ତେହେରାନ/ୱାସିଂଟନ: ପଶ୍ଚିମ ଏସିଆରେ ସାମରିକ ସଂଘର୍ଷଜନିତ ସ୍ଥିତି ଏବେ ଅତି ଜଟିଳ ମୋଡ଼ରେ ପହଞ୍ଚିଛି। ପାକିସ୍ତାନ ମଧ୍ୟସ୍ଥତାରେ ଚାଲିଥିବା କୂଟନୈତିକ ପ୍ରୟାସ ବିଫଳ ହେବାପରେ ଏବେ ଉପସାଗରୀୟ ରାଷ୍ଟ୍ରମାନେ ଯୁଦ୍ଧ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି ଏବଂ ଆମେରିକା ଉପରେ ଚାପ ସୃଷ୍ଟି କରିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ହେବାକୁ ଥିବା ସାମରିକ ଆକ୍ରମଣକୁ ଗତକାଲି ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖିବା ପରେ ଆଜି ଇରାନ ଏକ କଡ଼ା ବାର୍ତ୍ତାରେ କହିଛି ଯେ ଆମେରିକାର ଚାପ ଆଗରେ ମୁଣ୍ଡ ନୁଆଁଇବା ପ୍ରଶ୍ନ ଉଠୁନାହିଁ। ଆକ୍ରମଣ ଭୟରେ ଆମେ ଆତ୍ମସମର୍ପଣ କରିବା ପ୍ରଶ୍ନ ଉଠୁନାହିଁ ବୋଲି ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ କହିଛନ୍ତି। ସୂଚନାଯୋଗ୍ୟ, କତର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଭଳି ଆଞ୍ଚଳିକ ଶକ୍ତିଗୁଡ଼ିକର ମଧ୍ୟସ୍ଥତା ଓ ଅନୁରୋଧକ୍ରମେ ଟ୍ରମ୍ପ ଇରାନ ଉପରେ ଦ୍ବିତୀୟ ପର୍ଯ୍ୟାୟ ଆକ୍ରମଣକୁ ଆକ୍ରମଣକୁ ଟାଳିଛନ୍ତି ଏବଂ ଆଜି ଦିନ ସାରା କୂଟନୈତିକ ସ୍ତରରେ ବିଭିନ୍ନ ପ୍ରୟାସ ଜାରି ରହିଛି।
ଆମେରିକା ପକ୍ଷରୁ ଆଜି ଇରାନ ଉପରେ ଏକ ବଡ଼ଧରଣର ବିମାନ ଆକ୍ରମଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ମାତ୍ର କତରର ଅମିର ତମିମ ବିନ୍ ହମାଦ ଅଲ୍ ଥାନି ଏବଂ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ଅନୁରୋଧକ୍ରମେ ଟ୍ରମ୍ପ ଏହି ଯୋଜନାକୁ ସ୍ଥଗିତ ରଖିଥିବା ‘ଟ୍ରୁଥ୍ ସୋସିଆଲ୍’ ପ୍ଲାଟଫର୍ମରେ ସ୍ପଷ୍ଟ କରିଛନ୍ତି। କିନ୍ତୁ ଏହା ସହିତ ସେ ଚେତାବନୀ ଦେଇଛନ୍ତି ଯେ, ଯଦି ଇରାନ ସର୍ତ୍ତମୂଳକ ଚୁକ୍ତିନାମା ସ୍ବୀକାର ନକରେ, ତେବେ ଯେକୌଣସି ମୁହୂର୍ତ୍ତରେ ପେଣ୍ଟାଗନ ବଡ଼ ଆକ୍ରମଣ କରିବାକୁ ପ୍ରସ୍ତୁତ ରହିଛି। ଆଜି ଇରାନ ଏହି ଚେତାବନୀକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ସହ ଦେଶର ନିରାପତ୍ତା ଓ ସାର୍ବଭୌମତ୍ୱ ପ୍ରସଙ୍ଗରେ ଇରାନର ନାଗରିକ ଓ ସେନା ସାଲିସ କରିବ ନାହିଁ ବୋଲି ଘୋଷଣା କରିଛି।
ଆତ୍ମସମର୍ପଣର ପ୍ରଶ୍ନ ଉଠୁନାହିଁ: ଇରାନ ହର୍ମୁଜ ଉପରେ କାହାର ଏକଚାଟିଆ ଅଧିକାର ନାହିଁ: କତର
