ନୂଆଦିଲ୍ଲୀ: ଯୌତୁକ ମୃତ୍ୟୁ ସମାଜ ପାଇଁ କଳଙ୍କ ଏବଂ ମାନବିକ ସମ୍ମାନର ଗୁରୁତର ଉଲ୍ଲଂଘନ ବୋଲି ଦର୍ଶାଇ ସୁପ୍ରିମ୍କୋର୍ଟ କହିଛନ୍ତି ଯେ ଏଭଳି ‘ଲୋଭ ପରିଚାଳିତ’ ଅପରାଧକୁ ଦୃଢ଼ ହସ୍ତରେ ମୁକାବିଲା କରିବାକୁ ସାରା ଦେଶର ଅଦାଲତମାନଙ୍କୁ ଅନୁରୋଧ କରାଯାଇଛି।
ଯୌତୁକ ଦାବିରେ ପତ୍ନୀଙ୍କୁ ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରିବା ପାଇଁ ପାଟନା ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବୈଧାନିକ ନିଷେଧାଦେଶ ସତ୍ତ୍ବେ ଯୌତୁକ ସମ୍ବନ୍ଧୀୟ ହିଂସା ହଜାର ହଜାର ମହିଳାଙ୍କ ଜୀବନ ନେବାରେ ଲାଗିଛି। ଏହି ଅଭ୍ୟାସ ଯୋଗୁଁ ହଜାର ହଜାର ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟୁଛି, ଯାହା ହତ୍ୟା ବା ଆତ୍ମହତ୍ୟା ହୋଇପାରେ। ବିହାରରେ ରୁଜୁ ହୋଇଥିବା ଏକ ମାମଲାରେ ଅଭିଯୁକ୍ତ ସ୍ୱାମୀଙ୍କୁ ଜାମିନ ମଞ୍ଜୁର କରିବାକୁ ଚ୍ୟାଲେଞ୍ଜ କରି ମୃତ ମହିଳାଙ୍କ ମା’ ଦାଖଲ କରିଥିବା ଆବେଦନକୁ ଅନୁମତି ଦେବା ସମୟରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଅଭିଯୋଗର ଗମ୍ଭୀରତା ଏବଂ ରେକର୍ଡରେ ଥିବା ତଥ୍ୟକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କୁ ମୁକ୍ତ କରିବା ପାଇଁ ହାଇକୋର୍ଟଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ୍ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଖଣ୍ଡପୀଠ ନିମ୍ନ ଅଦାଲତଙ୍କୁ ଛଅ ମାସ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶର ଏକ ନକଲ ମଧ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୌଜନ୍ୟ ସମ୍ବାଦ
