିବାକୁ ପଡ଼ିବନି। ସରକାରୀ କର୍ମଚାରୀଙ୍କ ପାଇଁ ସ୍ଥାୟୀ ଅନୁମତି ଜାରି କରିଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ UPSC, OPSC, SSC ପରିଚାଳିତ ବିଭିନ୍ନ ପରୀକ୍ଷା ଦେବାକୁ କର୍ମଚାରୀମାନଙ୍କୁ ବିଭାଗୀୟ ଅନୁମତି ବା ‘ନୋ ଅବଜେକ୍ସନ ସାର୍ଟିଫିକେଟ ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ୁଥିଲା। ବର୍ତ୍ତମାନଠୁ ବିଭାଗ ଅଧୀନରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଏକ ସ୍ଥାୟୀ ଅନୁମତି ଭାବରେ କାର୍ଯ୍ୟ କରିବ।

କର୍ମଚାରୀମାନେ ଚାହିଁଲେ ଏହି ସରକାରୀ ଚିଠିକୁ ବିଭିନ୍ନ ନିଯୁକ୍ତି ସଂସ୍ଥା କିମ୍ବା ଭବିଷ୍ୟତର ନିଯୁକ୍ତିଦାତାଙ୍କ ନିକଟରେ NOC ଭାବେ ଉପସ୍ଥାପନ କରିପାରିବେ। ଏହାଦ୍ୱାରା ସରକାରୀ କାର୍ଯ୍ୟାଳୟରେ ଫାଇଲ୍ କାମ କମିବା ସହ କର୍ମଚାରୀମାନଙ୍କର ସମୟ ବି ବଞ୍ଚିପାରିବ। ତେବେ ଏହି ସୁବିଧା ପାଇବା ସହିତ କର୍ମଚାରୀମାନଙ୍କୁ କିଛି ନିର୍ଦ୍ଦିଷ୍ଟ ନିୟମ ମାନିବାକୁ ପଡ଼ିବ। ପରୀକ୍ଷା ପାଇଁ ପ୍ରସ୍ତୁତି କିମ୍ବା ଆବେଦନ ସମୟରେ କୌଣସି କର୍ମଚାରୀ ନିଜ ସରକାରୀ ଦାୟିତ୍ୱରେ ଅବହେଳା କରିପାରିବେ ନାହିଁ।

ଜଣେ କର୍ମଚାରୀ ପରୀକ୍ଷା କିମ୍ବା ସାକ୍ଷାତକାର ପାଇଁ ଯାଉଥିଲେ, ତାଙ୍କୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ଓ ମୁଖ୍ୟାଳୟ ଛାଡ଼ିବା ପାଇଁ ଅନୁମତି ନେବାକୁ ପଡ଼ିବ। ନିଜ ଆଡମିଟ୍ କାର୍ଡ କିମ୍ବା ସମ୍ପୃକ୍ତ ଦଲିଲ ଦାଖଲ କରିବାକୁ ହେବ। ଜଣେ କର୍ମଚାରୀ ଅନ୍ୟ ଏକ ଚାକିରି ପାଇଁ ମନୋନୀତ ହେଲେ ତାଙ୍କୁ ପୂର୍ବପରି ନିଜ ବିଭାଗରୁ ରିଲିଭ୍ ଅନୁମତି ମାଗିବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସରକାରୀ କର୍ମଚାରୀ ସ୍ୱାଗତ କରିଛନ୍ତି।

 

 

ସୌଜନ୍ୟ OTV