ଦେଶ ବିଦେଶ

Putin attend BRICS summit: ନୂଆଦିଲ୍ଲୀ ବ୍ରିକ୍‌ସ ସମ୍ମିଳନୀରେ ଯୋଗ ଦେବେ ପୁଟିନ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅନୁଷ୍ଠିତ ହେବାକୁ ଥିବା ୧୮ତମ ବ୍ରିକ୍‌ସ ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେବେ। କ୍ରେମଲିନ୍‌ର ବରିଷ୍ଠ ସହଯୋଗୀ ୟୁରି ଉସାକୋଭ୍‌ ଏ ସଂକ୍ରାନ୍ତୀୟ ସୂଚନାକୁ ସ୍ପଷ୍ଟ କରିଛନ୍ତି। ଡିସେମ୍ବର ୨୦୨୫ରେ ଭାରତ-ରୁଷ ବାର୍ଷିକ ସମ୍ମିଳନୀ ପାଇଁ ପୁଟିନ ଭାରତ ଗସ୍ତ କରିଥିଲେ ଏବଂ ଏକ ବର୍ଷ ମଧ୍ୟରେ ପୁଟିନଙ୍କର ଏହା ଦ୍ୱିତୀୟ ଭାରତ ଗସ୍ତ ହେବାକୁ ଯାଉଛି। ପଶ୍ଚିମ ଦେଶଗୁଡ଼ିକ ପକ୍ଷରୁ ରୁଷ ଉପରେ ଜାରି ରହିଥିବା ଆର୍ଥିକ କଟକଣା ଓ ବାସନ୍ଦ ନୀତି ମଧ୍ୟରେ ପୁଟିନଙ୍କର ଏହି ଭାରତ ଗସ୍ତ ବିଶ୍ୱ କୂଟନୀତିରେ ମସ୍କୋର ସାମରିକ ଓ ରଣନୈତିକ ଆଭିମୁଖ୍ୟକୁ ଅଧିକ ଦୃଢ଼ କରିବ।

ବ୍ରିକ୍‌ସ ସମ୍ମିଳନୀରେ ପୁଟିନଙ୍କ ଉପସ୍ଥିତି ପଶ୍ଚିମ ଦେଶଗୁଡ଼ିକର ରୁଷ୍‌କୁ ଏକଘରିଆ କରିବା ପ୍ରୟାସ ପ୍ରତି ଏକ ବଡ଼ ଆହ୍ୱାନ ସଦୃଶ ହୋଇଛି।  ପୁଟିନ ଏହି ମଞ୍ଚ ଜରିଆରେ ବ୍ରିକ୍‌ସର ସମ୍ପ୍ରସାରିତ ସଦସ୍ୟ ରାଷ୍ଟ୍ର (ଯେଉଁଥିରେ ବର୍ତ୍ତମାନ ଇଜିପ୍‌ଟ, ଇଥିଓପିଆ, ଇରାନ, ୟୁଏଇ ଓ ଇଣ୍ଡୋନେସିଆ ମଧ୍ୟ ସାମିଲ ଅଛନ୍ତି) ସହ ବାଣିଜ୍ୟିକ ଓ ସାମରିକ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ,  ଭାରତ ସର୍ବଦା ନିଜର ସ୍ୱାଧୀନ ରଣନୀତିକ ଆଭିମୁଖ୍ୟ  ବଜାୟ ରଖି ଆସିଛି, ଯେଉଁଠାରେ ଗୋଟିଏ  ପଟେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ସହ ସମ୍ପର୍କ ବଢ଼ାଉଛି ଏବଂ ଅନ୍ୟପଟେ ନିଜର ପୁରୁଣା ବନ୍ଧୁ ରୁଷ ସହ ମଧ୍ୟ ବିଶେଷ ସମ୍ପର୍କ ରକ୍ଷା କରିଛି।

ସୌଜନ୍ୟ ସମ୍ବାଦ

Show More
Back to top button