ପାକିସ୍ତାନ ମାଧ୍ୟମରେ ଇରାନ ଏକ ନୂତନ ଶାନ୍ତି ପ୍ରସ୍ତାବ ଆମେରିକା ନିକଟକୁ ପଠାଇଛି, ମାତ୍ର ଏହାର ଅର୍ଥ ଆତ୍ମସମର୍ପଣ ନୁହେଁ ବୋଲି ଇରାନ ସ୍ପଷ୍ଟ କରିଛି। କତରର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ପରୋକ୍ଷ ଆଲୋଚନା ପାଇଁ ଆହୁରି ଅଧିକ ସମୟ ଆବଶ୍ୟକ। କତର ଏହି ଆଞ୍ଚଳିକ ଅସ୍ଥିରତା ମଧ୍ୟରେ ନିଜ ଆକାଶମାର୍ଗ ଓ ସାମରିକ ଘାଟିକୁ ଆମେରିକାର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବହାର କରିବାକୁ ମନା କରିଦେଇଛି। ଏଥିସହିତ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ ମାର୍ଗ ହର୍ମୁଜ ଉପରେ କୌଣସି ଦେଶ ଏକଚାଟିଆ ଅଧିକାର ବିସ୍ତାର କରି ଯାତାୟାତ ବନ୍ଦ କରିପାରିବ ନାହିଁ ବୋଲି କତର ଜୋର୍ ଦେଇଛି।
ହର୍ମୁଜ ଜଳପଥକୁ ମୁକ୍ତ ରଖିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀକାଳୀନ ବୈଠକ ଡକାଇବାକୁ ଯୋଜନା କରୁଛି। ଅନ୍ୟପଟେ ଲେବାନନ ସୀମାରେ ଇସ୍ରାଏଲ ସେନା ପକ୍ଷରୁ ୧୨ଟି ସହର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ନାବାତିୟା ଜିଲ୍ଲାରେ ଡ୍ରୋନ୍ ଆକ୍ରମଣ ଯୋଗୁଁ ଅନେକ ଆହତ ହୋଇଛନ୍ତି। ଜାତିସଂଘ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ମାନବୀୟ ସହାୟତା ଦିଗରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନ କରିବାକୁ କହିଛି।
କେଶମ ଦ୍ବୀପରେ ବିସ୍ଫୋରଣ, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ
ତେହେରାନ: ଇରାନର ରଣନୈତିକ ଦୃଷ୍ଟିକୋଣରୁ ଅତି ଗୁରୁତ୍ବପୂର୍ଣ୍ଣ କେଶମ ଦ୍ବୀପରେ ମଙ୍ଗଳବାର ଅପରାହ୍ନରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ଏହି ଘଟଣାକୁ ନେଇ ସମଗ୍ର ପଶ୍ଚିମ ଏସିଆ ଅଞ୍ଚଳରେ ପୁନର୍ବାର ଆତଙ୍କ ଖେଳିଯାଇଛି। ତେବେ ଇରାନର ସରକାରୀ ଗଣମାଧ୍ୟମ ତସନିମ୍ ନ୍ୟୁଜ୍ ଏଜେନ୍ସି ହରମୋଜଗାନ ପ୍ରଦେଶର ଉପ-ରାଜ୍ୟପାଳ ଅହମ୍ମଦ ନାଫିସିଙ୍କ ସୂତ୍ରରୁ ସ୍ପଷ୍ଟ କରିଛି ଯେ, ଏହି ବିସ୍ଫୋରଣଗୁଡ଼ିକ କୌଣସି ବାହ୍ୟ ଆକ୍ରମଣ ନୁହେଁ, ବରଂ ସେନା ଦ୍ବାରା ଶତ୍ରୁପକ୍ଷର ପୁରୁଣା ଓ ଅଫୁଟା ଗୋଳାବାରୁଦକୁ ନିୟନ୍ତ୍ରିତ ଭାବେ ନଷ୍ଟ କରାଯିବା ସମୟରେ ହୋଇଛି। ଏହି ପ୍ରକ୍ରିୟାରେ କୌଣସି ନାଗରିକ ଆହତ ହୋଇନାହାନ୍ତି କିମ୍ବା ସମ୍ପତ୍ତି ନଷ୍ଟ ହୋଇନାହିଁ। ନିୟନ୍ତ୍ରିତ ବିସ୍ଫୋରଣ ପୂର୍ବରୁ ଗତରାତିରେ କେଶମ ଦ୍ବୀପ ଆକାଶରେ କିଛି ସନ୍ଦିଗ୍ଧ ଗୁପ୍ତଚର ମାଇକ୍ରୋ-ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ ପକ୍ଷରୁ ସଙ୍ଗେ ସଙ୍ଗେ ସ୍ଥାନୀୟ ବାହୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରି ଶତ୍ରୁପକ୍ଷର ଡ୍ରୋନ୍ ପ୍ରୟାସକୁ ବିଫଳ କରାଯାଇଥିଲା। ସେହି ସମୟରେ କେନ୍ଦ୍ରୀୟ ସହର ଇସ୍ଫାହାନରେ ମଧ୍ୟ ସମାନ ଧରଣର ଏୟାର ଡିଫେନ୍ସ ଆଲର୍ଟ ଜାରି କରାଯାଇଥିଲା।
ସୌଜନ୍ୟ ସମ୍ବାଦ