ଭୁବନେଶ୍ବର: ସାକ୍ଷରତା ହାରରେ ଓଡ଼ିଶା ପଛରେ ପଡ଼ିଛି। ଗୋଆ, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ହିମାଞ୍ଚଳ ପ୍ରଦେଶ, ଲାଦାଖ, ତ୍ରିପୁରା, ମିଜୋରାମ, ଚଣ୍ଡିଗଡ଼ ପରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସାକ୍ଷରତା ହାର ଶତ ପ୍ରତିଶତ ହୋଇଛି। ଓଡ଼ିଶା ତଳଆଡ଼ୁ ନବମ ସ୍ଥାନରେ ରହିଛି। ଦୁର୍ବଳ ଭିତ୍ତିଭୂମି ସାଙ୍ଗକୁ ମାନବ ସମ୍ବଳ ଅଭାବ, ପିଲାମାନେ ଅଧାରୁ ପାଠପଢ଼ା ଛାଡ଼ିବା, ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ସ୍ଲୋଗାନ ଠିକ୍ ଭାବେ କାର୍ଯ୍ୟକାରୀ ନ ହେବା ପରି ସମସ୍ୟା ଓଡ଼ିଶାର ସାକ୍ଷାରତା ହାର ବଢ଼ାଇବାରେ ପ୍ରତିବନ୍ଧକ ସାଜିଛି। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସାକ୍ଷରତା ହାର ବୃଦ୍ଧି ପାଇଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ଡ୍ରପ୍ଆଉଟ୍ ହାର ଉଦ୍ବେଗଜନକ ପାଲଟିଛି। ବାଲ୍ୟ ବିବାହ ଓ ଦାଦନ ପରି ସମସ୍ୟା ଏବେ ବି ଜାରି ରହିଛି, ଯାହାକି ଓଡ଼ିଶାର ସାକ୍ଷରତା ହାରକୁ ପଛରେ ପକାଇଛି।
୭ଟି ରାଜ୍ୟର ସାକ୍ଷରତା ହାର ଶତପ୍ରତିଶତ
ଆନ୍ଧ୍ର ସବୁଠୁ ତଳେ, ଓଡ଼ିଶାରେ ୭୯% ସାକ୍ଷର
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଓଡ଼ିଶାର ସାକ୍ଷରତା ହାର ୭୯% ରହିଛି। ଯେତେବେଳେ କି ଆନ୍ଧ୍ରପ୍ରଦେଶର ସାକ୍ଷରତା ହାର ସବୁଠାରୁ କମ୍ ୭୨.୬% ରହିଛି। ଆନ୍ଧ୍ର ଉପରକୁ ବିହାରର ସାକ୍ଷରତା ହାର ୭୪.୩% ରହିଛି। ଓଡ଼ିଶା ସମେତ ୭ଟି ରାଜ୍ୟର ସାକ୍ଷରତା ହାର ୭୫%ରୁ ୮୦% ମଧ୍ୟରେ ରହିଛି। ସେଥିରେ ମଧ୍ୟପ୍ରଦେଶରେ ୭୫.୨%, ରାଜସ୍ଥାନରେ ୭୫.୮%, ଝାଡ଼ଖଣ୍ଡରେ ୭୬.୭%, ତେଲେଙ୍ଗାନାରେ ୭୬.୯%, ଉତ୍ତରପ୍ରଦେଶରେ ୭୮.୨%, ଛତିଶଗଡ଼ରେ ୭୮.୫% ଓ ଓଡ଼ିଶାରେ ୭୯% ରହିଛି। ଗୋଆରେ ସାକ୍ଷରତା ହାର ସର୍ବାଧିକ ୯୯.୭% ରହିଥିବା ବେଳେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ହିମାଚଳ ପ୍ରଦେଶରେ ସାକ୍ଷରତା ହାର ୯୯% ହୋଇଛି। ଅଧିକାଂଶ ରାଜ୍ୟର ସାକ୍ଷରତା ହାର ୮୦%ରୁ ୯୦% ମଧ୍ୟରେ ରହିଛି। ଯେତେବେଳେ କି ମେଘାଳୟ ଓ ମଣିପୁରରେ ୯୦%ରୁ ୯୫% ମଧ୍ୟରେ ଅଛି। ବଡ଼ ରାଜ୍ୟଗୁଡ଼ିକର ସାକ୍ଷରତା ହାର ବଢ଼ିବାରେ ସମସ୍ୟା ହେଉଥିବା ଦେଖିବାକୁ ମିଳିଛି।
ମନ୍ତ୍ରଣାଳୟ ପକ୍ଷରୁ ‘ଏକ୍ସ’ ମାଧ୍ୟମରେ କୁହାଯାଇଛି ଯେ ଜନଭାଗୀଦାର, ସ୍ୱେଚ୍ଛାସେବା ଓ କର୍ତ୍ତବ୍ୟବୋଧ ଦ୍ୱାରା ପରିଚାଳିତ ଏକ ସମ୍ପୂର୍ଣ୍ଣ ସାକ୍ଷର ଭାରତ ଲକ୍ଷ୍ୟ ଏକ ସାମୂହିକ ଜାତୀୟ ବାସ୍ତବତାରେ ପରିଣତ ହେଉଛି। ଏପର୍ଯ୍ୟନ୍ତ ୭ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ନିଜକୁ ସମ୍ପୂର୍ଣ୍ଣ ସାକ୍ଷର ଘୋଷଣା କରିଛନ୍ତି। ଆହୁରି ଅନେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପୂର୍ଣ୍ଣ ସାକ୍ଷରତା ଆଡ଼କୁ ସ୍ଥିର ଭାବରେ ଅଗ୍ରଗତି କରୁଛନ୍ତି। ଭାରତ ଏକ ସଶକ୍ତ, ଅନ୍ତର୍ଭୁକ୍ତ ଓ ଜ୍ଞାନ-ଚାଳିତ ସମାଜ ଆଡ଼କୁ ଆଗକୁ ବଢ଼ିଚାଲିଛି ବୋଲି କୁହାଯାଇଛି।
ସୌଜନ୍ୟ ସମ୍ବାଦ

