ଜିଲ୍ଲାରାଜ୍ୟ

Kasaphala Panchayat: ସମୁଦ୍ରଗର୍ଭରେ ଲୀନ ହୋଇଯିବ କଷାଫଳ ପଞ୍ଚାୟତ: ଦୁବୁଲାଗଡ଼ି‌ରେ କୂଳ ଖାଉଛି ସମୁଦ୍ର, ମାତ୍ର ୫୦୦ ମିଟର ଦୂରରେ ଗାଁ

ବାଲେଶ୍ବର ସଦର ବ୍ଲକ୍‌ ଅନ୍ତର୍ଗତ କଷାଫଳ ପଞ୍ଚାୟତରେ ଥିବା ଦୁବୁଲାଗଡ଼ି ବେଳାଭୂମି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଜିଲ୍ଲା ତଥା ଜିଲ୍ଲା ବାହାର ଲୋକ ଏଠାକୁ ଆସି ବେଳାଭୂମିର ମଜା ନେଉଛନ୍ତି। ତେବେ ଏଠାରେ ସମୁଦ୍ର କୂଳ ଖାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ କାଳ କାଟୁଛନ୍ତି।

ବାଲେଶ୍ବର: ବାଲେଶ୍ବର ସଦର ବ୍ଲକ୍‌ ଅନ୍ତର୍ଗତ କଷାଫଳ ପଞ୍ଚାୟତରେ ଥିବା ଦୁବୁଲାଗଡ଼ି ବେଳାଭୂମି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଜିଲ୍ଲା ତଥା ଜିଲ୍ଲା ବାହାର ଲୋକ ଏଠାକୁ ଆସି ବେଳାଭୂମିର ମଜା ନେଉଛନ୍ତି। ତେବେ ଏଠାରେ ସମୁଦ୍ର କୂଳ ଖାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ କାଳ କାଟୁଛନ୍ତି। ପ୍ରତିକାର ବ୍ୟବସ୍ଥା କରାନଗଲେ କଷାଫଳ ପଞ୍ଚାୟତ ସମୁଦ୍ର ଗର୍ଭରେ ଲୀନ ହୋଇଯିବା ନେଇ ଆଶଙ୍କା ଦେଖାଯାଇଛି।

ଦୁବୁଲାଗଡ଼ି‌ରେ କୂଳ ଖାଉଛି ସମୁଦ୍ର
ମାତ୍ର ୫୦୦ ମିଟର ଦୂରରେ ଗାଁ
ଆତଙ୍କିତ ଅବସ୍ଥାରେ ୧୫ ଗାଁର ‌ଲୋକ

୬ ରୁ ୭ ବର୍ଷ ତଳେ ଦୁବୁଲାଗଡ଼ି ବେଳାଭୂମି ଲୋକ‌ଲୋଚନକୁ ଆସିଥିଲା। ଏପରିକି ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ମଧ୍ୟ ପର୍ଯ୍ୟଟନ ବିଭାଗ ପ୍ରସ୍ତୁତି ଚଳାଇଛି। ହେଲେ, ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ପାଇଁ ପ୍ରଶାସନର ସେଭଳି ସକ୍ରିୟତା ଦେଖିବାକୁ ନ ମିଳିବାରୁ ଅସନ୍ତୋଷ ବଢ଼ୁଛି। ଏହି ବେଳାଭୂମି ପରିଖି ନିକଟରୁ ୧୦ କିମି ବ୍ୟାପୀ କଷାଫଳ ପଞ୍ଚାୟତରେ ଶେଷ ହୋଇଛି। କଷାଫଳ ସମେତ  ଆଳୁମେଦା, ସାର୍ଥା ନିକଟରେ ସମୁଦ୍ର କୂଳ ଖାଉଛି। କଷାଫଳର ସମାଜିକ କର୍ମୀ ମୁକୁନ୍ଦ ଆଦିତିଙ୍କ କହିବାନୁଯାୟୀ, ବହୁବାର ଏନେଇ ପ୍ରଶାସନକୁ ଅଭିଯୋଗ କରାଯାଇଛି। ହେଲେ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ।

ସୂଚନା ଅନୁସା‌ରେ, କଷାଫଳ ପଞ୍ଚାୟତର ଖପାରଭାଟିଆ, ଟୁରିଷ୍ଟ, କଷାଫଳ ରାଜସ୍ବ ଗ୍ରାମ ସବୁଠୁ ଅଧିକ ବିପଦମୁହଁରେ ରହିଥିବା ‌ବେଳେ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୯ ହଜାର ଝାଉଁଗଛ ‌ଧୋଇ ହୋଇଯାଇଛି। ଆଉ କିଛି ମାସ ମଧ୍ୟରେ ସୁରକ୍ଷା କବଚ ସାଜିଥିବା ଝାଉଁବଣର ଆଉ ଚିହ୍ନବର୍ଣ୍ଣ ବି ରହିବ ନାହିଁ। ସ୍ଥିତି ଏଭଳି ଯେ ବେଳାଭୂମିରେ ସୁରକ୍ଷା ପ୍ରାଚୀର କରାନଗଲେ ବର୍ଷ କେଇଟା‌ରେ କଷାଫଳ ପଞ୍ଚାୟତ ସମୁଦ୍ର ଗର୍ଭରେ ହଜିଯିବ। ପଥରପ୍ୟାକିଂ ତଥା ଅନ୍ୟାନ୍ୟ ପ୍ରତିକାରମୂଳକ ପଦପେକ୍ଷ କେବେ ନିଆଯିବ ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରୁଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ମାନସ କୁମାର ଦତ୍ତ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏନେଇ ୪୦ କୋଟି ଟଙ୍କା ବ୍ୟୟରେ ସୁରକ୍ଷା ପ୍ରାଚୀର କରିବାକୁ ଡିପିଆର୍‌ ପ୍ରସ୍ତୁତି ଚାଲିଛି। ଖୁବ୍‌ଶୀଘ୍ର ସମୁଦ୍ର ସୁରକ୍ଷା ପ୍ରାଚୀର ନିର୍ମାଣ ହେବ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button