Judgement: ବିବାହିତ ବ୍ୟକ୍ତିଙ୍କ ଲିଭ୍-ଇନ୍ ସମ୍ପର୍କରେ ରହିବା କୌଣସି ଅପରାଧ ନୁହେଁ: ହାଇକୋର୍ଟ

ଜଣେ ବିବାହିତ ବ୍ୟକ୍ତି ଜଣେ ବୟସ୍କା ମହିଳାଙ୍କ ସହ ସମ୍ମତିକ୍ରମେ ଲିଭ୍-ଇନ୍ ସମ୍ପର୍କରେ ରହିବା କୌଣସି ଅପରାଧ ନୁହେଁ ବୋଲି ଶୁକ୍ରବାର ଆଲ୍ଲାହାବାଦ ହାଇକୋର୍ଟ ଏକ ଐତିହାସିକ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି। ବିଚାରପତି ଜେଜେ ମୁନିର...

ପ୍ରୟାଗରାଜ: ଜଣେ ବିବାହିତ ବ୍ୟକ୍ତି ଜଣେ ବୟସ୍କା ମହିଳାଙ୍କ ସହ ସମ୍ମତିକ୍ରମେ ଲିଭ୍-ଇନ୍ ସମ୍ପର୍କରେ ରହିବା କୌଣସି ଅପରାଧ ନୁହେଁ ବୋଲି ଶୁକ୍ରବାର ଆଲ୍ଲାହାବାଦ ହାଇକୋର୍ଟ ଏକ ଐତିହାସିକ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି। ବିଚାରପତି ଜେଜେ ମୁନିର ଓ ବିଚାରପତି ତରୁଣ ସକ୍‌ସେନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ, ସାମାଜିକ ନୈତିକତା କେବେ ହେଲେ ନାଗରିକଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବା କ୍ଷେତ୍ରରେ କୋର୍ଟଙ୍କ କର୍ତ୍ତବ୍ୟକୁ ବାଧା ଦେଇପାରିବ ନାହିଁ। ଯଦି ଆଇନ ଅନୁଯାୟୀ କୌଣସି ଅପରାଧ ହୋଇନାହିଁ, ତେବେ ସାମାଜିକ ମତାମତ ଏବଂ ନୈତିକତା ଦ୍ୱାରା କୋର୍ଟଙ୍କ ନିଷ୍ପତ୍ତି ପରିଚାଳିତ ହେବ ନାହିଁ।

ଉତ୍ତର ପ୍ରଦେଶର ଶାହାଜାହାପୁରର ଏକ ଲିଭ୍-ଇନ୍ ଦମ୍ପତିଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଣେ ୧୮ ବର୍ଷିୟା ଯୁବତୀ ନିଜ ପରିବାରଠାରୁ ଜୀବନ ପ୍ରତି ବିପଦ ଥିବା ଏବଂ ‘ଅନର କିଲିଂ’ର ଭୟ ଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ସ୍ପଷ୍ଟ କରିଥିଲେ ଯେ ସେ ଜଣେ ବୟସ୍କା ଏବଂ ନିଜ ସ୍ୱଇଚ୍ଛାରେ ସେହି ବ୍ୟକ୍ତିଙ୍କ ସହ ରହୁଛନ୍ତି। ପୂର୍ବରୁ ଏନେଇ ଶାହାଜାହାପୁର ପୁଲିସ ଅଧୀକ୍ଷକଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।

ଆହୁରି ପଢ଼ନ୍ତୁ:

ଶାହାଜାହାପୁର ଏସପିଙ୍କ ନିଷ୍କ୍ରିୟତା ଉପରେ କୋର୍ଟ ଅସନ୍ତୋଷ ପ୍ରକାଶ କରି ଏକାଠି ରହୁଥିବା ଦୁଇଜଣ ବୟସ୍କ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପୁଲିସର ପ୍ରାଥମିକ ଦାୟିତ୍ୱ ବୋଲି କହିଛନ୍ତି। ଏହାସହ ଜଣେ ନାଗରିକ ବିବାହିତ ହୁଅନ୍ତୁ ବା ଅବିବାହିତ, ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ସମସ୍ତଙ୍କ ପାଇଁ ସମାନ। କେବଳ ବିବାହ କରିନାହାନ୍ତି ବୋଲି ସେମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ କିମ୍ବା ସେମାନଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ରୁଜୁ କରାଯାଇପାରିବ ନାହିଁ ବୋଲି କୋର୍ଟ ଦର୍ଶାଇଛନ୍ତି।

ହାଇକୋର୍ଟ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। ପରିବାରର କୌଣସି ସଦସ୍ୟ ଦମ୍ପତିଙ୍କୁ ଶାରୀରିକ କ୍ଷତି ପହଞ୍ଚାଇ ପାରିବେ ନାହିଁ, ସେମାନଙ୍କ ଘରେ ପ୍ରବେଶ କରିପାରିବେ ନାହିଁ କିମ୍ବା ଫୋନ୍ ବା ସୋସିଆଲ ମିଡିଆ ଜରିଆରେ ସମ୍ପର୍କ କରିପାରିବେ ନାହିଁ। ଆବେଦନକାରୀଙ୍କ ସୁରକ୍ଷା ପାଇଁ ଶାହାଜାହାପୁର ଏସପି ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 

 

ସୌଜନ୍ୟ ସମ୍ବାଦ

Exit mobile version