Iran: ଇରାନ୍ର ଦାବି: ହର୍ମୁଜ୍ରେ ଆମେରିକାର ଅତ୍ୟାଧୁନିକ ବୁଡ଼ାଜାହାଜ ଜବତ କରିଛି
ଆମେରିକା ଓ ଇରାନ୍ ମଧ୍ୟରେ ଚାଲିଥିବା ତୀବ୍ର ସାମରିକ ଉତ୍ତେଜନା ମଧ୍ୟରେ ହର୍ମୁଜ୍ ପ୍ରଣାଳୀର ପ୍ରବେଶପଥରେ ଆମେରିକାର ଏକ ଅତ୍ୟାଧୁନିକ ମାନବବିହୀନ ବୁଡ଼ାଜାହାଜ ଜବତ କରିଥିବା ଇରାନ୍ ଦାବି କରିଛି।

ତେହରାନ୍: ଆମେରିକା ଓ ଇରାନ୍ ମଧ୍ୟରେ ଚାଲିଥିବା ତୀବ୍ରସାମରିକ ଉତ୍ତେଜନା ମଧ୍ୟରେ ହର୍ମୁଜ୍ ପ୍ରଣାଳୀର ପ୍ରବେଶପଥରେ ଆମେରିକାର ଏକ ଅତ୍ୟାଧୁନିକ ମାନବବିହୀନ ବୁଡ଼ାଜାହାଜ ଜବତ କରିଥିବା ଇରାନ୍ ଦାବି କରିଛି। ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ୍ (ଆଇଆର୍ଜିସି)ର ନୌସେନା ମଙ୍ଗଳବାର ସକାଳେ ଏହାକୁ ଜବତ କରିଥିବା କହିଛି। ଏହି କାର୍ଯ୍ୟକୁ ଏକ ଜଟିଳ ଗୁପ୍ତଚର ଓ ସାମରିକ ଅଭିଯାନ ବୋଲି ଆଇଆର୍ଜିସି ବର୍ଣ୍ଣନା କରିଛି।
ଆଇଆର୍ଜିସି ଅନୁସାରେ, ଜବତ ମାନବବିହୀନ ବୁଡ଼ାଜାହାଜଟି ‘ଡାଇଭ୍-ଏଲ୍ଡି’। ଏହାକୁ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ପ୍ରତିରକ୍ଷା କମ୍ପାନି ଆଣ୍ଡୁରିଲ୍ ନିର୍ମାଣ କରିଛି। ପ୍ରାୟ ୧୯ ଫୁଟ୍ ଲମ୍ବା ଏହି ସ୍ୱୟଂଚାଳିତ ଜଳଯାନକୁ ସମୁଦ୍ରତଳ ନିରୀକ୍ଷଣ, ଗୁପ୍ତଚର ତଥ୍ୟ ସଂଗ୍ରହ, ସମୁଦ୍ରତଳ ମାନଚିତ୍ର ପ୍ରସ୍ତୁତି, ସାମୁଦ୍ରିକ ମାଇନ୍ ଚିହ୍ନଟ ଏବଂ ସମୁଦ୍ର ତଳେ ଥିବା କେବୁଲ୍ ଓ ପାଇପ୍ଲାଇନ୍ ଯାଞ୍ଚ ଭଳି କାମ ପାଇଁ ବ୍ୟବହାର କରାଯାଏ।
ଆଇଆର୍ଜିସି ଏହାକୁ ଆମେରିକାର ସବୁଠାରୁ ଆଧୁନିକ, ବୁଦ୍ଧିମାନ ଓ ମାନବବିହୀନ ବୁଡ଼ାଜାହାଜ ମଧ୍ୟରୁ ଗୋଟିଏ ବୋଲି ଦାବି କରିଛି। ଜବତ ଯାନର ଫଟୋ ଓ ବିସ୍ତୃତ ଭିଡିଓ ପ୍ରକାଶ କରାଯିବ ବୋଲି ମଧ୍ୟ ଇରାନ୍ କହିଥିଲା। ପରେ ଇରାନୀଗଣମାଧ୍ୟମଏହାର ଭିଡିଓ ଓ ଫଟୋ ପ୍ରକାଶ କରିଛି। ତେବେ ଭିଡିଓରେ ଦେଖାଯାଇଥିବା ଯାନଟି ଡାଇଭ୍-ଏଲ୍ଡି ମଡେଲ୍ ସହ ମେଳ ଖାଉଥିଲେ ମଧ୍ୟ ଘଟଣାର ସ୍ଥାନ ଓ ସମୟ ସ୍ୱାଧୀନ ଭାବେ ଯାଞ୍ଚ ହୋଇପାରିନାହିଁ।
ସୌଜନ୍ୟ ସମ୍ବାଦ




