ନୂଆଦିଲ୍ଲୀ: ଦେଶର ଏକ ନମ୍ବର ଏୟାରଲାଇନ୍ ଇଣ୍ଡିଗୋ ଏହାର ଶହ ଶହ ବିମାନର ଉଡ଼ାଣ ବାତିଲ କରିବା ଘଟଣାକୁ ଦୁଇ ମାସ ପୁରି ନଥିବା ବେଳେ ପୁଣି ଏକ ବଡ଼ ଉଡ଼ାଣ ବିଭ୍ରାଟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ଗତଥର ପାଇଲଟ୍ଙ୍କ ଲାଗି ଲାଗୁ କରାଯାଇଥିବା ଏକ ନିୟମ ପ୍ରଭାବରେ ଇଣ୍ଡିଗୋର ବ୍ୟବସ୍ଥା ଦୋହଲିଯାଇଥିଲା। ଏଥର କ୍ରୁ ସଦସ୍ୟମାନଙ୍କ ଲାଗି ଲାଗୁ କରାଯାଇଥିବା ନିୟମ ସେହିଭଳି ବିଭ୍ରାଟ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ଏହି ନିୟମ ପ୍ରଭାବରେ ଶହ ଶହ ବିମାନର ଉଡ଼ାଣ ବାତିଲ କରିବାକୁ ପଡ଼ିପାରେ ବୋଲି ଦେଶର ପ୍ରମୁଖ ଏୟାରଲାଇନ୍ ଇଣ୍ଡିଗୋ, ଏୟାର ଇଣ୍ଡିଆ ଓ ସ୍ପାଇସ୍ଜେଟ୍ କହିଛନ୍ତି।
ନିୟମର ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ସେମାନେ ନିଜ ସଂଘ ଜରିଆରେ ବେସାମରିକ ବିମାନ ଚଳଚାଳ ମହାନିର୍ଦେଶାଳୟ (ଡିଜିସିଏ)କୁ ଅବଗତ କରିଛନ୍ତି। ଗତବର୍ଷ ପାଇଲଟଙ୍କ କ୍ଲାନ୍ତି ଦୂର କରିବାକୁ କଠୋର ନିୟମ ଲାଗୁ କରାଯାଇଥିଲା। ସେହି ନିୟମକୁ ଠିକ୍ ଭାବେ ପାଳନ କରିବାରେ ବିଫଳ ହେବାରୁ ଇଣ୍ଡିଗୋ ସପ୍ତାହକ ଭିତରେ ନିଜର ୪୫୦୦ ବିମାନର ଉଡ଼ାଣ ବାତିଲ କରିଥିଲା। ସେଥିରେ ୬ ଲକ୍ଷରୁ ଅଧିକ ଯାତ୍ରୀ ନାହିଁ ନଥିବା ଯନ୍ତ୍ରଣା ଭୋଗିଥିଲେ। କ୍ରୁ ସଦସ୍ୟଙ୍କ କ୍ଲାନ୍ତି ଦୂର ପାଇଁ ଆସିଥିବା ନିୟମ ମଧ୍ୟ ସେହିଭଳି କଠୋର। ଗତବର୍ଷ ଅକ୍ଟୋବରରେ ଘୋଷଣା ହୋଇଥିବା ଉକ୍ତ ନିୟମରେ କ୍ରୁ ସଦସ୍ୟଙ୍କ ସାପ୍ତାହିକ ବିଶ୍ରାମ ସମୟ ୩୬ ଘଣ୍ଟାରୁ ବଢ଼ାଇ ୪୮ ଘଣ୍ଟା କରାଯାଇଛି। ଏଥିସହିତ ସେମାନଙ୍କ ରାତ୍ରୀକାଳୀନ କାର୍ଯ୍ୟ କରିବା ସମୟକୁ ମଧ୍ୟ କମ୍ କରାଯାଇଛି। ହୋଟେଲ୍ରେ ରହଣୀ ବେଳେ ବିଶ୍ରାମର ମାନରେ ଉନ୍ନତି ଆଣିବା ପାଇଁ କ୍ରୁ ସଦସ୍ୟମାନଙ୍କ ଲାଗି ଅଲଗା କୋଠରିର ବ୍ୟବସ୍ଥା କରିବାକୁ କୁହାଯାଇଛି। ଯଦିଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ନିୟମରେ ଏହା ବାଧ୍ୟତାମୂଳକ ନୁହେଁ, କିନ୍ତୁ ଅନ୍ତର୍ଜାତୀୟ ଏୟାରଲାଇନ୍ଗୁଡ଼ିକ ସେହି ଅଭ୍ୟାସକୁ ଗ୍ରହଣ କରିଛନ୍ତି। ଭାରତୀୟ ଏୟାରଲାଇନ୍ଗୁଡ଼ିକ ପାଇଁ ଏହି ନିୟମ ପାଳନ କରିବାର ଅର୍ଥ ହେଉଛି କ୍ରୁ ସଦସ୍ୟଙ୍କ ବିଶ୍ରାମ ପାଇଁ ହୋଟେଲ ରହଣୀ ବାବଦରେ ଅଧିକ ଖର୍ଚ୍ଚ କରିବା।
କ୍ରୁମାନଙ୍କ ପାଇଁ ଅଲଗା କୋଠରିର ବ୍ୟବସ୍ଥା କରିବା ସମ୍ଭବ ନୁହେଁ
ଡିଜିସିଏକୁ ଭାରତୀୟ ଏୟାରଲାଇନ୍ସ ସଂଘ (ଏଫ୍ଆଇଏ) ଏକ ପତ୍ର ଲେଖି ଜଣାଇଛି ଯେ କ୍ରୁ ସଦସ୍ୟମାନଙ୍କ ପାଇଁ ଅଲଗା କୋଠରିର ବ୍ୟବସ୍ଥା କରିବାର ଏକ କଷ୍ଟକର ବ୍ୟାପାର। କାରଣ ଅଧିକାଂଶ ବିମାନବନ୍ଦର ପାଖରେ ହୋଟେଲ୍ କୋଠରିର ଅଭାବ ରହିଛି। ସେଭଳି ସ୍ଥିତିରେ କ୍ରୁ ସଦସ୍ୟମାନଙ୍କୁ ଦୂରଦୂରାନ୍ତ ସ୍ଥାନରେ ଥିବା ହୋଟେଲ୍ରେ ରଖିବାକୁ ପଡ଼ିବ। ତାହା ବିମାନ ଚଳାଚଳ ପରିଚାଳନାରେ ବାଧା ସୃଷ୍ଟି କରିପାରେ। ସେହିପରି କ୍ଲାନ୍ତି ଦୂର କରିବା ଲାଗି ଆସିଥିବା ନିୟମ କମ୍ପାନିଗୁଡ଼ିକ ଦୀର୍ଘକାଳୀନ ସମ୍ପ୍ରସାରଣ ଯୋଜନାକୁ ପ୍ରଭାବିତ କରିବ ବୋଲି ଏଫ୍ଆଇଏ ସରକାରଙ୍କୁ ଜଣାଇଛି। ଏହି ସଂଘ ଅଧୀନରେ ଇଣ୍ଡିଗୋ, ଏୟାର ଇଣ୍ଡିଆ ଓ ସ୍ପାଇସ୍ଜେଟ୍ ରହିଛନ୍ତି।
ସୌଜନ୍ୟ ସମ୍ବାଦ
