କଟକ: ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ବେଳେ ଆଇନରେ ଥିବା ବ୍ୟବସ୍ଥା ପୁଲିସ ଅଧିକାରୀ ପାଳନ ନ କରିବା ଘଟଣାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବେଆଇନ ଗଞ୍ଜେଇ ଚାଲାଣ ନେଇ ମାଲକାନଗିରିଜିଲ୍ଲା ପଡ଼ିଆ ଥାନାରେ ରୁଜୁ ମାମଲାରେ ଗିରଫ ନାଜିମ ମଲ୍ଲିକଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ୧ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଆବେଦନକାରୀଙ୍କୁ ଜାମିନରେ ଛାଡ଼ିବାକୁ ମାଲକାନଗିରି ସ୍ବତନ୍ତ୍ର ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନାଜିମଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଅନ୍ୟପଟେ ଏହି ମାମଲାର ତଦନ୍ତକାରୀ ଅଧିକାରୀ ତଥା ପଡ଼ିଆ ଥାନାର ତତ୍କାଳୀନ ଡିଏସ୍ପି ରାମେଶ୍ବର ପ୍ରଧାନ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହେବା ସହିତ ସତ୍ୟପାଠ ଦାଖଲ କରି କ୍ଷମା ପ୍ରାର୍ଥନା କରିଛନ୍ତି। ତାଙ୍କ ତରଫରୁ ପୂର୍ବରୁ ପ୍ରଦାନ କରାଯାଇଥିବା ଲିଖିତ ତଥ୍ୟରେ ଅପମାନଜନକ ଓ ଅଶୋଭନୀୟ ଶବ୍ଦ ବ୍ୟବହାର କରାଯାଇଥିବା ପ୍ରସଙ୍ଗରେ ସେ କ୍ଷମା ପ୍ରାର୍ଥନା କରିଥିଲେ। ଏଭଳି ଭାଷା ପ୍ରୟୋଗ କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା। ଭବିଷ୍ୟତରେ ସେ ଯତ୍ନବାନ ହେବେ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ହାଇକୋର୍ଟ ସତ୍ୟପାଠକୁ ଗ୍ରହଣ କରି ତାଙ୍କୁ ଭବିଷ୍ୟତରେ ଯତ୍ନବାନ ରହିବାକୁ ତଥା ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥି ପାଇଁ ସତର୍କ କରାଇଛନ୍ତି।
ହାଇକୋର୍ଟ କହିଛନ୍ତି ଯେ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଗିରଫ ବ୍ୟକ୍ତିଙ୍କୁ ଗିରଫଦାରୀର ଆଧାର ସଂକ୍ରାନ୍ତରେ ଗିରଫ କରାଯିବା ପରେ ଓ ଅଦାଲତରେ ହାଜର କରାଯିବାର ଯଥେଷ୍ଟ ପୂର୍ବରୁ ଅବଗତ କରାଯିବ। ଗିରଫଦାରୀର ଆଧାର ସଂକ୍ରାନ୍ତରେ ଅଟକ/ଗିରଫ ବ୍ୟକ୍ତି ବୁଝିପାରୁଥିବା ଭାଷା ଓ ପଢ଼ି ପାରୁଥିବା ଲିପିରେ ଜଣାଇବାକୁ ଗିରଫ କରୁଥିବା ଅଧିକାରୀ ବାଧ୍ୟ। ସମ୍ବିଧାନର ଧାରା ୨୨(୧) ଅନୁସାରେ ଗିରଫ/ଅଟକ ବ୍ୟକ୍ତିଙ୍କୁ ଗିରଫଦାରୀର ଆଧାର ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇ ଦିଆଯିବ। ବିଏନ୍ଏସ୍ର ଧାରା ୪୭ ଅନୁସାରେ ଗିରଫଦାରୀର ଆଧାର ସଂକ୍ରାନ୍ତରେ ଗିରଫ କରୁଥିବା ଅଧିକାରୀ ଅବଗତ କରିବା ବାଧ୍ୟତାମୂଳକ।
ସୌଜନ୍ୟ ସମ୍ବାଦ
