India Map Guidelines : ଟିଭି ଚ୍ୟାନେଲଗୁଡ଼ିକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶ, ଭାରତର ପ୍ରାମାଣିକ ମାନଚିତ୍ର ବ୍ୟବହାର କର

ନୂଆଦିଲ୍ଲୀ, ୨୨/୧୦ : ବିଭିନ୍ନ ଖବର ତଥା କାର୍ଯ୍ୟକ୍ରମ ପ୍ରସାରଣ ବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ଏହା ସହ ଜଡ଼ିତ ଉପକରଣ ବ୍ୟବହାର ନେଇ ଘରୋଇ ସାଟେଲାଇଟ ଟିଭି ଚ୍ୟାନେଲଗୁଡ଼ିକୁ କେନ୍ଦ୍ର ସରକାର ସତର୍କ କରାଇଛନ୍ତି । କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ, ୧୯୯୫ ଏବଂ କେବୁଲ ଟିଭି ନେଟୱର୍କ ନିୟମାବଳୀ, ୧୯୯୪ ଅଧୀନରେ ଧାର୍ଯ୍ୟ ‘ପ୍ରୋଗ୍ରାମ କୋଡ୍’କୁ କଡ଼ାକଡ଼ି ପାଳନ କରିବାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଦେଶର ଅଖଣ୍ଡତା ବଜାୟ ରଖିବା ପାଇଁ ଟିଭି ଚ୍ୟାନେଲଗୁଡ଼ିକ ସେମାନଙ୍କ ସମସ୍ତ ପ୍ରସାରଣ, ଗ୍ରାଫିକ୍ସ, ଡିଜିଟାଲ ଉପସ୍ଥାପନାରେ କେବଳ ଭାରତୀୟ ସର୍ବେକ୍ଷଣ ବିଭାଗ ଦ୍ୱାରା ପ୍ରକାଶିତ ପ୍ରମାଣିକ ଭାରତ ମାନଚିତ୍ର ବ୍ୟବହାର କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି ।
ପ୍ରସାରଣକାରୀ ସଂସ୍ଥା ସେମାନଙ୍କର ସମ୍ପାଦକୀୟ ଏବଂ ବିଷୟବସ୍ତୁ ସମୀକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କୁହାଯାଇଛି, ଯାହା ଦ୍ୱାରା ଖବର ସଂଗ୍ରହ, ସମ୍ପାଦନା, ପ୍ରଡକ୍ସନ, ସମ୍ପ୍ରସାରଣ ଏବଂ ପ୍ରସାରଣ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀ ପ୍ରୋଗ୍ରାମ କୋଡ୍ ନିୟମାବଳୀ ପ୍ରତି ସମ୍ପୂର୍ଣ୍ଣ ସଚେତନ ରହିବେ । ଏଥିପାଇଁ ନିୟମିତ ବ୍ୟବଧାନରେ କର୍ମଶାଳା, ତାଲିମ କାର୍ଯ୍ୟକ୍ରମ ତଥା ସଚେତନତା ଶିବିର ଆୟୋଜନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରସାରଣକାରୀ ସଂସ୍ଥାଗୁଡ଼ିକୁ କୁହାଯାଇଛି । କେବୁଲ୍ ଟେଲିଭିଜନ ନେଟୱାର୍କ (ସଂଶୋଧନ) ନିୟମ, ୨୦୨୧ ଅଧୀନରେ ଗଠିତ ଆନ୍ତଃ-ବିଭାଗୀୟ କମିଟି କାର୍ଯ୍ୟକ୍ରମ ପ୍ରସାରଣରେ ଅନୁପଯୁକ୍ତ ବ୍ୟବହାର ବା ଅଶାଳୀନ ଭାଷା ଉପଯୋଗ ନ କରିବାକୁ ଗୁରୁତ୍ୱାରୋପ କରିଛି । ବିଶେଷ କରି ଆତଙ୍କବାଦ-ବିରୋଧୀ ଅଭିଯାନ, ହିଂସାକାଣ୍ଡ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିର କଭରେଜ୍ ଏବଂ ସିଧାପ୍ରସାରଣ ବେଳେ ଏହି ନିୟମଗୁଡ଼ିକୁ କଡ଼ାକଡ଼ି ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ହିଂସାତ୍ମକ ଦୃଶ୍ୟ, ଅପରାଧ ଖବର ପ୍ରସାରଣ ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।
ସୌଜନ୍ୟ ପ୍ରମେୟ



