JantarMantar: ଯନ୍ତର ମନ୍ତରରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ମିଳିଲାନି ଅନୁମତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ଦିଲ୍ଲୀ ପୁଲିସ
ଦିଲ୍ଲୀର ଯନ୍ତର ମନ୍ତରଠାରେ ଆୟୋଜନ ହେବାକୁ ଥିବା ସଂରକ୍ଷଣ ବିରୋଧୀ ଗଣ-ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନକୁ ଦିଲ୍ଲୀ ପୁଲିସ ଅନୁମତି ଦେବାକୁ ସ୍ପଷ୍ଟ ମନା କରିଦେଇଛି।

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତରଠାରେ ଆୟୋଜନ ହେବାକୁ ଥିବା ସଂରକ୍ଷଣ ବିରୋଧୀ ଗଣ-ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନକୁ ଦିଲ୍ଲୀ ପୁଲିସ ଅନୁମତି ଦେବାକୁ ସ୍ପଷ୍ଟ ମନା କରିଦେଇଛି। ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ପୁଲିସ ପ୍ରଶାସନ ପକ୍ଷରୁ ଏହି କଠୋର ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ସିଆର୍ପିଏଫ ଏବଂ ସିଆଇଏସ୍ଏଫ୍ ଭଳି ସୁରକ୍ଷା ବାହିନୀର ଅବସରପ୍ରାପ୍ତ ଯବାନମାନେ ମଧ୍ୟ ନିଜର ବିଭିନ୍ନ ଦାବିକୁ ନେଇ ଯନ୍ତର ମନ୍ତରରେ ଏକ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ଜନଜୀବନ ବ୍ୟାହତ ହେବା ସହ ଗୁରୁତର ପରିସ୍ଥିତି ସୃଷ୍ଟି ହେବା ନେଇ ଗୁଇନ୍ଦା ସଂସ୍ଥା ପକ୍ଷରୁ ସ୍ପଷ୍ଟ ସଙ୍କେତ ମିଳିବା ପରେ ପୁଲିସ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି।
ସଂରକ୍ଷଣ ବିରୋଧୀ ପ୍ରଦର୍ଶନ ପାଇଁ ଦେଶର ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ଲୋକ ଏବଂ ସଂଗଠନର କର୍ମକର୍ତ୍ତାମାନେ ଦିଲ୍ଲୀ ଆସିବାକୁ ଯୋଜନା କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ପକ୍ଷରୁ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଅବରୋଧ କରାଯାଇଛି। ବିନା ଅନୁମତିରେ ଯନ୍ତର ମନ୍ତର ଅଭିମୁଖେ ଯାଉଥିବା ପ୍ରଦର୍ଶନକାରୀଙ୍କକୁ ଅଟକାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ବାରିକେଡ୍ ସ୍ଥାପନ କରାଯିବା ସହ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି।
ସୌଜନ୍ୟ ସମ୍ବାଦ




