Ratha yatra: ରଥଖଳା: ସରିଲା ଚକ-ଅଖ ଡେରା

ପୁରୀ: ରଥ ନିର୍ମାଣର ଆଜି ଥିଲା ୪୧ତମ ଦିବସ। ରଥ ସେବକମାନେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ଚକ ଅଖ ଡେରା କାର୍ଯ୍ୟ ଆରମ୍ଭ ହୋଇଛି। ଶୀତଳ ଷଷ୍ଠୀରେ ପ୍ରାୟ ସମସ୍ତ ଚକ ଅଖ ଡେରା ହେଉଥିଲେ ହେଁ ଏଥର ସଅଳ ତଥା ଯଥେଷ୍ଟ ଆଗରୁ ଏହି କାର୍ଯ୍ୟ ହୋଇଛି। ଭଉଁରି ଦିନ ତିନିରଥର ନାହାକା ଚକ ଅଖ ଡେରା ସରିଥିବା ବେଳେ ଆଜି ୧୮ଟି ଅଖରେ ୩୬ଟି ଚକ ସଂଯୋଗ ହୋଇ ହରିବୋଲ ପକାଇଛନ୍ତି ଭୋଇ ସେବକ। ପ୍ରଥମେ ତାଳଧ୍ୱଜ ରଥର ବାକି ୬ଟି ଅଖରେ ୧୨ଟି ଚକ, ନନ୍ଦିଘୋଷରେ ବାକି ୭ଟି ଅଖରେ ୧୪ଟି ଚକ ଏବଂ ଦେବଦଳନରେ ୫ଟି ଅଖରେ ୧୦ଟି ଚକ ସଂଯୋଗ କରି ଚକ ଅଖ ଡେରା ନୀତି ସରିଛି। ଏହାପରେ କଳଷା ଏବଂ ପରେ ବନ୍ଧ ଦିଆହୋଇ ଦଣ୍ଡା ଲାଗିବ। ତା ପରେ ମେଣ୍ଢି ଲାଗିବ।
ବିଭିନ୍ନ କ୍ଷେତ୍ରରେ ୨୦୫ ସେବକ ନିର୍ମାଣ କାର୍ଯ୍ୟ କରୁଛନ୍ତି। ସମାନ୍ତରାଳ ଭାବରେ ତିନି ରଥର ଚାଳିରେ ଜାରି ରହିଛି କାର୍ଯ୍ୟ। ଭଉଁରିରେ ସମସ୍ତ ରଥର ଗୋଟିଏ ଲେଖାଏଁ ଅଖ ଓ ଦୁଇଟି ଲେଖାଏଁ ଚକ ଡେରା ହୋଇଥିଲା। ଆଜି ଅନ୍ୟ ସମସ୍ତ ଅଖ – ଚକ ଡେରା ସମ୍ପନ୍ନ ହୋଇଛି। ତିନିରଥର ୪୨ଚକ -୨୧ ଅଖର ସଂଯୋଗ ହୋଇଛି। ଏହାପରେ ରଥର ଅନ୍ୟ ଅଂଶଗୁଡ଼ିକ ପର୍ଯ୍ୟାୟକ୍ରମେ ଫିଟିଂ ହେବ। ତିନିରଥ ଦଣ୍ଡା ଫ୍ରେମ୍ର ବିଭିନ୍ନ ଅଂଶଗୁଡ଼ିକର ନମ୍ବରିଂ କାର୍ଯ୍ୟ ସମ୍ପନ୍ନ ହୋଇସାରିଛି। ରୂପକାର ସେବକମାନେ ତିନିରଥର ୩୩ଟି ସାଲଗୁଜ ଏବଂ ୮ଟି ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଶେଷ କରି ବେଦୀ ସିଂହାସନ ମୁହାଁଟରେ କୁମ୍ଭ, ମତ୍ସ୍ୟ, ଡାଳିଲତା ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକ ଦଣ୍ଡା କଣ୍ଟା, ଗୟଳ କଣ୍ଟା ଶେଷ କରି ତିନିରଥର ପୋଟଳ ପାଇଁ ଜଙ୍ଘା କଣ୍ଟା ଏବଂ ପୋଟଳ ବାଗିଆ କଣ୍ଟା ନିର୍ମାଣ କରୁଛନ୍ତି।
ସୌଜନ୍ୟ ସମ୍ବାଦ




