Climate Panchayat: ‘ଗାଁରେବି ଗଛ କାଟିବା ରୋଗ ଧରିଲାଣି, ଜଳସ୍ତର ବିପଜ୍ଜନକ ଭାବରେ ହ୍ରାସ ପାଉଛି’
ସହରିଆ ଲୋକତ ଗଛ କାଟନ୍ତି କିନ୍ତୁ ବର୍ତ୍ତମାନ ଗାଁରେ ମଧ୍ୟ ଗଛ କାଟିବା ରୋଗ ଧରିଲାଣି। ନାକ୍ଟିଦେଉଲ, ଯୁଯୁମୁରାରେ ପୂର୍ବର ଘୋର ଜଙ୍ଗଲ ନାହିଁ। ସୁନ୍ଦର ଜଳବାୟୁ ସହିତ ଛାଇ ଆଉ ନାହିଁ। ଗଛ କାଟିବାର ପ୍ରଭାବ ପରିବେଶ ଉପରେ ପଡ଼ୁଛି।

ସମ୍ବଲପୁର(ଗାର୍ଗୀ ଶତପଥୀ): ସହରିଆ ଲୋକତ ଗଛ କାଟନ୍ତି କିନ୍ତୁ ବର୍ତ୍ତମାନ ଗାଁରେ ମଧ୍ୟ ଗଛ କାଟିବା ରୋଗ ଧରିଲାଣି। ନାକଟିଦେଉଳ, ଯୁଯୁମୁରାରେ ପୂର୍ବର ଘୋର ଜଙ୍ଗଲ ନାହିଁ। ସୁନ୍ଦର ଜଳବାୟୁ ସହିତ ଛାଇ ଆଉ ନାହିଁ। ଗଛ କାଟିବାର ପ୍ରଭାବ ପରିବେଶ ଉପରେ ପଡ଼ୁଛି। ବର୍ତ୍ତମାନ ସବୁ ଗାଁରେ ପାଣି ସମସ୍ୟା ଭୟଙ୍କର ରୂପ ଧାରଣ କରିଛି। ଅନେକ ଗାଁରେ ପାଣି ଆସୁନିତ କିଛି ଗାଁର ପାଣି ଅତି ମଇଳା। ନଳକୂଅରୁବି ଖରାପ ପାଣି ବାହାରୁଛି। ରେଢାଖୋଲ ନିର୍ବାଚନ ମଣ୍ଡଳୀର ଅନେକ ଅଞ୍ଚଳ ରହିଛି ଯେଉଁଠି କିଛି ବର୍ଷ ପୂର୍ବରୁ ୧୫୦ ଫୁଟରେ ପାଣି ବାହାରୁଥିଲା ବର୍ତ୍ତମାନ ୩୦୦ରୁ ୫୦୦ ଫୁଟ ଖୋଳିଲେ ବି ପାଣି ଆସୁନି। ବିପଜ୍ଜନକ ଭାବରେ ଜଳସ୍ତର ହ୍ରାସ ପାଉଛି। ଈଶ୍ବରଙ୍କ ସୃଷ୍ଟି ପ୍ରକୃତିକୁ ଧ୍ବଂସ କରାଯିବାରୁ ଏଭଳି ହେଉଛି। ପ୍ରକୃତିକୁ ଧ୍ବଂସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ପାପୀ। ପ୍ରକୃତି ନିୟମକୁ ନ ମାନିଲେ ଆମେ ନିଜେ ଏବଂ ପ୍ରକୃତି ଧ୍ବଂସ ହୋଇଯିବ। ସାମାଜିକ ଅନୁଷ୍ଠାନ ଆଦର୍ଶର ସହଯୋଗରେ ସମ୍ବାଦ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ଏହା କହିଛନ୍ତି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ବିରୋଧୀ ଦଳ ଉପନେତା ଏବଂ ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ।
/filters:format(webp)/sambad/media/media_files/2026/06/07/whatsapp-image-2026-06-07-21-45-50.jpeg)
ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ଡଳୀ ଟାମ୍ପରଗଡ଼ ପଞ୍ଚାୟତ ଅନ୍ତର୍ଗତ ଧଳପାଳରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ତଥା ଟାମ୍ପରଗଡ଼ ସରପଞ୍ଚ କ୍ଷୀରୋଦ ରାଉଳ କହିଛନ୍ତି, ଟାମ୍ପରଗଡ଼ ପଞ୍ଚାୟତର ପାଣି ସମସ୍ୟା ଉତ୍କଟ ବୋଲି କହିଛନ୍ତି। ଏହି ଅଣଜଳସେଚିତ ଅଞ୍ଚଳରେ କ୍ଷେତକୁ ମଧ୍ୟ ପାଣି ମିଳୁନି। ଏହାର ଫଳସ୍ବରୂପ ପିଲା ରୋଜଗାର ଅଭାବରୁ ବାହାରକୁ ଯାଉଛନ୍ତି। ପ୍ରକୃତି ଆଜିର ଯୁବ ଶକ୍ତିଙ୍କ ଜୀବନକୁବି ପ୍ରଭାବିତ କରୁଛନ୍ତି। ସମସ୍ତେ ମିଳିତ ଭାବରେ ପ୍ରକୃତିକୁ ବଞ୍ଚାଇବା ପାଇଁ ଆହ୍ବାନ କରିଥିଲେ।
