iPhone: ବିଚରା ବରର ଭାଇ ! ନାଳ ନର୍ଦ୍ଦମାରେ ଘଣ୍ଟାଘଣ୍ଟା ଘାଣ୍ଟି ହେଲେ ଆଇଫୋନ୍ ପାଇଁ…

ଲକ୍ଷ୍ନୌ: ଆଇଫୋନ୍ ପାଇଁ ଡ୍ରେନକୁ ଡେଇଁଲେ ବରର ଭାଇ । ନାଚୁନାଚୁ ନାଳରେ ପଡ଼ିଗଲା ନୂଆ ଫୋନ୍। ଦାମୀଫୋନ୍ ପାଇଁ ନାଳରେ ଝାଳନାଳ ଯୁବକ । ଅଟକିଲେ ବରଯାତ୍ରୀ, ଫିକା ପଡ଼ିଲା ବାହାଘର ଖୁସି । ଆଇଫୋନ୍ ପ୍ରେମୀଙ୍କୁ ଚମକାଇଦେଲା ଖବର ।

ବାଜୁଥିଲା ଡିଜେ, ନାଚୁଥିଲା ପାଦ । ଭାଇ ବାହାଘର ପାଇଁ ଧୂମ୍ ନାଚୁଥିଲେ ଯୁବକ । ବରଯାତ୍ରୀରେ ଡିଜେ ଡ୍ୟାନ୍ସରେ ମତୁଆଲା ଥିଲା ବେଳେ ନୂଆ ଆଇଫୋନରେ ଚାଲିଥିଲା ଭିଡ଼ିଓ ସୁଟିଂ । ଖୁସିର ମୁହୂର୍ତ୍ତକୁ କଏଦ କରୁଥିଲେ ବରର ଭାଇ । ହେଲେ ହଠାତ୍ କିଏ ଜଣେ ନାଚୁନାଚୁ ଧକ୍କା ଦେଲା ଆଉ ହାତରୁ ଆଇଫୋନଟା ନାଳକୁ ଛିଟକି ପଡ଼ିଲା । ଦାମୀଫୋନ୍ ତଳକୁ ଖସିପଡ଼ିବା ଦେଖି ଯୁବକଙ୍କ ହାଲୁକ ଖୁସି ଯାଇଥିଲା । ଆଉ ସଙ୍ଗେ ସଙ୍ଗେ ସିଏ ଫୋନ ଖୋଜିବାକୁ ଡ୍ରେନକୁ ଡିଆଁ ମାରିଥିଲେ… ଏମିତି ଏକ ରୋଚକ ଚିତ୍ର ଉତ୍ତରପ୍ରଦେଶରୁ ଆସିବା ପରେ ଆଇଫୋନ୍ ପ୍ରେମୀଙ୍କ ନଜର ଏହି ଖବର ଉପରେ ହିଁ ରହିଛି ।

ଗୁରୁବାର ଦିନ ୟୁପି କାନପୁରରୁ ଔରେୟାକୁ ଏକ ବରଯାତ୍ରୀ ଯାଉଥିଲା । ବାଜା, ବାଣ, ଡିଜେ ବଜାଇ ବର ଯାଉଥିବା ବେଳେ ବରଯାତ୍ରୀ ଏକ ମୁକୁଳା ଡ୍ରେନ୍ ଦେଇ ଆଗକୁ ବଢୁଥିଲା । ଠିକ୍ ଏହି ସମୟରେ ବରଯାତ୍ରୀରେ ନାଚୁଥିବା ବରର ଭାଇ ଡ୍ରେନକୁ ଡେଇଁ ପଡ଼ିଥିଲେ । ଆଉ ନର୍ଦ୍ଦମା ପାଣିରେ କିଛି ଖୋଜିବାକୁ ଲାଗିଲେ । ଏହା ଦେଖି ସମସ୍ତେ ତାଜୁବ ହୋଇଥିବାବେଳେ, ପରେ ଜଣାପଡିଥିଲା କି ତାଙ୍କ ହାତକୁ ଆଇଫୋନ୍ ଖସି ନାଳରେ ପଡ଼ିଯାଇଛି । ଆଉ ସେ ବରଯାତ୍ରୀ ଛାଡ଼ି ନିଜ ଫୋନ୍ ଖୋଜୁଛନ୍ତି ।

ତେବେ ଯୁବକ ଜଣଙ୍କ ନିଜ ଭାଇ ବାହାଘର ଥିବାରୁ ସେଦିନ ସକାଳେ ନୂଆ ଆଇଫୋନ୍-୧୭ କିଣି ଆଣିଥିଲେ । ମାତ୍ର ବିଡ଼ମ୍ବନା, ନୂଆ ଫୋନର ଖୁସି ଦିନକ ପାଇଁ ବି ରହିଲାନି । ରାତିରେ ବରଯାତ୍ରୀରେ ନାଚିବା ବେଳେ ତାହା ଡ୍ରେନକୁ ଖସିପଡ଼ିଲା । ପ୍ରାୟ ୧ ଘଣ୍ଟା ନର୍ଦ୍ଦମା ପାଣିରେ ଖୋଜିବା ପରେ ବି ଆଇଫୋନ ମିଳିନଥିଲା । ବାଧ୍ୟହୋଇ ବରର ଭାଇଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିବା ବେଳେ ଡିଜେ ଡ୍ୟାନ୍ସ ଓ ଆତସବାଜୀ ସବୁ ବନ୍ଦ ହୋଇଥିଲା ।

ସୌଜନ୍ୟ ସମ୍ବାଦ

Exit mobile version