ରାଜ୍ୟ

Jagannath Road: ଦୀପାବଳି ନିମନ୍ତେ ନୂଆ ଜଗନ୍ନାଥ ସଡ଼କରେ ଅସମ୍ଭାଳ ଭିଡ଼: ଓଭରବ୍ରିଜ୍‌ ନିର୍ମାଣ କେବେ?

ବର୍ଷ ବର୍ଷ ଧରି ଶ୍ରୀକ୍ଷେତ୍ର ପୁରୀକୁ ସଂଯୋଗ କରୁଥିବା ନିରାକାରପୁରସ୍ଥିତ ନୂଆ ଜଗନ୍ନାଥ ସଡ଼କର ରେଳ ଫାଟକରେ ପ୍ରତିଦିନ ଅସମ୍ଭାଳ ଭିଡ଼ ଲାଗି ରହୁଛି। ଦୀପାବଳି ପର୍ବ ଉପଲକ୍ଷେ ଦୂରଦୂରାନ୍ତରୁ ଶ୍ରୀକ୍ଷେତ୍ର ପୁରୀଠାରେ ବଡ଼ବଡୁଆ ଟେକିବା ଉଦ୍ଦେଶ୍ୟରେ...

ନିରାକାରପୁର: ବର୍ଷ ବର୍ଷ ଧରି ଶ୍ରୀକ୍ଷେତ୍ର ପୁରୀକୁ ସଂଯୋଗ କରୁଥିବା ନିରାକାରପୁରସ୍ଥିତ ନୂଆ ଜଗନ୍ନାଥ ସଡ଼କର ରେଳ ଫାଟକରେ ପ୍ରତିଦିନ ଅସମ୍ଭାଳ ଭିଡ଼ ଲାଗି ରହୁଛି। ଦୀପାବଳି ପର୍ବ ଉପଲକ୍ଷେ ଦୂରଦୂରାନ୍ତରୁ ଶ୍ରୀକ୍ଷେତ୍ର ପୁରୀଠାରେ ବଡ଼ବଡୁଆ ଟେକିବା ଉଦ୍ଦେଶ୍ୟରେ ଏହି ରାସ୍ତା ଦେଇ ଯାଉଥିବା ହଜାର ହଜାର ସଂଖ୍ୟାରେ ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧାଳୁ ଦିନତମାମ ଟ୍ରାଫିକ ଯନ୍ତ୍ରଣା ଭୋଗିଥିଲେ। ଆଜି ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ଭିତରୁ ଲୋକେ ମୁକୁଳି ପାରି ନଥିଲେ। ଏହି ଭିଡ଼ ଏଡ଼ାଇବାକୁ ଯାଇ ଉଭୟ ସ୍ଥାନୀୟ ପୁଲିସ ସମେତ ରେଳ ସୁରକ୍ଷା ବଳ ମଧ୍ୟ ନାକେଦମ୍‌ ହୋଇଥିଲା। ଏହା ସତ୍ୱେ ଭିଡ଼ ଟଳି ନଥିଲା। ଭିଡ଼ ଭିତରେ ସ୍କୁଲ ଗାଡ଼ିଠାରୁ ଆରମ୍ଭକରି ଆମ୍ବୁଲାନ୍ସ ଓ ପୁଲିସ ଯାନ ଫସି ରହିଥିଲା। ପରିସ୍ଥିତି ଏଭଳି ହୋଇଥିଲା, ରେଳ ଫାଟକଠାରୁ ପଦ୍ମପୁର ଓ ରେଳ ଫାଟକଠାରୁ ମାଲୁଣି ପୋଖରୀ ପର୍ଯ୍ୟନ୍ତ ବିଭିନ୍ନ ଯାନବାହନ ଘଣ୍ଟା ଘଣ୍ଟା ଅଟକି ରହିଥିଲା। ଏହି ଭିଡ଼ ଏଡ଼ାଇବାକୁ ଯାଇ ସ୍ଥାନୀୟ କିଛି ସ୍ବେଛାସେବୀ ଯୁବକ ଅଣ୍ଟା ଭିଡ଼ିଥିଲେ ମଧ୍ୟ ଟ୍ରାଫିକ ସମସ୍ୟାରେ ସୁଧାର ଆସି ନଥିଲା। ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏଠାରେ ଓଭର୍‌ବ୍ରିଜ୍‌ ନିର୍ମାଣ ଦାବି ହୋଇ ଆସୁଥିଲେ ସୁଦ୍ଧା ବାରମ୍ବାର ଜମି ଅଧିକରଣ ସମସ୍ୟା କାରଣରୁ ଏହା ଲଟକି ରହିଛି। କେବେ ଏଠାରେ ଓଭରବ୍ରିଜ ନିର୍ମାଣ ହେବ, ଲୋକଙ୍କୁ ଟ୍ରାଫିକ ଯନ୍ତ୍ରଣାରୁ ମୁକ୍ତି ମିଳିବ ତାହାକୁ ଅପେକ୍ଷା।

