ମୁଚୁକୁନ୍ଦ ଆଶ୍ରମ:
ଛତିଶଗଡ଼ର ଧମତେରୀ ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୮୫ କିଲୋମିଟର ଦୂର ମେଚକା ଗ୍ରାମ ନିକଟସ୍ଥ ସିହବା ପାର୍ବତୀୟ କ୍ଷେତ୍ର ମଧ୍ୟରେ ରହିଛି ରାଜାଋଷି ମୁଚୁକୁନ୍ଦଙ୍କର ପୁରାତନ ଆଶ୍ରମ। ସୀତାନଦୀ ତଟଦେଶରେ ଥିବା ଏହି ଆଶ୍ରମ ଐତିହାସିକ ଓ ଧାର୍ମିକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଏଠାରେ ଶିବମନ୍ଦିର, ଦୁର୍ଗାମନ୍ଦିର, ରାଣୀଗୁମ୍ଫା ଓ ଶାନ୍ତିକୁଣ୍ଡ ରହିଛି। ତ୍ରେତୟା ଯୁଗରେ ରାମଚନ୍ଦ୍ର ଏଠାକୁ ଆସିଥିଲେ ବୋଲି କଥିତ ଅଛି।ରାମାୟଣ, ମହାଭାରତ ଓ ଭାଗବତ ଆଦି ଗ୍ରନ୍ଥରେ ମୁଚୁକୁନ୍ଦଙ୍କ ସଂପର୍କରେ ବର୍ଣ୍ଣନା ରହିଛି।
ମୁଚୁକୁନ୍ଦ, ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମଙ୍କର ପୂଜକ ଥିଲେ। ଇକ୍ଷ୍ବାକୁ ବଂଶୀୟ ରାଜା ମାନ୍ଧାତାଙ୍କର ପୁତ୍ର ଓ ମହାରାଜ ଅମ୍ବରିଷଙ୍କର ସେ ଭ୍ରାତା ଥିଲେ। ତ୍ରେତୟା ଓ ଦ୍ବାପର ଉଭୟ ଯୁଗରେ ସେ ଜୀବିତ ଥିଲେ। ମହାରାଜ ମୁଚୁକୁନ୍ଦ ପ୍ରବଳ ପ୍ରତାପୀ ବୀର ଥିଲେ। ଏକଦା ଦେବତା ଓ ଅସୁରମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା। ଦେବତାମାନେ ରାକ୍ଷସମାନଙ୍କ ଦ୍ବାରା ପରାଜିତ ହେବାରୁ ସେମାନେ ଆସି ମୁଚୁକୁନ୍ଦଙ୍କର ସାହାଯ୍ୟ ଲୋଡ଼ିଲେ। ମୁଚୁକୁନ୍ଦ ଦେବତାମାନଙ୍କୁ ସାହାଯ୍ୟ କରିବା ପାଇଁ ଯୁଦ୍ଧ କରିବାକୁ ଗଲେ। ଦୀର୍ଘଦିନ ଯାଏଁ ପ୍ରବଳ ସଂଗ୍ରାମ ଚାଲିଲା। ଦେବତାମାନେ ବିଜୟୀ ହେଲେ। କିନ୍ତୁ ସେତେବେଳକୁ ମର୍ତ୍ତ୍ୟଲୋକରେ ଅନେକ ବର୍ଷ ବିତିଯାଇଥିଲା। ସେତେବେଳକୁ ମୁଚୁକୁନ୍ଦଙ୍କର ବନ୍ଧୁ-ବାନ୍ଧବ, ସଖା-ସମ୍ବନ୍ଧି କେହି ଆଉ ପୃଥିବୀରେ ନ ଥିଲେ। ସେ ଏଥିରେ ଦୁଃଖିତ ହେବାରୁ ଦେବତାମାନେ ତାଙ୍କୁ ମୋକ୍ଷ ବ୍ୟତୀତ ଅନ୍ୟ ଯେକୌଣସି ବର ମାଗିନେବାକୁ କହିଲେ। ଯୁଦ୍ଧକ୍ଳାନ୍ତ ମୁଚୁକୁନ୍ଦ କହିଲେ- ମୁଁ ଏକ ଶାନ୍ତିପୂର୍ଣ୍ଣ ସ୍ଥାନରେ ଦୀର୍ଘ ସମୟ ଧରି ଶୋଇବାକୁ ଚାହେଁ ଏବଂ କେହି ଯଦି ମୋର ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିବ, ମୋ ଆଖି ତା’ ଉପରେ ପଡ଼ିବା ମାତ୍ରେ ସେ ଧ୍ବଂସ ହୋଇଯିବ। ଦେବତାମାନେ ‘ତଥାସ୍ତୁ’ କହି ଚାଲିଗଲେ।
