Instagram and YouTube addicting: ଶିଶୁଙ୍କୁ ନିଶାରେ ପକାଉଛନ୍ତି ଇନ୍‌ଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ୍‌?

ବିଶ୍ବର ବୃହତ୍ତମ ସାମାଜିକ ଗଣମାଧ୍ୟମ କମ୍ପାନିମାନେ ପିଲାମାନଙ୍କ ମଧ୍ୟରେ ଅତ୍ୟନ୍ତ ‘ଆଡିକ୍‌ଟିଭ୍‌ ଆପ୍‌’ ବା ନିଶାପ୍ରବଣ ଆପ୍ ପ୍ରସାରଣ କରୁଛନ୍ତି ବୋଲି ଅଭିଯୋଗ ହେବାରୁ କାଲିଫର୍ଣ୍ଣିଆ ଅଦାଲତରେ ଅତି ଗୁରୁତ୍ବପୂର୍ଣ୍ଣ ବିଚାର ଆରମ୍ଭ ହୋଇଛି।

ବିଶ୍ବର ବୃହତ୍ତମ ସାମାଜିକ ଗଣମାଧ୍ୟମ କମ୍ପାନିମାନେ ପିଲାମାନଙ୍କ ମଧ୍ୟରେ ଅତ୍ୟନ୍ତ ‘ଆଡିକ୍‌ଟିଭ୍‌ ଆପ୍‌’ ବା ନିଶାପ୍ରବଣ ଆପ୍ ପ୍ରସାରଣ କରୁଛନ୍ତି ବୋଲି ଅଭିଯୋଗ ହେବାରୁ କାଲିଫର୍ଣ୍ଣିଆ ଅଦାଲତରେ ଅତି ଗୁରୁତ୍ବପୂର୍ଣ୍ଣ ବିଚାର ଆରମ୍ଭ ହୋଇଛି। ଲସ୍‌ ଏଞ୍ଜେ‌ଲସ୍‌ରେ ଗୋଟାଏ ଜୁରି ବା ବିଚାରକ ମଣ୍ଡଳୀ ଆଗରେ ଉପରୋକ୍ତ ମାମଲାର ଶୁଣାଣି କରାଯାଉଛି।

କେଲି ଜିଏମ୍‌ ନାମ୍ନୀ ଜଣେ ୨୦ ବର୍ଷୀୟା ତରୁଣୀ ଏହି ମାମଲାରେ ସମ୍ପୃକ୍ତା ଥିବା କଥା ଅଦାଲତ କହିଛି। କେଲି ଅଭିଯୋଗ କରିଛନ୍ତି ଯେ ପିଲାବେଳେ ସାମାଜିକ ଗଣମାଧ୍ୟମ ନିଶାରେ ପଡ଼ି ସେ ଭୀଷଣ ମାନସିକ କ୍ଷତି ଭୋଗିଛନ୍ତି। ଏହି ବିଚାର ଗୋଟାଏ ‘ବେଲ୍‌ୱେଦର୍‌ କେସ୍‌’ ବୋଲି ବିବେଚନା କରାଯାଉଛି। ଅର୍ଥାତ୍‌ ଏହାର ଫଳାଫଳ ସମଗ୍ର ଦେଶରେ କରାଯାଇଥିବା ଶହ ଶହ ମାମଲାର ଫଳାଫଳକୁ ପ୍ରଭାବିତ କରିବ। ସୋସିଆଲ୍‌ ମିଡିଆ ଛାଡୁଥିବା କଣ୍ଟେଣ୍ଟଗୁଡ଼ିକ କାରଣରୁ ପିଲାଏ ‘ଆଡିକ୍ଟେଡ୍‌’ ବା ନିଶାଗ୍ରସ୍ତ ହୋଇଯାଉଥିବାରୁ ସେମାନଙ୍କଠାରେ ଅବସାଦ, ଭୋଜନ ବିଭ୍ରାନ୍ତି, ଚିକିତ୍ସାଳୟରେ ଭର୍ତ୍ତି ଓ ଆତ୍ମହତ୍ୟା ପ୍ରବଣତା ଦେଖାଯାଉଛି। ପିଲାମାନଙ୍କୁ ଆକୃଷ୍ଟ କରି ରଖିବା ସକାଶେ ସାମାଜିକ ଗଣମାଧ୍ୟମ କମ୍ପାନିମାନେ ଜାଣିଶୁଣି ଏ ପ୍ରକାର ‘ଆପ୍‌’ ପ୍ରସ୍ତୁତ କରୁଛନ୍ତି। ଫଳ ସ୍ବରୁପ ସେମାନଙ୍କଠାରେ ସାଙ୍ଘାତିକ ମାନସିକ ପ୍ରଭାବ ପଡୁଛି।

