Judgement: ‘କେନ୍ଦ୍ର ସରକାର ସବୁଠୁ ବଡ଼ ମକଦ୍ଦମାବାଜ’: ୨୫ ହଜାର ଟଙ୍କା ଜରିମାନା ଠୁଙ୍କିଲେ ସୁପ୍ରିମ୍‌କୋର୍ଟ

ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଏକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟ ଯାଇଥିବା କେନ୍ଦ୍ର ସରକାରଙ୍କ ଉପରେ ବୁଧବାର କୋର୍ଟ ୨୫,୦୦୦ ଟଙ୍କା ଜରିମାନା ଲାଗୁ କରିଛନ୍ତି। ଏଥି ସହିତ ସାମାନ୍ୟ କଥାରେ ସୁପ୍ରିମ୍‌କୋର୍ଟ ଦଉଡ଼ୁଥିବା କେନ୍ଦ୍ର ସରକାରଙ୍କୁ ସବୁଠୁ ବଡ଼...

ନୂଆଦିଲ୍ଲୀ: ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଏକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟ ଯାଇଥିବା କେନ୍ଦ୍ର ସରକାରଙ୍କ ଉପରେ ବୁଧବାର କୋର୍ଟ ୨୫,୦୦୦ ଟଙ୍କା ଜରିମାନା ଲାଗୁ କରିଛନ୍ତି। ଏଥି ସହିତ ସାମାନ୍ୟ କଥାରେ ସୁପ୍ରିମ୍‌କୋର୍ଟ ଦଉଡ଼ୁଥିବା କେନ୍ଦ୍ର ସରକାରଙ୍କୁ ସବୁଠୁ ବଡ଼ ମକଦ୍ଦମାବାଜ କହି ଭର୍ତ୍ସନା କରିଛନ୍ତି ଏବଂ ମାମଲାକୁ ଖାରଜ କରିଦେଇଛନ୍ତି।

ମାମଲାଟି ଜଣେ ସିଆଇଏସ୍ଏଫ୍ କନଷ୍ଟେବଳଙ୍କୁ ବରଖାସ୍ତ କରିବା ସହ ଜଡିତ। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ତାଙ୍କ ଦରମାର ୨୫ ପ୍ରତିଶତ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେନ୍ଦ୍ର ସରକାରଙ୍କ ସ୍ପେସାଲ ଲିଭ୍ ପିଟିସନ (ଏସ୍‌ଏଲ୍‌ପି)କୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମ୍‌କୋର୍ଟର ଜଷ୍ଟିସ୍ ବିଭି ନାଗରତ୍ନା ଓ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ୍‌ଏଲ୍‌ପି ଦାଖଲ କରିବାକୁ କେନ୍ଦ୍ରର ପଦକ୍ଷେପକୁ ସମାଲୋଚନା କରି କହିଛନ୍ତି, ହାଇକୋର୍ଟର ଡିଭିଜନ୍ ବେଞ୍ଚର ଆଦେଶକୁ ଚ୍ୟାଲେଞ୍ଜ କରି ଭାରତ ସରକାର ଓ ଅନ୍ୟମାନେ କାହିଁକି ଏହି କୋର୍ଟକୁ ଆସିଲେ ତାହା ଆମେ ବୁଝିପାରିଲୁ ନାହିଁ। ଶୁଣାଣି ସମୟରେ ଜଷ୍ଟିସ୍ ନାଗରତ୍ନା କେନ୍ଦ୍ର ସରକାରଙ୍କୁ ସବୁଠାରୁ ବଡ ମକଦ୍ଦମାକାରୀ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ଏହି କାରଣରୁ କୋର୍ଟରେ ଏତେ ସଂଖ୍ୟକ ମାମଲା ବିଚାରାଧୀନ ଅଛି। ବିଚାରାଧୀନ ମାମଲା ନେଇ ହୁରି ପଡ଼ୁଛି, କିନ୍ତୁ ସବୁଠାରୁ ବଡ ମକଦ୍ଦମାକାରୀ କିଏ?

ପ୍ରାୟ ୧୦ ବର୍ଷ ଚାକିରି ପରେ ସିଆଇଏସ୍‌ଏଫ୍‌ କନେଷ୍ଟବଳଙ୍କୁ ଦୁଇଟି ଅଭିଯୋଗରେ ବରଖାସ୍ତ କରାଯାଇଥିଲା। ପ୍ରଥମ ଚାର୍ଜ: ୧୧ ଦିନ ପାଇଁ ବିନା ସୂଚନାରେ ଡ୍ୟୁଟିରେ ଅନୁପସ୍ଥିତ ରହିବା। ଦ୍ୱିତୀୟ ଅଭିଯୋଗ ହେଉଛି ଅନ୍ୟ ଜଣେ ସିଆଇଏସ୍‌ଏଫ କନଷ୍ଟେବଳଙ୍କ ଝିଅ ସହ ଷଡ୍‌ଯନ୍ତ୍ର କରି ମୁମ୍ବାଇରୁ ପଳାଇବା ଏବଂ ରାୟପୁରର ଆର୍ଯ୍ୟ ସମାଜ ମନ୍ଦିରରେ ତାଙ୍କ ସାନ ଭାଇଙ୍କ ସହ ତାଙ୍କ ବିବାହରେ ଯୋଗଦେବା। ଯାଞ୍ଚ ସମୟରେ ସେ ତାଙ୍କ ସ୍ଥାନରେ ଉପଲବ୍ଧ ନ ଥିଲେ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମୟରେ ସମ୍ପୃକ୍ତ ମହିଳା ମଧ୍ୟ ସ୍ପଷ୍ଟ ଭାବରେ କହିଥିଲେ ଯେ ତାଙ୍କର କୌଣସି ଅଭିଯୋଗ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ କନଷ୍ଟେବଳଙ୍କ ଭାଇଙ୍କ ସହ ବିବାହକୁ ନେଇ କୌଣସି ବିବାଦ ନାହିଁ। ହାଇକୋର୍ଟର ଏକକ ଖଣ୍ଡପୀଠ ତାଙ୍କୁ ପୁନଃ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟର ଡବଲ୍ ବେଞ୍ଚ ମଧ୍ୟ ସିଙ୍ଗଲ୍ ବେଞ୍ଚର ନିଷ୍ପତ୍ତିକୁ କାଏମ ରଖିଥିଲେ। ଏହା ପରେ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version