ରାଜ୍ୟ

Judgment: ହାଇକୋର୍ଟଙ୍କ ରାୟ, ‘ଥାଲାସେମିଆ’ ନିର୍ଦ୍ଦିଷ୍ଟ ଦିବ୍ୟାଙ୍ଗ ଶ୍ରେଣୀଭୁକ୍ତ’: ମେଡିକାଲ ବୋର୍ଡ ରିପୋର୍ଟ ରଦ୍ଦ

‘ଥାଲାସେମିଆ’ରେ ଆକ୍ରାନ୍ତରେ ବ୍ୟକ୍ତି ଦିବ୍ୟାଙ୍ଗ ଶ୍ରେଣୀଭୁକ୍ତ ନୁହେଁ ବୋଲି ଦର୍ଶାଇ ନିଟ୍‌ ପରୀକ୍ଷାରେ ସଫଳ ହୋଇଥିବା ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରାନଯିବା ପ୍ରସଂଗକୁ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

କଟକ‘ଥାଲାସେମିଆ’ରେ ଆକ୍ରାନ୍ତରେ ବ୍ୟକ୍ତି ଦିବ୍ୟାଙ୍ଗ ଶ୍ରେଣୀଭୁକ୍ତ ନୁହେଁ ବୋଲି ଦର୍ଶାଇ ନିଟ୍‌ ପରୀକ୍ଷାରେ ସଫଳ ହୋଇଥିବା ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରାନଯିବା ପ୍ରସଂଗକୁ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ଶୁଣାଣି ବେଳେ ‘ଥାଲାସେମିଆ’ ଏକ ଅକ୍ଷମତା ବା ନୁହେଁ ସେ ନେଇ ପ୍ରଶ୍ନ ଉଠିଥିଲା। ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ (ଆରପିଡବ୍ଲୁଡି ଆକ୍ଟ), ୨୦୧୬ ଓ ୨୦୧୯, ମେ ୧୩ର ବିଜ୍ଞପ୍ତି ଅନୁସାରେ ‘ଥାଲାସେମିଆ’ ଏକ ନିର୍ଦ୍ଦିଷ୍ଟ ଦିବ୍ୟାଙ୍ଗତା ଶ୍ରେଣୀଭୁକ୍ତ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏଥି ସହିତ ଆ‌ବେଦନକାରୀ ଛାତ୍ରୀଙ୍କ ପ୍ରସଂଗରେ ମେଡିକାଲ ଆସେସମେଣ୍ଟ ବୋର୍ଡ ଦେଇଥିବା ରିପୋର୍ଟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଥାଲାସେମିଆ ଆକ୍ରାନ୍ତ ପ୍ରାର୍ଥୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

୪ ଦିନ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ, ୨୦୧୬’ର ଅନୁସୂଚୀ ଅନୁଯାୟୀ ‘ଥାଲାସେମିଆ’ ଏକ ”ରକ୍ତସମ୍ବନ୍ଧୀୟ ବିକୃତି” ଓ ଏହା ନିର୍ଦ୍ଦିଷ୍ଟ ଦିବ୍ୟାଙ୍ଗତା ଶ୍ରେଣୀଭୁକ୍ତ ‌ବୋଲି ହାଇକୋର୍ଟ କହିବା ସହିତ ପୂର୍ବରୁ ଦିଆଯାଇଥିବା ମେଡିକାଲ ଆସେସମେଣ୍ଟ ରିପୋର୍ଟକୁ ରଦ୍ଦ କରିଛନ୍ତି। ଏଥି ସହିତ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକକୁ ତୁରନ୍ତ ଏକ ନୂତନ ମେଡିକାଲ ଆସେସମେଣ୍ଟ ବୋର୍ଡ ଗଠନ କରି ଆବେଦନକାରୀଙ୍କ ଦିବ୍ୟାଙ୍ଗତାର ଶତକଡ଼ା ଆକଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରୀ ପାଠ୍ୟକ୍ରମ ନାମଲେଖା କାଉନସେଲିଂ ଜାରି ରହିଥିବାରୁ ୪ ଦିନ ମଧ୍ୟରେ ଏହି ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଓଜେଇଇ ଅଧ୍ୟକ୍ଷଙ୍କ ପକ୍ଷରୁ ଗତ ଅଗଷ୍ଟ ୨୫ରେ ନିର୍ଦ୍ଦିଷ୍ଟ ଭାବେ ପରୀକ୍ଷାର୍ଥୀଙ୍କ ପାଇଁ ଜାରି କରାଯାଇଥିବା ନୋଟିସକୁ ହାଇକୋର୍ଟ ରଦ୍ଦ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button