Heavy Rain Alert: ବଳ ଗୋଟାଉଛି ଘୂର୍ଣ୍ଣିବଳୟ, ୧୯ରେ ଲଘୁଚାପ; ୨୨ରୁ ବଢ଼ିବ ବର୍ଷା, ୪ ଦିନ ପ୍ରବଳ ଛେଚିବ

ଭୁବନେଶ୍ୱର,୧୯/୦୯ : ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୨୨ ତାରିଖରୁ ବର୍ଷା ଆରମ୍ଭ ହେବ। ପ୍ରଥମେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ୨୩ରୁ ବର୍ଷା ପ୍ରକୋପ ବଢ଼ିବ। ୨୫ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ।
ଭୁବନେଶ୍ଵର ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରକୁ ଆସିପାରେ। ଏହା ୧୯ ସନ୍ଧ୍ୟା ସୁଦ୍ଧା ସେଇ ଅଞ୍ଚଳରେ ଲଘୁଚାପ ରୂପ ନେଇପାରେ। ଏହା ଘନୀଭୂତ ହୋଇ ପରବର୍ତ୍ତୀ ୩-୪ ଦିନ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଦିଗରେ ମୁହାଁଇବ।ଏହା ପ୍ରଭାବରେ ୨୨ରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ୨୩ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଆଶଙ୍କା ରହିଛିI
କୃଷି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ୨୨ରୁ ବର୍ଷା ଆରମ୍ଭ ହେବ। ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାପାତ ସମ୍ଭାବନା ଅଛି। କିନ୍ତୁ,ବାତ୍ୟା ସମ୍ଭାବନାକୁ ଏବେ ବି ବାଦ୍ ଦିଆଯାଇପାରୁନି। ଗତିପଥ,ଉପକୂଳ ଅତିକ୍ରମ ସ୍ଥାନ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପାଣିପାଗ ବୈଜ୍ଞାନିକ ବିଶ୍ବଜିତ ସାହୁ ମଧ୍ଯ କହିଛନ୍ତି,ରାଜ୍ୟରେ ୨୨ରୁ ବର୍ଷା ଆରମ୍ଭ ହୋଇପାରେ । ୨୫ ଯାଏ ରାଜ୍ୟରେ ବର୍ଷା ପ୍ରକୋପ ଅଧିକ ରହିପାରେ।
ସୌଜନ୍ୟ ପ୍ରମେୟ




