ଭୁବନେଶ୍ବର: ରାଜ୍ୟରେ ଜଣେ ବି ଜେଲ୍ ଅଧିକାରୀ କି କର୍ମଚାରୀ ପଦକ ପାଇବାକୁ ଯୋଗ୍ୟ ହେଉନାହାନ୍ତି। ଚଳିତ ବର୍ଷ ବିଭିନ୍ନ ଜେଲ୍ର ୩୦ କର୍ମଚାରୀଙ୍କ ବିରୋଧରେ ମାମଲା ଚାଲିଛି। ଚୌଦ୍ବାର ଜେଲ୍ର ଜଣେ ମହିଳା କଏଦୀଙ୍କ ଗହଣା କର୍ତ୍ତୃପକ୍ଷଙ୍କ ହେପାଜତରେ ଥାଇ ଚୋରି ହୋଇଯିବା ଘାଟଣାର ରଫାଦଫା ପାଇଁ ଜେଲ୍ ଅଧୀକ୍ଷକ ସୁନା ବାବଦରେ ୧ଲକ୍ଷ ୯୦ ହଜାର ଟଙ୍କା ଦେବା ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ଜେଲ୍ ଡିଜି ସୁଶାନ୍ତ ନାଥ ହଠାତ୍ ଚିହିଁକି ଉଠିବା ସହ ରାଗିଯାଇ ବିଭାଗର ଗୁମର ଖୋଲି ଦେଇଛନ୍ତି। ସେ ଆହୁରି ତଥ୍ୟ ରଖି କହିଥିଲେ, ଗତ ୨୦୨୪ରେ ବିଭିନ୍ନ ଜେଲ୍ରୁ ୧୨ ଜଣ କଏଦୀ ଖସି ପଳାଇଥିଲେ। ୨୦୨୫ରେ ୬ ଜଣ କଏଦୀ ଜେଲ୍ରୁ ଚମ୍ପଟ ମାରିଥିଲେ। ତେବେ ୨୦୨୫ ମସିହାରେ ଚମ୍ପଟ ମାରିଥିବା ୬ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଛି। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ବି ୩ଜଣ ଫେରାର୍ ଅଛନ୍ତି। କଏଦୀ ଚମ୍ପଟ ରୋକିବା ପାଇଁ ଏଆଇ ଟାୱାର୍ ବ୍ୟବସ୍ଥା କରାଯାଉଛି।ପ୍ରଥମ ପର୍ଯ୍ୟାୟରେ ୩୪ଟି ଜେଲ୍ରେ ଏଆଇ ବ୍ୟବସ୍ଥା ଲାଗୁ କରାଯାଇଛି। ଡିଜି ଶ୍ରୀ ନାଥ କହିଥିଲେ, ଅନ୍ୟ ସବୁ ବିଭାଗରେ ଏତେ ଘଟଣା ଘଟୁଛି, କେବଳ ଜେଲ୍ ବିଭାଗକୁ କାହିଁକି ଟାର୍ଗେଟ୍ କରାଯାଉଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶ୍ନ କରିଥିଲେ।
ଚୌଦ୍ବାର ଜେଲ୍ରେ ମହିଳା କଏଦୀଙ୍କ ସୁନା ଗାଏବ ମାମଲାର ତଦନ୍ତ ହେବ। ତାଙ୍କୁ ୧ ଲକ୍ଷ ୯୦ ହଜାର ଟଙ୍କା ଫେରସ୍ତ ପାଇଁ ମୁଁ କୌଣସି ନିର୍ଦ୍ଦେଶ ଦେଇନଥିଲି ବୋଲି ଡିଜି ଶ୍ରୀ ନାଥ କହିଛନ୍ତି। ମୋ ଜାଣତରେ ଚୌଦ୍ୱାର ଜେଲ୍ ଅଧୀକ୍ଷକ ଟଙ୍କା ଦେଇନାହାନ୍ତି। ହେଲେ ତତ୍କାଳୀନ ଜେଲ୍ ଅଧୀକ୍ଷକ ଠିକ୍ ଭାବେ ରେଜିଷ୍ଟର୍ ତଦାରଖ କରୁ ନ ଥିଲେ। କଏଦୀ ଚମ୍ପଟ ଘଟଣାରେ ବି ସେହି ଜେଲର୍ଙ୍କ ଭୁଲ୍ ଥିବା କହି ନିଜ ବିଭାଗର ଗୁମର ଖୋଲିଛନ୍ତି। ତାଙ୍କ ବଦଳି ହେବା ପରେ ସେ ଏପଟସେପଟ ଖବର ଦେଉଛନ୍ତି। ଅଧିକାରୀଙ୍କ ତ୍ରୁଟି ସାମ୍ନାକୁ ଆସିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ନାଥ କହିଛନ୍ତି।
ଅନ୍ୟପଟେ ମହିଳା କଏଦୀଙ୍କୁ ଟଙ୍କା ଦେଉଥିବା ସମୟର ପୋଜ୍ ଦିଆ ଫଟୋ ଭାଇରାଲ୍ ଅନେକ କଥା କହୁଛି। ଯଦି ମହିଳା କଏଦୀଙ୍କ ଗହଣା ଚୋରି ହୋଇ ନଥିଲା। ତେବେ ତାଙ୍କୁ କାହିଁକି ଏତେ ଟଙ୍କା କ୍ଷତିପୂରଣ ଦିଆଗଲା? ଯେଉଁ ଟଙ୍କା ଦିଆଯାଇଛି, ତାହା କେଉଁ ପାଣ୍ଠିରୁ ଯାଇଛି? ନିଜେ ଜେଲ୍ ଅଧୀକ୍ଷକ ଦେଇଛନ୍ତି ନା ଜେଲ୍ ପାଣ୍ଠିରୁ ଯାଇଛି? ସେ ଦିଗରେ ତଦନ୍ତ କରାଯିବ ବୋଲି ପରୋକ୍ଷରେ ଜେଲ୍ ଡିଜି ଶ୍ରୀ ନାଥଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହୋଇଯାଉଛି।
ସୌଜନ୍ୟ ସମ୍ବାଦ
