High Court: ଚାମେଲିଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି: ଅନାସ୍ଥା ପ୍ରସ୍ତାବ ନୋଟିସ୍ ରଦ୍ଦ
ମହାକାଳପଡ଼ା ବ୍ଲକ୍ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ଚାମେଲିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସକୁ ଅଦାଲତ ରଦ୍ଦ କରିଦେଇଛନ୍ତି।

କେନ୍ଦ୍ରାପଡ଼ା/କଟକ: ମହାକାଳପଡ଼ା ବ୍ଲକ୍ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ଚାମେଲିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ନୋଟିସକୁ ଅଦାଲତ ରଦ୍ଦ କରିଦେଇଛନ୍ତି। ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟାରେ ଓଡିଶା ଗ୍ରାମ ପଞ୍ଚାୟତ ଆଇନରେ ଥିବ ବ୍ୟବସ୍ଥା ଅନୁପାଳନ କରାଯାଇନଥିବା ଦର୍ଶାଇ ହାଇକୋର୍ଟ ଏ ସମ୍ପର୍କିତ ନୋଟିସ୍ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଛନ୍ତି। ଚାମେଲିଙ୍କ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।
ମହାକାଳପଡ଼ା ବ୍ଲକ୍ ଓ ପୁଲିସ ପ୍ରଶାସନ ସହିତ ବିବାଦକୁ ନେଇ ଚାମେଲି ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲେ। ଏହାରି ଭିତରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଗତ ଅଗଷ୍ଟ ୧୧ ତାରିଖରେ ହାଇକୋର୍ଟ ଉକ୍ତ ମାମଲାର ଶୁଣାଣି କରି ମାମଲାର ରାୟ ପ୍ରକାଶ ପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବ ଭୋଟର ଫଳାଫଳ ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ଅଗଷ୍ଟ ୧୩ ତାରିଖରେ ଅନାସ୍ଥା ଭୋଟ ହୋଇଥିଲେ ବି ଫଳ ପ୍ରକାଶ ପାଇନଥିଲା। ମୋଟ ୨୨ ୱାର୍ଡ ବିଶିଷ୍ଟ ତିଖିରୀ ପଞ୍ଚାୟତର ୨୧ଜଣ ୱାର୍ଡ ସଭ୍ୟ/ସଭ୍ୟା ଅନାସ୍ଥା ଭୋଟରେ ଅଂଶଗ୍ରହଣ କରିଥିଲେ।
ଧର୍ମର ଜୟ ହେଲା: ଚାମେଲି
ଆବେଦନକାରୀ ଦର୍ଶାଇଥିଲେ ଯେ ଅନାସ୍ଥା ପ୍ରସ୍ତାବ ବୈଠକ ସଂପର୍କିତ ନୋଟିସ୍ ତାଙ୍କ ବାପାଙ୍କୁ ପ୍ରଦାନ କରାଯାଇଥିଲା। ସେତେବେଳେ ଆବେଦନକାରୀ ଅନୁପସ୍ଥିତ ଥିଲେ। ତାଙ୍କ ବାପା ନିରକ୍ଷର ହୋଇଥିବାରୁ ଟିପଚିହ୍ନ ଦେଇ ନୋଟିସ୍ ଗ୍ରହଣ କରିଥିଲେ। ନୋଟିସ୍ ସହିତ ପ୍ରସ୍ତାବିତ ସଂକଳ୍ପ ଓ ବିଧିବଦ୍ଧ ଅନୁଜ୍ଞା (ରିଜୋଲ୍ୟୁସନ ଓ ରିକ୍ୟୁଜିସନ)ର କପି ପ୍ରଦାନ କରାଯାଇ ନାହିଁ। କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କୁ ଅବଗତ କରି ରିଜୋଲ୍ୟୁସନ ଓ ରିକ୍ୟୁଜିସନ କପି ପ୍ରଦାନ ପାଇଁ ଅନୁରୋଧ କରିଥିଲେ। କିନ୍ତୁ କୌଣସି ପଦକ୍ଷେପ ନ ନେଇ ଅଗଷ୍ଟ ୧୩ରେ ଅନାସ୍ଥା ପ୍ରସ୍ତାବ ବୈଠକ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା।
ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଧାରା ୨୪(୨)(ସି) ଅନୁସାରେ ନୋଟିସ୍ ସହିତ ପ୍ରସ୍ତାବିତ ସଂକଳ୍ପ ଓ ବିଧିବଦ୍ଧ ଅନୁଜ୍ଞାର କପି ମଧ୍ୟ ପ୍ରଦାନ କରାଯିବା କଥା। କିନ୍ତୁ ଏପରି କରାଯାଇ ନଥିବାରୁ ଅନାସ୍ଥା ପ୍ରସ୍ତାବ ସଂପର୍କିତ ନୋଟିସ୍ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏଥି ସହିତ ନୋଟିସ ପ୍ରଦାନ ଓ ଅନାସ୍ଥା ପ୍ରସ୍ତାବ ଭୋଟ ମଧ୍ୟରେ ୧୫ଦିନ ବ୍ୟବଧାନ ରଖାଯିବା କଥା। ମାତ୍ର ଚାମେଲିଙ୍କ କ୍ଷେତ୍ରରେ ଏପରି ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବା ଆବେଦନକାରୀ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଅନୁପାଳନ କରି ଅନାସ୍ଥା ପ୍ରସ୍ତାବ ବୈଠକ ସଂପର୍କିତ ନୋଟିସ୍ ଜାରି କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ତରଫରୁ ଯୁକ୍ତି ଦର୍ଶାଯାଇଥିଲା। ହାଇକୋର୍ଟଙ୍କ ରାୟ ଆସିବା ପରେ ଧର୍ମର ଜୟ ହେଲା ବୋଲି ଚାମେଲି କହିଛନ୍ତି। ଯେଉଁମାନେ ତାଙ୍କ ବିରୋଧରେ ଲାଗିଛନ୍ତି ସେମାନଙ୍କୁ ଭଗବାନ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ଚାମେଲି କହିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ମାମଲା ପରିଚାଳନା କରୁଥିଲେ।
ସୌଜନ୍ୟ ସମ୍ବାଦ