ମୁଚୁକୁନ୍ଦ ସିହବା ପର୍ବତର ଏକ ଗୁମ୍ଫା ମଧ୍ୟରେ ଯୋଗନିଦ୍ରାରେ ଶୟନ କଲେ। ଏହି ସମୟରେ ତ୍ରେତୟା ଯୁଗ ଶେଷ ହୋଇ ଦ୍ବାପର ଯୁଗର ଆରମ୍ଭ ହୋଇଯାଇଥାଏ। ଶ୍ରୀକୃଷ୍ଣ କଂସ ବଧ ପରେ ମଥୁରାରେ ଥାଆନ୍ତି। କଂସ ମୃତ୍ୟୁର ପ୍ରତିଶୋଧ ନେବାପାଇଁ ଜରାସନ୍ଧ ବାରମ୍ବାର ମଥୁରା ଆକ୍ରମଣ କରୁଥାଏ ଏବଂ ଶ୍ରୀକୃଷ୍ଣଙ୍କ ଦ୍ବାରା ପରାଜିତ ହେଉଥାଏ। ଏଥିରେ ଉତ୍କ୍ଷିପ୍ତ ହୋଇ ଜରାସନ୍ଧ କାଳଯବନ ନାମକ ଏକ ଯବନରାଜ ସହିତ ସନ୍ଧି କରି ତାକୁ ସଙ୍ଗରେ ଧରି ମଥୁରା ଆକ୍ରମଣ କଲା। ଯୁଦ୍ଧରେ କାଳଯବନର ମୃତ୍ୟୁ ହେବ ନାହିଁ ବୋଲି ଶ୍ରୀକୃଷ୍ଣ ଜାଣିଥିଲେ। ତେଣୁ ସେ ଯୁଦ୍ଧକ୍ଷେତ୍ର ଛାଡ଼ି ପଳାୟନ କଲେ। କାଳଯବନ ଶ୍ରୀକୃଷ୍ଣଙ୍କର ଅନୁସରଣ କଲା। ଶ୍ରୀକୃଷ୍ଣ ଚତୁରତାର ସହିତ ମୁଚୁକୁନ୍ଦ ଶୟନ କରିଥିବା ଗୁମ୍ଫା ମଧ୍ୟରେ ପ୍ରବେଶ କଲେ। ତାଙ୍କୁ ଅନୁସରଣ କରି କାଳଯବନ ମଧ୍ୟ ସେହି ଗୁମ୍ଫା ମଧ୍ୟରେ ପ୍ରବେଶ କଲା ଏବଂ ମୁଚୁୁକୁନ୍ଦଙ୍କୁ ଶ୍ରୀକୃଷ୍ଣ ମନେ କରି ତାଙ୍କୁ ପଦାଘାତ କଲା। ମୁଚୁକୁନ୍ଦଙ୍କର ଯୋଗନିଦ୍ରା ଭାଙ୍ଗିଗଲା। ସମ୍ମୁଖରେ ଥିବା କାଳଯବନ ଉପରେ ତାଙ୍କର ଦୃଷ୍ଟି ପଡ଼ିବାରୁ କାଳଯବନ ପୋଡ଼ି ପାଉଁଶ ହୋଇଗଲା।
ତାହାପରେ ମୁଚୁକୁନ୍ଦ ଶ୍ରୀକୃଷ୍ଣଙ୍କୁ ଦର୍ଶନ କଲେ। ତାଙ୍କର ଆନନ୍ଦର ସୀମା ରହିଲା ନାହିଁ। ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ମୁଚୁକୁନ୍ଦ ସିହବା ପରିତ୍ୟାଗ କରି ବଦ୍ରିକା ଯାଇ ତପସ୍ୟା କରି ମୋକ୍ଷ ପ୍ରାପ୍ତ ହେଲେ। ରହିଗଲା ମୁଚୁକୁନ୍ଦଙ୍କର ଏହି ଗୁମ୍ଫା। ପ୍ରାୟ ଏକହଜାର ପାହାଚ ଚଢ଼ି ଏହି ଗୁମ୍ଫା ପାଖରେ ପହଞ୍ଚି ହୁଏ। ଏଠାରେ ରହିଛି ମୁଚୁକୁନ୍ଦଙ୍କର ଆଶ୍ରମ। ଗ୍ରାମବାସୀମାନେ ଏଠାରେ ମୁଚୁକୁନ୍ଦଙ୍କର ଏକ ପ୍ରତିମା ନିର୍ମାଣ କରିଛନ୍ତି। ଏହି ପାହାଡ଼ ଉପରେ ଏକ ପୁଷ୍କରିଣୀ ରହିଛି। ସେହି ପୁଷ୍କରିଣୀର ଜଳ କେବେ ଶୁଖେ ନାହିଁ। ରାମ ଏଠାକୁ ଗମନ କରି ଥିବାରୁ ଏହା ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନ ରୂପେ ବିବେଚିତ ହେଉଛି।
ସୌଜନ୍ୟ ସମ୍ବାଦ
-
Air travel is expensive: ମହଙ୍ଗା ହେଉଛି ବିମାନ ଯାତ୍ରା -
Sensex rises 640 points: ଅଶୋଧିତ ତେଲ ୯୦ ଡଲାରକୁ କମିଲା:ସେନ୍ସେକ୍ସ ୬୪୦ ପଏଣ୍ଟ୍ ବଢ଼ିଲା -
IndiGo CEO: ଡିସେମ୍ବର ବିଭ୍ରାଟ ମହଙ୍ଗା ପଡ଼ିଲା: ଇଣ୍ଡିଗୋ ସିଇଓଙ୍କ ଇସ୍ତଫା -
Women’s Reservation: ମହିଳା ଆରକ୍ଷଣକୁ ନେଇ ସରକାର ଗମ୍ଭୀର: ୨୦୨୯ ଲୋକସଭା ନିର୍ବାଚନରେ ମିଳିବ ୩୩% ସଂରକ୍ଷଣ, ବଢ଼ିବ ନାରୀ ଶକ୍ତିର ପ୍ରତିନିଧିତ୍ୱ -
Environmental warriors: ପରିବେଶ ଯୋଦ୍ଧା: ଜଙ୍ଗଲ ସୁରକ୍ଷାରେ ନବକିଶୋର
