Heavy Rain: ଲଗାଣ ବର୍ଷାରେ ବଢୁଛି ସତୀଗୁଡା ଓ ବାଲିମେଳା ଜଳଭଣ୍ଡାରର ଜଳସ୍ତର, ତଳିଆ ଅଞ୍ଚଳରେ ଜଳବନ୍ଦୀ ଚାଷ ଜମି
ମାଲକାନଗିରିଜିଲ୍ଲାର ପ୍ରମୁଖ ସତୀଗୁଡ଼ା ଓ ବାଲିମେଳା ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ଲଗାତାର ବଢ଼ୁଛି। ବର୍ତ୍ତମାନ ସତୀଗୁଡ଼ା ଜଳଭଣ୍ଡାରରେ ୧୯୧.୨୫ ମିଟର ଜଳସ୍ତର ରହିଥିବା ବେଳେ ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୯୨.୬୩ ମିଟର।

ମାଲକାନଗିରି,୧୨/୯(ଇମିସ): ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ଦିନକୁ ଦିନ ବର୍ଷାର ପରିମାଣ ବଢ଼ୁଥିବାରୁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ିବା ସହ ଚାଷଜମିରେ ପାଣି ଜମି ରହିଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ପାଙ୍ଗାମ୍, ପୋଟେରୁ, ଏମଭି – ୯୬ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ଯାତାୟାତ ଠପ୍ ହୋଇଯାଇଛି। ପୋଲର ଦୁଇ ପଟେ ପୁଲିସ ଯାତ୍ରୀଙ୍କୁ ପୋଲ ନିକଟକୁ ଛାଡୁ ନଥିବା ଦେଖିବାକୁ ମିଳିଛି।
ଆଜି ଜିଲ୍ଲାରେ ରେକର୍ଡ କରାଯାଇଥିବା ବର୍ଷାର ପରିମାଣ ମଧ୍ୟରୁ ମାଲକାନଗିରି ବ୍ଲକରେ ସର୍ବୋଚ୍ଚ ୧୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ମାଥିଲି ବ୍ଲକରେ ୮୫ ମିଲିମିଟର,ଖଇରପୁଟ ବ୍ଲକରେ ୧୪୨ ମିଲିମିଟର,ଚିତ୍ରକୋଣ୍ଡା ବ୍ଲକରେ ୧୯୨ ମିଲିମିଟର,କୋରକୋଣ୍ଡା ବ୍ଲକରେ ୧୩୪ ମିଲିମିଟର,କାଲିମେଳା ବ୍ଲକରେ ୮୫ ମିଲିମିଟର ଏବଂ ପଡିଆ ବ୍ଲକରେ ୨୯ ମିଲିମିଟର ବର୍ଷା ହୋଇଛି।
ଜିଲ୍ଲାର ପ୍ରମୁଖ ସତୀଗୁଡ଼ା ଓ ବାଲିମେଳା ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ଲଗାତାର ବଢ଼ୁଛି। ବର୍ତ୍ତମାନ ସତୀଗୁଡ଼ା ଜଳଭଣ୍ଡାରରେ ୧୯୧.୨୫ ମିଟର ଜଳସ୍ତର ରହିଥିବା ବେଳେ ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା୧୯୨.୬୩ ମିଟର। ଗତ ଅଗଷ୍ଟ ୧୬ ତାରିଖରେ ଜଳସ୍ତର ୧୮୮.୭ ମିଟର ଥିବାବେଳେ ଏବେ ଏହା ଯଥେଷ୍ଟ ବଢ଼ିଛି। ସେହିପରି ବାଲିମେଳା ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୧୪୭୭.୨ ଫୁଟ ଜଳ ରହିଛି। ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୬ ଫୁଟ। ଅଗଷ୍ଟ ୧୩ ତାରିଖରେ ଜଳସ୍ତର ୧୪୭୫.୬ ଫୁଟ ଏବଂ ଅଗଷ୍ଟ ୨୦ ତାରିଖରେ ୧୪୬୭ ଫୁଟ ରହିଥିଲା। ବର୍ତ୍ତମାନ ପୁଣି ଜଳସ୍ତର ବଢ଼ିବା ଚିନ୍ତାର କାରଣ ପାଲଟିଛି।
ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ବନ୍ଦ
ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇଛି। ବିଶେଷକରି ପଟେରୁ ଅଞ୍ଚଳରେ ଜମିରେ ପାଣି ଜମି ରହିଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅତ୍ୟଧିକ ପାଣି ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ପଟେରୁ ଅଞ୍ଚଳରେ ଜଳସ୍ତର ବୃଦ୍ଧି ଏବଂ ତଳିଆ ଅଞ୍ଚଳରେ ପାଣି ଜମିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଲିମେଳା ଓଏଚ୍ପିସିରେ ବିଦ୍ୟୁତ ଉତ୍ପାଦନ ବନ୍ଦ କରିବାକୁ ଆଜି ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ପର୍ଯ୍ୟନ୍ତ ବାଲିମେଳା ଓଏଚ୍ପିସିରେ ପ୍ରାୟ ୭୦ରୁ ୮୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିଲା। ତେବେ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ିବାରୁ ଏହି ବିଦ୍ୟୁତ ଉତ୍ପାଦନକୁ ଆଜି ବନ୍ଦ କରାଯାଇଛି। ବାଲିମେଳା ଓଏଚ୍ପିସିରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହେବା ପରେ ମାଲକାନଗିରି ଜିଲ୍ଲାର ବିଦ୍ୟୁତ ଚାହିଦା ଜୟପୁରରୁ ବିଦ୍ୟୁତ ଯୋଗାଣ ମାଧ୍ୟମରେ ପୂରଣ କରାଯାଉଛି।
ପ୍ରକାଶ ଥାଉକି ସତୀଗୁଡ଼ା ଜଳଭଣ୍ଡାରରୁ ପାଣି ନିଷ୍କାସନ ହେଲେ ପ୍ରାୟ ୯,୦୫୬ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିଥାଏ। ସେହିପରି ଓଏଚ୍ପିସିରେ ବିଦ୍ୟୁତ ଉତ୍ପାଦନ ପରେ ନିଷ୍କାସିତ ପାଣି ମାଧ୍ୟମରେ ପ୍ରାୟ ୪୪,୪୧୩ ହେକ୍ଟର ଜମିରେ ଜଳସେଚନ ହୋଇଥାଏ। ଏହା ବ୍ୟତୀତ ଏମ୍ଆଇ ଡିଭିଜନ୍ ଅଧୀନରେ ପ୍ରାୟ ୪,୧୪୦ ହେକ୍ଟର ଜମିକୁ ଜଳସେଚନ ହେଉଥିବା ବେଳେ ଉଠା ଜଳସେଚନ ବ୍ୟବସ୍ଥା ମାଧ୍ୟମରେ ପ୍ରାୟ ୩୩.୩୫ ହେକ୍ଟର ଜମିକୁ ପାଣି ଯୋଗାଣ ହେଉଛି। ଅନ୍ୟାନ୍ୟ ଜଳସେଚନ ବ୍ୟବସ୍ଥା ମାଧ୍ୟମରେ ମଧ୍ୟ ପ୍ରାୟ ୧,୨୮୮ ହେକ୍ଟର ଜମିକୁ ପାଣି ଯୋଗାଯାଉଛି। ପ୍ରବଳ ବର୍ଷା ଯୋଗୁଁ ଜଳଭଣ୍ଡାରରୁ ପାଣି ନିଷ୍କାସନ ହେଉନଥିବା କୁହାଯାଇଛି।
ସୌଜନ୍ୟ ସମ୍ବାଦ




