GST: ଜିଏସ୍‌ଟି କ୍ଷତିପୂରଣ: ଓଡ଼ିଶା ପାଇଛି ୩୦,୨୩୧ କୋଟି

୨୦୧୭ ଜୁଲାଇରୁ ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରଚଳନ ହୋଇଥିଲା। ସବୁ ପରୋକ୍ଷ ଟିକସଗୁଡ଼ିକୁ ମିଶାଇ ଏହି ଏକକ ଟିକସର ପରିକଳ୍ପନା କରାଯାଇଥିଲା। ତେବେ ଏହି ସଂସ୍କାର ଦ୍ବାରା ରାଜ୍ୟଗୁଡ଼ିକ ସହିବାକୁ ଥିବା କ୍ଷତିକୁ ଭରଣା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ।

ଭୁବନେଶ୍ବର: ୨୦୧୭ ଜୁଲାଇରୁ ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରଚଳନ ହୋଇଥିଲା। ସବୁ ପରୋକ୍ଷ ଟିକସଗୁଡ଼ିକୁ ମିଶାଇ ଏହି ଏକକ ଟିକସର ପରିକଳ୍ପନା କରାଯାଇଥିଲା। ତେବେ ଏହି ସଂସ୍କାର ଦ୍ବାରା ରାଜ୍ୟଗୁଡ଼ିକ ସହିବାକୁ ଥିବା କ୍ଷତିକୁ ଭରଣା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ଉତ୍ତର ଅନୁସାରେ ୫ ବର୍ଷ ପାଇଁ କେନ୍ଦ୍ରଠାରୁ ଜିଏସ୍‌ଟି କ୍ଷତିପୂରଣ ବାବଦ‌ରେ ରାଜ୍ୟ ସରକାର ୩୦,୨୩୧.୧୪ କୋଟି ଟଙ୍କା ପାଇଛନ୍ତି। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ସବୁ କ୍ଷତିପୂରଣ ଦିଆଯାଇଛି। ଏହି ଅବଧିରେ ଓଡ଼ିଶା ପାଇଁ ୯୮,୨୩୯.୮୦ କୋଟି ଟଙ୍କାର ସୁନିଶ୍ଚିତ ରାଜସ୍ବ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେଥିରୁ ରାଜ୍ୟରେ ଟିକସ ବାବଦକୁ ୬୮,୦୦୮.୬୬ କୋଟି ଟଙ୍କା ଆଦାୟ ହୋଇଥିଲା। ତେଣୁ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଓଡ଼ିଶା ୩୦,୨୩୧.୧୪ କୋଟି ଟଙ୍କାର ରାଜସ୍ବ କ୍ଷତି ସହିଥିଲା। ସେହି କ୍ଷତିକୁ କେନ୍ଦ୍ର ସରକାର ଭରଣା କରିଛନ୍ତି।

୨୦୧୫-୧୬ ଆର୍ଥିକ ବର୍ଷରେ ସରକାର ଜିଏସ୍‌ଟିରେ ମିଶ୍ରଣ ଘଟିଥିବା ବାବଦକୁ ୧୧,୦୪୯.୩୪ କୋଟି ଟଙ୍କା ପାଇଥିଲେ। ୨୦୧୫-୧୬ ଆର୍ଥିକ ବର୍ଷର ସଂଗୃହୀତ ରାଜସ୍ବର ୧୪ ପ୍ରତିଶତ ଅଭିବୃଦ୍ଧି ଅନୁସାରେ ୨୦୧୭-୧୮ ପାଇଁ ସୁନିଶ୍ଚିତ ରାଜସ୍ବ ଲକ୍ଷ୍ୟ ୧୦,୭୬୯.୭୯ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ରାଜ୍ୟ ସରକାର ୮୪୨୧.୭୧ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରିଥିଲେ। ସେହିପାଇଁ ସେହି ଆର୍ଥିକ ବର୍ଷ ବାବଦରେ ଓଡ଼ିଶାକୁ ୨୩୪୮.୦୮ କୋଟି ଟଙ୍କାର କ୍ଷତିପୂରଣ ମିଳିଥିଲା। ୨୦୧୮-୧୯ର ଧାର୍ଯ୍ୟ ଲକ୍ଷ୍ୟ ୧୬,୩୭୦.୦୮ କୋଟି ଟଙ୍କା ଥିଲା। ଆଦାୟ ରାଶି ୧୨,୧୨୯ କୋଟି ଟଙ୍କା ରହିବାରୁ ୪୨୪୧.୦୮ କୋଟି ଟଙ୍କାର କ୍ଷତିପୂରଣ ମିଳିଥିଲା।

ସେହିପରି, ୨୦୧୯-୨୦ର ଧାର୍ଯ୍ୟ ଲକ୍ଷ୍ୟ ୧୮,୬୬୧.୮୯ କୋଟି ଟଙ୍କା ଥିଲା। ସରକାର ୧୩,୩୨୯.୯୭ କୋଟି ଟଙ୍କା ସଂଗ୍ରହ କରିବାରୁ ୫୩୩୧.୯୨ କୋଟି ଟଙ୍କାର କ୍ଷତିପୂରଣ ପାଇଥିଲେ। ୨୦୨୦-୨୧ରେ ଧାର୍ଯ୍ୟ ଲକ୍ଷ୍ୟ ୨୧,୨୭୪.୫୫ କୋଟି ଟଙ୍କା ଥିଲା। ଆଦାୟ ରାଶି ୧୩,୨୦୯.୧୩ କୋଟି ଟଙ୍କା ହେବାରୁ ୪୨୪୩.୪୨ କୋଟି ଟଙ୍କାର କ୍ଷତିପୂରଣ ମିଳିଥିଲା। ପଛକୁ ପଛ ଋଣ ଆକାରରେ ସେହିବର୍ଷ ସରକାର ୩୮୨୨ କୋଟି ଟଙ୍କା ପାଇଥିଲେ। ଫଳରେ ଉକ୍ତ ଆର୍ଥିକ ବର୍ଷରେ ମିଳିଥିବା ମୋଟ୍‌ କ୍ଷତିପୂରଣ ପରିମାଣ ୮୦୬୫.୪୨ କୋଟି ଟଙ୍କା ହୋଇଥିଲା। ୨୦୨୧-୨୨ରେ କ୍ଷତିପୂରଣ ବାବଦକୁ ୭୭୧୬.୩୮ କୋଟି ଟଙ୍କା ଓ ଋଣ ବାବଦରେ ୬୪୩୦.୨୦ କୋଟି ଟଙ୍କା ମିଳିଥିଲା। ୨୦୨୨-୨୩ରେ ରାଜ୍ୟକୁ ୨୫୨୮.୨୬ କୋଟି ଟଙ୍କାର କ୍ଷତିପୂରଣ ମିଳିଥିଲା।

ସୌଜନ୍ୟ ସମ୍ବାଦ

Exit mobile version