Housing Board: ସବୁ ଜିଲ୍ଲାରେ ଆବାସିକ ପ୍ରକଳ୍ପ କରିବ ହାଉସିଂବୋର୍ଡ: ଚଳିତବର୍ଷ ୪ଟି ପ୍ରକଳ୍ପରେ ୬୮୭୭ଟି ଆବାସିକ ୟୁନିଟ୍ ନିର୍ମାଣ ହେବ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ (ଓଏସ୍ଏଚ୍ବି) ପକ୍ଷରୁ ଏପର୍ଯ୍ୟନ୍ତ ୨୧ଟି ଜିଲ୍ଲାରେ ୩୨୩୪୩ଟି ଆବାସିକ ଘର, ଦୋକାନ ଘର ଏବଂ ଜମି ବିକଶିତ କରି ବିକ୍ରି କରାଯାଇଛି। ଏଥିରେ ଆର୍ଥିକ ଅନଗ୍ରସର, ନିମ୍ନ ଆୟ, ମଧ୍ୟମ ଆୟ ଏବଂ ଉଚ୍ଚ ଆୟ ବର୍ଗର ଲୋକଙ୍କ ଚାହିଦାକୁ ନଜରରେ ରଖି ବିଭିନ୍ନ ପ୍ରକଳ୍ପ ହୋଇଛି। ଏଥିରୁ କେବଳ ୨୦ହଜାରରୁ ଅଧିକ ୟୁନିଟ୍ ଭୁବନେଶ୍ବରରେ ନିର୍ମାଣ ହୋଇଛି। ତେଣୁ ଆଗାମୀ ଦିନରେ କେବଳ ଭୁବନେଶ୍ବରକୁ ଫୋକସ୍ ନକରି ରାଜ୍ୟର ୩୦ଟି ଯାକ ଜିଲ୍ଲା ସଦର ମହକୁମାରେ ବିଭିନ୍ନ ଆବାସିକ ପ୍ରକଳ୍ପ କରିବାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।
ଓଏସ୍ଏଚ୍ବି ପକ୍ଷରୁ ଚାଲୁ ରହିଥିବା ଏବଂ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ଅବସରରେ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ବୋର୍ଡ ପକ୍ଷରୁ ଯେଉଁ ସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି ତାକୁ ତୁରନ୍ତ ଶେଷ କରି ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଉ। ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ସମୟରେ ଶେଷ କରିବାକୁ ବୋର୍ଡ ଯୋଜନା ପ୍ରସ୍ତୁତ କରୁ। ବୈଠକରେ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଓଏସ୍ଏଚ୍ବିର ପରିଚାଳନା ନିର୍ଦ୍ଦେଶକ ଗଙ୍ଗାଧର ନାୟକ କହିଥିଲେ ବୋର୍ଡ ପକ୍ଷରୁ ଏବେ ୫୧୭ କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୧୪୮୪ଟି ଆବାସିକ ୟୁନିଟ୍ ସମ୍ବଳିତ ୫ଟି ପ୍ରମୁଖ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି।
ସେହିପରି ୨୦୨୬-୨୭ ଆର୍ଥିକ ବର୍ଷରେ ପ୍ରାୟ ୬,୮୭୭ଟି ଆବାସିକ ୟୁନିଟ୍ ନିର୍ମାଣ ପାଇଁ ୪ଟି ପ୍ରମୁଖ ପ୍ରକଳ୍ପର ପ୍ରସ୍ତାବ ରହିଛି। ସେଗୁଡ଼ିକ ହେଲା ସୁଆଙ୍ଗୋ ପିପିପି ପ୍ରକଳ୍ପ, ଏମ୍ସ ଭୁବନେଶ୍ୱର ନିକଟରେ ୧୨.୯ ଏକର ଜମିରେ ୨,୮୬୭ଟି ଗୃହ ନିର୍ମାଣ ପ୍ରକଳ୍ପ। ଏଥିରେ ୧୦୩୪ଟି ଶସ୍ତା/ସୁଲଭ ଗୃହ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପରୁ ବୋର୍ଡକୁ୨୧୦ କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି ଆଶା କରାଯାଉଛି। ରଣସିଂହପୁରରେ ଇପିସି ଗୃହ ନିର୍ମାଣ ପ୍ରକଳ୍ପରେ ୫.୭୮ ଏକର ଜମିରେ ପ୍ରାୟ ୩୯୭ କୋଟି ଟଙ୍କାର ଆନୁମାନିକ ବିନିଯୋଗରେ ୧,୨୬୨ଟି ଗୃହ ନିର୍ମାଣ କରାଯିବ। ପାତ୍ରପଡ଼ା ଗୃହ ନିର୍ମାଣ ପ୍ରକଳ୍ପ ଇ-ବିଡିଂ ମାଧ୍ୟମରେ ୧୧.୫ ଏକର ଜମିରେ ୨୫୧୦ଟି ଗୃହ ନିର୍ମାଣ କରାଯିବ।
ସୌଜନ୍ୟ ସମ୍ବାଦ




