Basanti Sarovar Attraction ଆକର୍ଷଣ ହରାଉଛି ବାସନ୍ତୀ ସରୋବର! ଭାଙ୍ଗିଗଲାଣି ଭସାପୋଲ: ଚାଲୁନି ବୋଟିଂ, ପାଣିରୁ ବାହାରୁଛି ଦୁର୍ଗନ୍ଧ
dav ପୋଖରୀ ଯାହା ବର୍ଷବର୍ଷ ଧରି ଅଳିଆଆବର୍ଜନାରେ ଭର୍ତ୍ତି ହୋଇଥିଲା ତାର ମଧ୍ୟ ପୁନରୁଦ୍ଧାର ପାଇଁ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଡିଏଭି ପୋଖରୀକୁ ସୌନ୍ଦର୍ଯ୍ୟୀକରଣ ପରେ ବାସନ୍ତୀ ସରୋବର ନାମରେ ନାମିତ କରାଗଲା।

ରାଉରକେଲା: ୨୦୨୩ ପୁରୁଷ ହକି ବିଶ୍ବକପ୍ ସମୟରେ ରାଉରକେଲାକୁ ସୁନ୍ଦର ଆଲୋକମାଳାରେ ସଜେଇଥିଲା ରାଉରକେଲା ମହାନଗର ନିଗମ। ଏହିକ୍ରମରେ ରାଉରକେଲାର ଡିଏଭି ପୋଖରୀ ଯାହା ବର୍ଷବର୍ଷ ଧରି ଅଳିଆଆବର୍ଜନାରେ ଭର୍ତ୍ତି ହୋଇଥିଲା ତାର ମଧ୍ୟ ପୁନରୁଦ୍ଧାର ପାଇଁ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ୨୫ ମାର୍ଚ୍ଚ, ୨୦୨୩ରେ ବହୁ ଧୂମଧାମ୍ରେ ଏହାକୁ ଉଦ୍ଘାଟନ କରାଯାଇଥିଲା। ଡିଏଭି ପୋଖରୀକୁ ସୌନ୍ଦର୍ଯ୍ୟୀକରଣ ପରେ ବାସନ୍ତୀ ସରୋବର ନାମରେ ନାମିତ କରାଗଲା। ଆରମ୍ଭରେ ଏହା ସହରର ଏକ ଆମୋଦପ୍ରମୋଦ ସ୍ଥଳ ପାଲଟିଲା।
ଏଠାରେ ଛୋଟପିଲାଙ୍କ ଖେଳିବା ପାଇଁ ଦୋଳି ବ୍ୟବସ୍ଥା ଥିବାବେଳେ ଯୁବକଯୁବତୀଙ୍କ ବସିବା ପାଇଁ ଚେୟାର ବ୍ୟବସ୍ଥା ହୋଇଥିଲା। ସନ୍ଧ୍ୟାରେ ରଙ୍ଗିନ୍ ୱାର୍ଟର ଫାଉଣ୍ଟେନ୍ ଲୋକଙ୍କୁ ଅଧିକ ଆକୃଷ୍ଟ କରୁଥିଲା। ୨୦୨୩ ଅଗଷ୍ଟ ୧୫ ତାରିଖରେ ବୋଟିଂ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହାପରେ ଦିନତମାମ କଲେଜ ପିଲାଙ୍କ ଭିଡ଼ ଜମୁଥିବାବେଳେ ସନ୍ଧ୍ୟାରେ ସହରବାସୀ ବୋଟିଂ ପାଇଁ ଆସୁଥିଲେ। ଏହି ସରୋବରର ପାର୍କ ଏବେ ଲୋକଙ୍କୁ ଭୟଭୀତ କରୁଥିବାରୁ ଲୋକେ ଆସିବାକୁ ନାପସନ୍ଦ କରୁଛନ୍ତି। ପାର୍କରେ ଲାଗିଥିବା ସରଞ୍ଜାମ ଗୁଡ଼ିକ ଭାଙ୍ଗିରୁଜି ଯାଇଥିବାବେଳେ ବୋଟିଂ ପାଇଁ ଯାଇଥିବା ଭସାପୋଲ ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। ପୋଲରେ ଲାଗିଥିବା ହାଇ ଡେନ୍ସିଟି ପଲିଥିନ୍ ବ୍ରିକ୍ସ ଗୁଡ଼ିକ କିଛି ସ୍ଥାନରେ ଭାଙ୍ଗିଯାଇଛି ଯାହାଦ୍ବାରା ଅଭିଭାବକମାନେ ପିଲାଙ୍କୁ ସରୋବରକୁ ନେଇଯିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ଏହାର ରକ୍ଷଣାବେକ୍ଷଣ ନେଇ ମଧ୍ୟ ସହରବାସୀ କ୍ଷୋଭପ୍ରକାଶ କରିଛନ୍ତି। ଏଥିରେ ୧୪ କୋଟି ଖର୍ଚ୍ଚ କରିବା ପରେ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ ଟେଣ୍ଡର କରି ଏକ କମ୍ପାନିକୁ ରକ୍ଷଣାବେକ୍ଷଣ ଦାୟିତ୍ବ ଦେଇଥିଲା। ଏହାପରେ ସରୋବରର ଅବସ୍ଥା ଲୋକଙ୍କୁ ଚିନ୍ତିତ କରିଛି।
ଏନେଇ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧୀନା ଦସ୍ତଗିର କହିଛନ୍ତି, ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା କମ୍ପାନିକୁ ସ୍ପଷ୍ଟୀକରଣ ମଗାଯାଇଛି। ମରାମତି ଓ ରକ୍ଷଣାବେକ୍ଷଣରେ ବହୁତ ଖିଲାପ କରାଯାଇଛି। ତେଣୁ ପୁଣି ଥରେ ଟେଣ୍ଡର ଓପନ୍ କରାଯାଇଛି। ଏନେଇ କିଛି ଅଭିଭାବକ ମଧ୍ୟ ପ୍ରତିକ୍ରିୟାରେ କ୍ଷୋଭପ୍ରକାଶ କରଛନ୍ତି। ବାସନ୍ତୀକଲୋନିର ଦେବାଶିଷ ପରିଡ଼ା କୁହନ୍ତି, ସରୋବରକୁ ପ୍ରବେଶ ପାଇଁ ୧୫ ଟଙ୍କା ଲେଖାଏ ନେଉଛନ୍ତି। କିନ୍ତୁ ମିଳୁଛି କଣ ? ବସିବାକୁ ଚେୟାର ନାହିଁ କି ପିଲାଙ୍କ ଖେଳିବା ପାଇଁ ପାର୍କରେ ସୁବିଧା ନାହିଁ। ଆଉ ଏଠି ଭସାପୋଲର ଅବସ୍ଥା ଏମିତି ଯେ ପିଲାଙ୍କୁ ଛାଡ଼ିବାକୁ ଡର ଲାଗୁଛି। ଅନେକସ୍ଥାନରେ ପ୍ଲାଷ୍ଟିକ୍ ବ୍ରିକ୍ସ ନାହିଁ। ଛୋଟ ପିଲା ଯଦି ଭୁଲରେ ପଡ଼ିବେ ତାହେଲେ ବଡ଼ ଦୁର୍ଘଟଣା ଘଟିବା ଆଶଙ୍କା ରହିଛି। ପୋଖରୀରୁ ପାଣି ମଧ୍ୟ ନିଷ୍କାସିତ ହେଉନାହିଁ। ପାଣିରୁ ବାହାରୁଥିବା ଦୁର୍ଗନ୍ଧ ପରିବେଶକୁ ଆହୁରି ଅସ୍ବାସ୍ଥକର କରିଛି। ପ୍ରଶାସନକୁ ଏହାପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ।
ସୌଜନ୍ୟ ସମ୍ବାଦ