ସୂଚନାଯୋଗ୍ୟ, ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାବାସୀ ଶ୍ରୀକ୍ଷେତ୍ର ପୁରୀ ଯିବାକୁ ହେଲେ ନିରାକାରପୁର ବଜାର ମଧ୍ୟ ଦେଇ ଯାଇଥିବା ନୂଆଜଗନ୍ନାଥ ସଡ଼କ ମୁଖ୍ୟ ମାଧ୍ୟମ। ହେଲେ ନିରାକାରପୁର ଠାରେ ଥିବା ୨୧୯ ନମ୍ବର ରେଳ ଫାଟକ ଶ୍ରଦ୍ଧାଳୁଙ୍କ ନିମନ୍ତେ ଯନ୍ତ୍ରଣାଦାୟକ ହୋଇଛି। ପ୍ରତି ୧୦ରୁ ୧୫ମିନିଟ ଅନ୍ତରରେ ମାଲବାହୀ ଟ୍ରେନ୍‌ ଏକାଧିକ ପାସେଞ୍ଜର ଓ ଏକ୍ସପ୍ରେସ୍‌ ରେଳ ଚଳାଚଳକୁ ନେଇ ଫାଟକ ବନ୍ଦ ରହୁଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଯାନବାହନ ଅଟକି ରହି ଟ୍ରାଫିକ ସମସ୍ୟା ଗୁରୁତର ହେଉଛି। ଅନେକ ସମୟରେ ରୋଗୀସେବା ଭଳି ଜରୁରୀ ଯାନବାହନ, ସ୍କୁଲ ଗାଡ଼ି ଅଟକି ରହୁଥିବାରୁ ଘଟଣା ସ୍ଥଳରେ ସ୍କୁଲ ଓ ଅଙ୍ଗନବାଡ଼ି ଛାତ୍ରଛାତ୍ରୀ ଧୂଳି, ଧୂଆଁ ଓ ଧୂସରେ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି। ରେଳ ବିଭାଗଠାରୁ ପୂର୍ତ୍ତ ବିଭାଗ ଏପରିକି ତହସିଲ ପ୍ରଶାସନଠାରୁ ଆରମ୍ଭକରି ଜିଲ୍ଲାପ୍ରଶାସନ ପର୍ଯ୍ୟନ୍ତ ପଚାରିବାରେ ଖୁବ୍‌ଶୀଘ୍ର ଓଭରବ୍ରିଜ୍‌ ନିର୍ମାଣ ନେଇ କହି ଆସୁଥିଲେ ସୁଦ୍ଧା ହୋଇନପାରିବା ବିଡ଼ମ୍ବନାର ବିଷୟ।

ଫଳରେ ଦୂରଦୁରାନ୍ତରୁ ଏହି ରାସ୍ତା ଦେଇ ଗମନାଗମନ କରୁଥିବା ଯାତ୍ରୀ ଏଭଳି ଦୂରବସ୍ଥା ନେଇ ଏବେ ନାକ ଟେକିଲେଣି। କେବେ ଏଠାରେ ଓଭରବ୍ରିଜ୍‌ ନିର୍ମାଣ ହେବ, ଲୋକେ ଟ୍ରାଫିକ ଯନ୍ତ୍ରଣାରୁ ମୁକ୍ତି ପାଇବେ ଏହା ଦେଖିବାକୁ ଲୋକେ ଚାହିଁ ବସିଛନ୍ତି। ଦୈନନ୍ଦିନ ଏହି ରାସ୍ତା ଉପରେ ନିର୍ଭର କରୁଥିବା ସ୍ଥାନୀୟବାସିନ୍ଦାଙ୍କ ସମେତ ହଜାର ହଜାର ଯାତ୍ରୀଙ୍କ ନିରାପଦ ଓ ସୁଗମ୍ୟ ଗମନାଗମନ ଦୃଷ୍ଟିରୁ ତୁରନ୍ତ ଏଠାରେ ଓଭରବ୍ରିଜ୍‌ ନିର୍ମାଣ କରିବା  ନିମନ୍ତେ ସ୍ଥାନୀୟ ସାମାଜିକକର୍ମୀ ସନ୍ତୋଷ କୁମାର ଦଳେଇ, ସିପିଆଇଏମ୍‌ ନେତା ବିଧୁ ଭୂଷଣ ମହାରଣା, ପ୍ରାକ୍ତନ ମଣ୍ଡଳ ସଭାପତି ସନାତନ ବାରିକ, ବିଜେପି ବୁଥ ସଭାପତି ମଙ୍ଗୁଳି ମହତରାୟ, ସ୍ବେଚ୍ଛାସେବୀ ମୃତ୍ୟୁଞ୍ଜୟ ପ୍ରଧାନ, ପ୍ରାକ୍ତନ ବିଜେପି ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ ପ୍ରମୁଖ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button