ଗୁରୁଗ୍ରାମ: ହରିୟାଣା ଗୁରୁଗ୍ରାମର ଗଲ୍ଫ କୋର୍ସ ରୋଡ୍ରେ ମହିଳା ବାଇକ୍ ଚାଳକଙ୍କୁ କାର୍ରେ ଧକ୍କା ଦେଇ ଫେରାର ହୋଇଯାଇଥିବା ଅଭିଯୁକ୍ତ କଲ୍ୟାଣ ବାଇନ୍ସଲାଙ୍କୁ ପୁଲିସ ମଙ୍ଗଳବାର ରାଜସ୍ଥାନରୁ ଗିରଫ କରିଛି। ରାଜସ୍ଥାନର ରାଜଗଡ଼ରୁ ତାଙ୍କୁ ଧରାଯାଇଥିବା ଗୁରୁଗ୍ରାମ ପୁଲିସ କମିସନର ଶିବାଶ କବିରାଜ କହିଛନ୍ତି। ମାମଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୯ ଅନୁଯାୟୀ ହତ୍ୟା ଉଦ୍ୟମ ଅଭିଯୋଗ ମଧ୍ୟ ଯୋଡ଼ାଯାଇଛି। ଏହି ଧାରାରେ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି।
ଘଟଣାଟି ରବିବାର ସକାଳେ ଗଲ୍ଫ କୋର୍ସ ରୋଡ୍ରେ ଘଟିଥିଲା। ସିଆ ନାମରେ ସାମାଜିକ ଗଣମାଧ୍ୟମରେ ପରିଚିତା ଜଣେ ଯୁବତୀ ତାଙ୍କ ଆପ୍ରିଲିଆ ଆର୍ଏସ୍ ୪୫୭ ସ୍ପୋର୍ଟ୍ସ ବାଇକ୍ରେ ଅନ୍ୟ ବାଇକ୍ ଚାଳକଙ୍କ ସହ ଯାଉଥିବା ବେଳେ ଏକ ଧଳା କାର୍ ତାଙ୍କ ନିକଟକୁ ଆସିଥିଲା। ସିଆଙ୍କ ଅଭିଯୋଗ ଅନୁଯାୟୀ, କାର୍ରେ ଥିବା ବ୍ୟକ୍ତିମାନେ ତାଙ୍କୁ ଅଟକିବାକୁ ସଙ୍କେତ ଦେଇଥିଲେ। ସେ ଦୂରତା ବଜାୟ ରଖିବାକୁ କହିଥିଲେ ମଧ୍ୟ କାର୍ଟି ତାଙ୍କୁ ପିଛା କରିଥିଲା। ପରେ କାର୍ଟି ତାଙ୍କ ବାଇକ୍କୁ ଧକ୍କା ଦେବାରୁ ସେ ରାସ୍ତାରେ ଛିଟିକି ପଡ଼ିଥିଲେ ଏବଂ ବାଇକ୍ଟି କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା। ତେବେ ସେ ସାମାନ୍ୟ ଆହତ ହୋଇଥିଲେ। ଘଟଣାର ଭିଡିଓ ତାଙ୍କ ବାଇକ୍ରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିଲା ଏବଂ ପରେ ତାହା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।
ରାଜସ୍ଥାନରୁ ଧରିଲା ପୁଲିସ; ହତ୍ୟା ଉଦ୍ୟମ ଧାରା ଲାଗିଲା
ପ୍ରଥମେ ଗୁରୁଗ୍ରାମର ସେକ୍ଟର-୫୬ ଥାନାରେ କଲ୍ୟାଣଙ୍କ ବିରୋଧରେ ବିଏନ୍ଏସ୍ର ଧାରା ୨୮୧ (ବେପରୁଆ ଗାଡ଼ିଚାଳନା) ଓ ୧୨୫ (ଆଘାତ ଦେବା)ରେ ମାମଲା ରୁଜୁ ହୋଇଥିଲା। ଘଟଣାର ଭିଡିଓ, ସିସିଟିଭି ଫୁଟେଜ୍ ଓ ଅନ୍ୟ ତଥ୍ୟ ଯାଞ୍ଚ ପରେ ପୁଲିସ ହତ୍ୟା ଉଦ୍ୟମ ଧାରା ଯୋଡ଼ିଥିଲା। ମାମଲାର ତଦନ୍ତ ଏବେ ଜାରି ରହିଛି। ଅଭିଯୁକ୍ତ ବାଇନ୍ସଲା ଏହା ଜାଣିଶୁଣି କରିନଥିବା କହିଥିଲେ। ତାଙ୍କ କହିବା ଅନୁଯାୟୀ, ୟୁ-ଟର୍ଣ୍ଣ ନିକଟରେ ସେ କାର୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଧକ୍କା ହୋଇଥିଲା ଏବଂ ବାଇକ୍ ଚାଳକଙ୍କ ଦଳ ଆକ୍ରମଣ କରିପାରନ୍ତି ବୋଲି ଭୟରେ ସେ ଘଟଣାସ୍ଥଳରୁ ପଳାଇଥିଲେ। ଅନ୍ୟପକ୍ଷରେ ସିଆ ଏହି ଦାବିକୁ ଖଣ୍ଡନ କରି କାର୍ଟି ଜାଣିଶୁଣି ତାଙ୍କ ଆଡ଼କୁ ଆସି ତାଙ୍କୁ ଧକ୍କା ଦେଇଥିବା ଅଭିଯୋଗ କରିଛନ୍ତି। ଏହି କାର୍ଟି ପାଲୱାଲର ବାସିନ୍ଦା ମନୀଷଙ୍କ ନାମରେ ପଞ୍ଜୀକୃତ। ମନୀଷ କହିଛନ୍ତି ଯେ ଘଟଣା ସମୟରେ ସେ କାର୍ ଚଳାଉନଥିଲେ ଏବଂ କଲ୍ୟାଣ ତାଙ୍କଠାରୁ କାର୍ ନେଇଥିଲେ। ପୁଲିସ ଏବେ ଘଟଣାର ସମସ୍ତ ପକ୍ଷର ଯାଞ୍ଚ କରୁଛି।
ସୌଜନ୍ୟ ସମ୍ବାଦ