ସାମାଜିକ ଗଣମାଧ୍ୟମ ଆପ୍‌ଗୁଡ଼ିକ ଶିଶୁମାନଙ୍କୁ ଜାଣିବୁଝି ନିଶାରେ ପକାଉଥିବା ଅଭିଯୋଗ ନେଇ ଆମେରିକାରେ ପ୍ରଥମ ଥର ପାଇଁ ନ୍ୟାୟିକ ବିଚାର ଆରମ୍ଭ ହୋଇଛି

ଆଗାମୀ ସପ୍ତାହରେ ‘ଫେସ୍‌ବୁକ୍‌’ ଓ ‘ହ୍ବାଟ୍‌ସ୍‌ଆପ୍‌’ର କମ୍ପାନି ‘ମେଟା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ମାର୍କ ଜୁକର୍‌ବର୍ଗ ଅଦାଲତରେ ହାଜର ହୋଇପାରନ୍ତି। ‘ଇନ୍‌ଷ୍ଟାଗ୍ରାମ୍‌’ ମୁଖ୍ୟ ଆଦାମ୍‌ ମୋସେରି ମଧ୍ୟ ବୁଧବାର ଦିନ ଅଦାଲତରେ ହାଜର ହୋଇପାରନ୍ତି। ଅଭିଯୋଗକାରୀମାନଙ୍କ ଓକିଲ ମାର୍କ ଲେନିୟର୍‌ ବିଚାରକ ସଦସ୍ୟମଣ୍ଡଳୀଙ୍କୁ କହିଛନ୍ତି ଯେ ଜାଣିଶୁଣି ପିଲାମାନଙ୍କର କ୍ଷତି ସାଧନ କରୁଥିବା ପ୍ରସଙ୍ଗ ଉପରେ ଏ ମାମଲା ପର୍ଯ୍ୟବସିତ। ଏ ମାମଲା ଇତିହାସରେ ଦୁଇ ସର୍ବବୃହତ୍‌ କମ୍ପାନି ସହ ଜଡ଼ିତ, ଯେଉଁମାନେ ପିଲାଙ୍କ ମସ୍ତିଷ୍କରେ ‘ଆଡିକ୍‌ସନ୍‌’ ବା ନିଶାଗ୍ରସ୍ତ ହେବା ଭଳି କଣ୍ଟେଣ୍ଟ୍‌ ପ୍ରସ୍ତୁତ କରୁଛନ୍ତି। ଓକିଲ ଲେନିୟର୍‌ କହିଛନ୍ତି- ସାମାଜିକ ଗଣମାଧ୍ୟମ କମ୍ପାନିମାନେ ଯେଉଁ ‘ଆପ୍‌’ ପ୍ରସ୍ତୁତ କରୁଛନ୍ତି ସେ ସବୁ ଖାଲି ଆପ୍‌ ନୁହେଁ, ଏକ ପ୍ରକାର ଯନ୍ତା ମଧ୍ୟ।