ଅନ୍ୟତମ ଆଲୋଚକ ଟାମ୍ପରଗଡ଼ ସମିତି ସଦସ୍ୟ ସରୋଜ ମିର୍ଧା ଏବଂ ଡଙ୍ଗରପଡ଼ା ସରପଞ୍ଚ ଅୟଶକାନ୍ତ ବଡ଼ପଣ୍ଡା ଜଳ ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କୁ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଯେଉଁଭଳି ଜଳସ୍ତର ହ୍ରାସ ପାଉଛି ତାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଜଳସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।
/filters:format(webp)/sambad/media/media_files/2026/06/07/whatsapp-image-2026-06-07-21-46-03.jpeg)
ସହ ଆୟୋଜକ ସାମାଜିକ ସଙ୍ଗଠନ ଆଦର୍ଶର ସମ୍ପାଦକ ପ୍ରଦୀପ ବେହେରା ଏବଂ ଆଦର୍ଶର ଯନ୍ତ୍ରୀ ବିବେକାନନ୍ଦ କହିଛନ୍ତି, ଜଳସଂରକ୍ଷଣର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ। ଟାମ୍ପରଗଡ଼ ଏକ ଜଳସମସ୍ୟା ଥିବା ଅଞ୍ଚଳ ଅଟେ। ଏଠାରେ ନାବାର୍ଡ ସହଯୋଗରେ ୯ ଫାର୍ମପଣ୍ଡ କରାଯାଇଛି। ଟାମ୍ପରଗଡ଼, ବେହେରାମାଲ, ବାସୁପାଲି ଏବଂ ଧଳପାଲରେ ପର୍କୁଲେସନ ଟ୍ୟାଙ୍କ ରହିଛି। ଯାହା ବର୍ତ୍ତମାନ ଶୁଖିଲା ଅଛି କିନ୍ତୁ ବର୍ଷା ହେଲେ ପାଣି ସଂରକ୍ଷିତ ହେବ ଏବଂ ଜଳସେଚନ ହୋଇ ପାରିବ।
ଏହି ଅବସରରେ ସ୍ଥାନୀୟ ଅଧିବାସୀ ମାନସ ପ୍ରଧାନ, ଲବଙ୍ଗ ଟେଟେ, ଅମ୍ବିକା ମିଂଜ, ମାସିକ ମୁଣ୍ଡା ପ୍ରମୁଖ ଅଞ୍ଚଳର ପାଣି ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସମ୍ବାଦ ବରିଷ୍ଠ ଜିଲ୍ଲା ପ୍ରତିନିଧି ଗାର୍ଗୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁଯୁମୁରା ବ୍ଲକ ପ୍ରତିନିଧି ବିଜୟ ସ୍ବାଇଁ ଧନ୍ୟବାଦ ଦେଇଥିଲେ। ମୁଖ୍ୟବକ୍ତା ଅତିଥି ଆସିବା ସହିତ ସ୍ଥାନୀୟ ଅଧିବାସୀ ଆଦିବାସୀ ନୃତ୍ୟ ଜରିଆରେ ତାଙ୍କର ସ୍ବାଗତ କରିଥିଲେ ଏବଂ ପ୍ରକୃତିର ସମ୍ମାନ ଜଣାଇଥିଲେ। ଏହି ଅବସରରେ ସମ୍ବାଦ ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାଏକ, ଏଜିଏମ ଗଜେନ୍ଦ୍ର ନାଏକ ଏବଂ ବିଜ୍ଞାପନ ଚିନ୍ମୟ ଦାସ ସ୍ବତନ୍ତ୍ର ଭାବରେ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




