କଳାପଥର:ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମରେ ଚାଲିଥିବା ‘ଦୁଲଣା ‘ ମହୋତ୍ସବର ଉଦଯାପିତ ହୋଇଯାଇଛି l ବୁଧବାର ଝାମୁଁ ଯାତ୍ରା ପଡିଆରେ ଅନୁଷ୍ଠିତ ଉଦଯାପନୀ ସଂଧ୍ୟାରେ ମହୋତ୍ସବର ସଭାପତି ତଥା ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ର ଅଧକ୍ଷ , ପୂର୍ବତନ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇ ୫ଟି ‘ମ ‘ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ‘ମା, ମାଟି, ମାତୃଭାଷା, ମୋବାଇଲ ଏବଂ ମଦ ମୁକ୍ତ ଓଡିଶା ଗଠନ ଉପରେ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଗୁରୁତ୍ୱ .ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ ସାମୁହିକ ଭାବେ ଗ୍ରାମାଞ୍ଚଳ ବିକାଶ କଲେ ଓଡିଶାର ଅସ୍ମିତାର ବିକାଶ ହେବ ବୋଲି କହିଥିଲେ l ପୁଣି କେନ୍ଦୁପଲ୍ଲୀର ଇଷ୍ଟଦେବୀ ମା’ ଦୁଲଣାଙ୍କ ଅପାର କରୁଣାରୁ ଗ୍ରାମରେ ବହୁ କୃତବିଦ୍ୟ ସନ୍ତାନ ଜନ୍ମ ହୋଇ ସାରା ରାଜ୍ୟରେ ପ୍ରତିଷ୍ଠା ଲାଭ କରିଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥିଭାବେ ବୈଜ୍ଞାନିକ ଡ଼ଃ ଉଦୟନାଥ ସାହୁ ଯୋଗଦେଇ, ମନୁଷ୍ୟ ସର୍ବଦା ଚିତ୍ର ଚରିତ୍ର ଠିକ ଠାକ ରଖିବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ।
ଅନ୍ୟତମ ଅତିଥିଭାବେ ରାଜ୍ୟ ଚିଟଫଣ୍ଡ ଜମାକାରୀ ମଞ୍ଚ ସଭାପତି ମଧୁସୂଦନ ବିଶ୍ୱାଳ, ସଦସ୍ୟା ସମାଜସେବୀ ଅନୁରାଧା ସୁବୁଦ୍ଧି ଯୋଗଦେଇ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ l ଶିକ୍ଷକ ସୋମନାଥ ଖଟୁଆ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ । ସଭା ଆରମ୍ଭରୁ କେନ୍ଦୁପଲ୍ଲୀର କଳା , ସାହିତ୍ୟ ଓ ସଂସ୍କୃତି ଉପରେ କେନ୍ଦୁପଲ୍ଲୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଗାନ କରିବା ସହ ସ୍ୱାଗତ ସଂଗୀତ ଗାନ କରିଥିଲେ । ଦୁଲଣା ମହୋତ୍ସବ କମିଟି ସଭାପତି ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ । ଶେଷରେ ଓଡିଶା ସରକାଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବଲାଙ୍ଗୀର ଢୋଲ ବାଜା ନୃତ୍ୟ ସାଙ୍ଗକୁ ପାଇକ ଖୋର୍ଦ୍ଧାର ପାଇକ ଖେଳ ପାରିବେଷିତ ହୋଇଥିଲା l
ସୌଜନ୍ୟ ସମ୍ବାଦ