‘ମେଟା’ ପକ୍ଷରୁ ନିଯୁକ୍ତ ଓକିଲ ପଲ୍‌ ସ୍ମିଡ୍‌ ଉପରୋକ୍ତ ଅଭିଯୋଗକୁ ଖଣ୍ଡନକରି ବିଚାରକ ମଣ୍ଡଳୀକୁ କହିଛନ୍ତି ଯେ ଏ ମାମଲାର ମୁଖ୍ୟ ଯୁବତୀଜଣକ ଯେଉଁ ଅସୁବିଧାରେ ପଡ଼ିଛନ୍ତି ତାହା ‘ଇନ୍‌ଷ୍ଟାଗ୍ରାମ୍‌’ ସହିତ ଜଡ଼ିତ ନୁହେଁ। ପାରିବାରିକ ସମସ୍ୟା ଓ ପରିହାସ ଭଳି ନିର୍ଯାତନା ତାଙ୍କ ମାନସିକ ଅବସାଦର କାରଣ। ଆଜି ଯୁବତୀ କେଲି ଯେଉଁ ଅସୁବିଧା ଭୋଗୁଛନ୍ତି ‘ଇନ୍‌ଷ୍ଟାଗ୍ରାମ୍‌’ କଥା ବାଦ୍‌ ଦେଇ ଦେଖିଲେ ସେ ତାହା ହିଁ ଭୋଗୁ ଥାଆନ୍ତେ। ‘ଇନ୍‌ଷ୍ଟାଗ୍ରାମ୍‌’ ନ ଥିଲେ କ’ଣ ତାଙ୍କ ମାନସିକ ଅବସ୍ଥା ଭିନ୍ନ ହୋଇଥାଆନ୍ତା? ତାଙ୍କ ମେଡିକାଲ୍‌ ରିପୋର୍ଟରେ ଇନ୍‌ଷ୍ଟାଗ୍ରାମ୍‌ ଆଡିକ୍‌ସନ୍‌ କଥା ହିଁ ନାହିଁ। ୧୯୯୦ ଓ ୨୦୦୦ ଦଶକରେ ତମାଖୁ କମ୍ପାନିମାନଙ୍କ ବିପକ୍ଷରେ ଯେଉଁ ପ୍ରକାର ମାମଲା କୌଶଳ ଅବଲମ୍ବନ କରାଯାଇଥିଲା ଏ କ୍ଷେତ୍ରରେ ବି ସେ ପ୍ରକାର କୌଶଳ ଅନୁସରଣ କରୁଥିବା କଥା ଅଭିଯୋଗକାରୀଙ୍କ ଓକିଲମାନେ କହିଛନ୍ତି। କାରଣ, ସେ କ୍ଷେତ୍ରରେ ବି କମ୍ପାନିମାନେ ଜାଣିଶୁଣି ହାନିକାରକ ଉତ୍ପାଦ ବିକ୍ରୟ କରୁଥିଲେ।

ଓକିଲ ଲେନିୟର୍‌ ବିଚାରକବୃନ୍ଦଙ୍କୁ କହିଛନ୍ତି ଯେ ଛଅ ବର୍ଷ ବୟସରୁ କେଲି ‘ୟୁଟ୍ୟୁବ୍‌’ ଦେଖା ଆରମ୍ଭ କରିଥିଲା। ଏହାଦ୍ବାରା ସେ ତା’ ନିଶାରେ ପଡ଼ିବେ ବୋଲି କମ୍ପାନି ସେତେବେଳେ ତାଙ୍କ ମାଆଙ୍କୁ ସତର୍କ କରାଇ ନ ଥିଲା। ଅର୍ଥାତ୍‌ ବିପଦ ଥିବା ସତ୍ତ୍ବେ ପିଲାଟିକୁ ଜାଣିଶୁଣି କମ୍ପାନି ଟାର୍ଗେଟ୍‌ କରିଥିଲା। ରୋଚକ ବିଷୟ ହେଲା, ଏହା ହେଉଛି ଶିଶୁମାନଙ୍କର କ୍ଷତି କରିଥିବା କାରଣରୁ କୌଣସି ସାମାଜିକ ଗଣମାଧ୍ୟମ କମ୍ପାନି କୋର୍ଟ ଆଗରେ ହାଜର ହେବାର ସର୍ବପ୍ରଥମ ଘଟଣା। ଏହି ବିଚାର ପ୍ରକ୍ରିୟା ଉପରେ ସ୍ବାଭାବିକ ଭାବରେ ବିଶ୍ବବାସୀଙ୍କର ନଜର ରହିଛି।

ସୌଜନ୍ୟ ସମ୍ବାଦ

Exit mobile version