High Court order: ଅଦାଲତ ଅବମାନନା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦରମା ଉଠାଇ ପାରିବେ ନାହିଁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଓ କୁଳସଚିବ

କଟକ: ହାଇକୋର୍ଟଙ୍କ ନିର୍ଦ୍ଦେଶ ସଂପୂର୍ଣ୍ଣ କାର୍ଯ୍ୟକାରୀ ନ କରିବା ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି। କର୍ମଚାରୀଙ୍କୁ ଅର୍ଥ ପ୍ରଦାନ ସଂପର୍କିତ ପୂର୍ବ ନିର୍ଦ୍ଦେଶ ପାଳନ ନ ହେବା ପର୍ଯ୍ୟନ୍ତ ଅଦାଲତ ଅବମାନନା ମାମଲାର ପ୍ରତିପକ୍ଷ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଓ କୁଳସଚିବ ସେମାନଙ୍କ ଦରମା ଉଠାଇ ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଯଦି ଆବେଦନକାରୀ କର୍ମଚାରୀଙ୍କୁ ଏ ବାବଦ ଅର୍ଥ ପ୍ରଦାନ କରାଯାଏ, ତେବେ ପ୍ରତିପକ୍ଷ ଆଇନ ଅନୁସାରେ ସେମାନଙ୍କ ଦରମା ଉଠାଇ ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନନ୍ତ କୁମାର ନାୟକଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଯଦି ଦେଇଥିବା ପ୍ରତିଶ୍ରୁତି ପାଳନ କରିବା କ୍ଷେତ୍ରରେ ବିଫଳ ହୁଅନ୍ତି ତେବେ ପ୍ରତିପକ୍ଷ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହେବେ। ଦେଇଥିବା ଭରସା ଅନୁସାରେ ଅର୍ଥ ପ୍ରଦାନ ପର୍ଯ୍ୟନ୍ତ କୁଳପତି ଓ କୁଳସଚିବ ଦରମା ଉଠାଇ ପାରିବେ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଯଦି ଆବେଦନକାରୀଙ୍କୁ ଅର୍ଥ ପ୍ରଦାନ କରାଯାଏ ତେବେ ପ୍ରତିପକ୍ଷ ନିୟମିତ ଦରମା ଉଠାଇବାରେ କିଛି ଅସୁବିଧା ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସଞ୍ଜୀବ ମହାନ୍ତି ମାମଲା ପରିଚାଳନା କରୁଥିଲେ।

 

 

 

 

ସୌଜନ୍ୟ ସମ୍ବାଦ