Indian-origin: ନ୍ୟୁୟର୍କରେ ରେଳଧାରଣା ଉପରେ ବସିଥିଲେ ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ବନ୍ଧୁ: ଟ୍ରେନ୍ ଧକ୍କାରେ ଉଭୟ ମୃତ
ନ୍ୟୁୟର୍କର ଲୋୟର ମ୍ୟାନ୍ହାଟନ୍ସ୍ଥିତ ସ୍ପ୍ରିଙ୍ଗ୍ ଷ୍ଟ୍ରିଟ୍ ସବ୍ୱେ ଷ୍ଟେସନ୍ରେ ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଜଣେ ୨୪ ବର୍ଷୀୟା ଯୁବତୀ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ନ୍ୟୁଜର୍ସିର ଡେଟନ୍ ଅଞ୍ଚଳର ମଲାଇକା ଚିତ୍ରେ ଓ ସେରେଭିଲ୍ର ନବମ କୌଲ।

ନ୍ୟୁୟର୍କ: ନ୍ୟୁୟର୍କର ଲୋୟର ମ୍ୟାନ୍ହାଟନ୍ସ୍ଥିତ ସ୍ପ୍ରିଙ୍ଗ୍ ଷ୍ଟ୍ରିଟ୍ ସବ୍ୱେ ଷ୍ଟେସନ୍ରେ ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଜଣେ ୨୪ ବର୍ଷୀୟା ଯୁବତୀ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ନ୍ୟୁଜର୍ସିର ଡେଟନ୍ ଅଞ୍ଚଳର ମଲାଇକା ଚିତ୍ରେ ଓ ସେରେଭିଲ୍ର ନବମ କୌଲ। ସୋମବାର ଭୋର ପ୍ରାୟ ୩ଟା ୧୪ରେ ଏହି ଘଟଣା ଘଟିଥିବା ନ୍ୟୁୟର୍କ ପୁଲିସ କହିଛି। ନମ୍ବର-୪ ସବ୍ୱେ ଟ୍ରେନ୍ଟି ଷ୍ଟେସନ୍ରେ ପ୍ରବେଶ କରିବା ବେଳେ ଦୁଇଜଣ ରେଳଧାରଣା ଉପରେ ଥିଲେ। ଟ୍ରେନ୍ ଧକ୍କାରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା।
ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ
ଘଟଣାର କିଛି ସମୟ ପୂର୍ବର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଏଥିରେ ମଲାଇକା ଓ ନବମ ରେଳଧାରଣା ଉପରେ ବସିଥିବା ଦେଖାଯାଉଛି। ଟ୍ରେନ୍ର ଚାଳକ ଦୁଇଜଣଙ୍କୁ ଦେଖି ଜରୁରୀ ବ୍ରେକ୍ ଲଗାଇଥିଲେ ମଧ୍ୟ ଟ୍ରେନ୍କୁ ଅଟକାଇ ପାରିନଥିଲେ। ଟ୍ରେନ୍ରେ ଥିବା ପ୍ରାୟ ୧୦୦ ଯାତ୍ରୀଙ୍କୁ ପରେ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ମଲାଇକା ଓ ନବମ ଉଭୟେ ରଟଗର୍ସ ବିଶ୍ୱବିଦ୍ୟାଳୟରୁ ୨୦୨୪ରେ ଶିକ୍ଷା ଶେଷ କରିଥିଲେ। ମଲାଇକା ଆକାଡିଆ ଫାର୍ମାସ୍ୟୁଟିକାଲ୍ସରେ କାର୍ଯ୍ୟ କରୁଥିଲେ ଏବଂ ଟେମ୍ପଲ୍ ବିଶ୍ୱବିଦ୍ୟାଳୟରେ ଡକ୍ଟର ଅଫ୍ ଫାର୍ମାସି ପାଠ୍ୟକ୍ରମ ଆରମ୍ଭ କରିଥିଲେ। ନବମ ରଟଗର୍ସ ବିଜନେସ୍ ସ୍କୁଲ୍ରୁ ଫାଇନାନ୍ସରେ ଶିକ୍ଷା ଶେଷ କରି ବ୍ଲୁମ୍ବର୍ଗରେ ଫାଇନାନ୍ସିଆଲ୍ ଡାଟା ଆନାଲିଷ୍ଟ ଭାବେ କାମ କରୁଥିଲେ। ତେବେ ଦୁଇଜଣ ରେଳଧାରଣା ଉପରକୁ କିପରି ଗଲେ ଏବଂ କାହିଁକି ସେଠାରେ ବସିଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ଏହାର ତଦନ୍ତ କରୁଛି। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ତେଣୁ ଏହା ଦୁର୍ଘଟଣା ଥିଲା ନା ଅନ୍ୟ କୌଣସି କାରଣ ଥିଲା, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ସୌଜନ୍ୟ ସମ୍ବାଦ



