ବସ୍‌ ମାଲିକ ସଂଘ ସଭାପତିଙ୍କ ଛୁରାମାଡ଼

କୋରାପୁଟ: ବସ୍‌ ଚଳାଚଳ ସମୟକୁ କେନ୍ଦ୍ର କରି କୋରାପୁଟ ଘରୋଇ ବସ୍‌ ମାଲିକ ସଂଘ ସଭାପତି ସେକ୍‌ କାସିମ୍‌ଙ୍କ ଉପରେ ଆକ୍ରମଣ ହୋଇଛି। ତାଙ୍କ ପିଠିରେ ଛୁରା ମାଡ଼ ହୋଇଥିବା କୋରାପୁଟ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଜଣେ ଘରୋଇ ବସ୍‌ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ଗତକାଲି କୋରାପୁଟରୁ ଜୟପୁର ଅଭିମୁଖେ ବାହାରିଥିବା ଗୋଟିଏ ଘରୋଇ ବସ୍‌ର କଣ୍ଡକ୍ଟରଙ୍କୁ ଅନ୍ୟ ଗୋଟିଏ ଘରୋଇ ବସ୍‌ର ମାଲିକ ଫୋନ୍‌ କରି ୨ଟା ୨୦ ମିନିଟ୍‌ ପରିବର୍ତ୍ତେ ୨ଟା ୧୫ମିନିଟ୍‌ରେ ବସ୍‌ ଛାଡ଼ିବାକୁ ଧମକ ଦେଇଥିଲେ। ଏ ନେଇ ତୁରନ୍ତ କଣ୍ଡକ୍ଟର ବସ୍‌ ମାଲିକଙ୍କୁ ଅବଗତ କରାଇଥିଲେ। ବିବାଦର ଆଶଙ୍କା କରି ଘରୋଇ ବସ୍‌ ମାଲିକ ସଂଘକୁ ଏହି ବିଷୟରେ ଜଣାଇଥିଲେ ସଂପୃକ୍ତ ବସ୍‌ ମାଲିକ। ଅଭିଯୋଗକୁ ଭିତ୍ତି କରି ଆଜି ଘରୋଇ ବସ୍‌ ମାଲିକ ସଂଘ ସଭାପତି ସେକ୍‌ କାସିମ୍‌, ସଂପାଦକ ଓ ସଂପୃକ୍ତ ବସ୍‌ ମାଲିକ ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ଏହି ଖବର ପାଇ ଧମକ ଦେଇଥିବା ବସ୍‌ ମାଲିକଙ୍କ ସହ ଅନ୍ୟ ‌କିଛିଜଣ ମଧ୍ୟ ସେଠାରେ ପହଞ୍ଚିଥିଲେ। ସେଠାରେ କାସିମ୍‌ଙ୍କୁ ଗାଳିଗୁଲଜ ସହ ଛୁରିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମିଳିବା ପରେ ପୁଲିସ ସିସି କ୍ୟାମେରା ଯାଞ୍ଚ କରିଥିଲା। ତେବେ ସେହି ସମୟରେ କୋରାପୁଟ ସହରରେ ବିଦ୍ୟୁତ୍‌ ନଥିବାରୁ କୌଣସି ପ୍ରକାର ରେକର୍ଡ ହୋଇପାରିନି। ତଦନ୍ତ ଚାଲିଛି ଏବଂ ବିପକ୍ଷ ଗୋଷ୍ଠୀ ପାଲଟା ଏତଲା ଦେଇଥିବା କୋରାପୁଟ ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ସୂଚନା ଦେଇଛନ୍ତି। କୋରାପୁଟ ବଡ଼ମେଡିକାଲରେ ‌ସେକ୍‌ କାସିମ୍‌ଙ୍କ ଚିକିତ୍ସା କରାଯାଇଛି।\
ସୌଜନ୍ୟ – ସମ୍ୱାଦ

Show More
Back to top button