Keonjhar Association: କେନ୍ଦୁଝର ଆସୋସିଏସନ୍ର ବାର୍ଷିକ ଉତ୍ସବ: ‘କେନ୍ଦୁଝର ଜିଲ୍ଲା ଓଡ଼ିଶା ମାଟି ପାଇଁ ଈଶ୍ୱରଙ୍କ ବରଦାନ’
କେନ୍ଦୁଝର ଜିଲ୍ଲା ଓଡ଼ିଶା ମାଟି ପାଇଁ ଈଶ୍ୱରଙ୍କ ବରଦାନ। ଏହା ଉତ୍କୃଷ୍ଟ ପ୍ରାକୃତିକ ସମ୍ପଦ, ସମୃଦ୍ଧ ଐତିହ୍ୟ ଏବଂ କର୍ମଠ ଲୋକଙ୍କ ଭୂମି। ଖଣିଜ, ଜଙ୍ଗଲ, କୃଷି, ମାନବସମ୍ବଳ ଭଳି ପ୍ରତ୍ୟେକ ଦିଗରେ କେନ୍ଦୁଝର ରାଜ୍ୟର ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ କରିଆସିଛି।

ଭୁବନେଶ୍ୱର: କେନ୍ଦୁଝରଜିଲ୍ଲାଓଡ଼ିଶା ମାଟି ପାଇଁ ଈଶ୍ୱରଙ୍କ ବରଦାନ। ଏହା ଉତ୍କୃଷ୍ଟ ପ୍ରାକୃତିକ ସମ୍ପଦ, ସମୃଦ୍ଧ ଐତିହ୍ୟ ଏବଂ କର୍ମଠ ଲୋକଙ୍କ ଭୂମି। ଖଣିଜ, ଜଙ୍ଗଲ, କୃଷି, ମାନବସମ୍ବଳ ଭଳି ପ୍ରତ୍ୟେକ ଦିଗରେ କେନ୍ଦୁଝର ରାଜ୍ୟର ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ କରିଆସିଛି। ହେଲେ ଏସବୁ ସତ୍ତ୍ୱେ ଜିଲ୍ଲାରେ ଦାରିଦ୍ରୢ, ବେକାରି, ଦାଦନ ସମସ୍ୟା ବଢ଼ିବାରେ ଲାଗିଛି। ତେଣୁ ଏହି ସମସ୍ୟାର ସମାଧାନ ସହିତ ଜିଲ୍ଲାକୁ ସର୍ବଶ୍ରେଷ୍ଠ କରିବା ପାଇଁ ସବୁ କେନ୍ଦୁଝରିଆଙ୍କୁ ଏକାଠି ହେବାକୁ ପଡ଼ିବ। ଗୀତଗୋବିନ୍ଦ ସଦନରେ ଆୟୋଜିତ କେନ୍ଦୁଝର ଆସୋସିଏସନ୍ର ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି କହିଛନ୍ତି।
ଶୈଳବାଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ହାଡ଼ିବନ୍ଧୁ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ କେନ୍ଦୁଝର ମାଟି ଅଜସ୍ର ସମ୍ୱଳର ଗନ୍ତାଘର। ରାଜ୍ୟକୁ ଏହାର ଅବଦାନ ଅସରନ୍ତି। ହେଲେ ଧନୀ କେନ୍ଦୁଝରରେ କେନ୍ଦୁଝରିଆମାନଙ୍କର ବିକାଶ ହୋଇପାରୁନାହିଁ। ତେଣୁ ଏହି ଅମ୍ଳାନ ମାଟି ଓ ମାନବ ସମ୍ୱଳର ବିକାଶ ପାଇଁ ଦଳଗତ ନିର୍ବିଶେଷରେ ସମସ୍ତେ ଆଗେଇ ଆସନ୍ତୁ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ସ୍ତମ୍ଭକାର ଦାଶ ବେନହୁର ଜିଲ୍ଲାର ପ୍ରାଚୀନ ଇତିହାସ ଓ ଓଡ଼ିଶାକୁ ଏହାର ସାଂସ୍କୃତିକ ଅବଦାନ ସମ୍ପର୍କରେ କହିଥିଲେ। ସମ୍ମାନିତ ଅତିଥି ବିଧାୟକ ଫକୀର ମୋହନ ନାୟକ କହିଲେ ଯେ ଆଗାମୀ ଦିନରେ ଆମ ଅଧିଷ୍ଠାତ୍ରୀ ମା’ ତାରିଣୀଙ୍କ ମନ୍ଦିର ଏକ ଭବ୍ୟ ମନ୍ଦିରରେ ପରିଣତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୧୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଯେଉଁଥିରେ ଭକ୍ତମାନଙ୍କ ପାଇଁ ଆଶ୍ରୟସ୍ଥଳୀ, ପ୍ରସାଦସେବନ ଗୃହ, ଭେଣ୍ଡିଂଜୋନ୍, ପାର୍କିଂ ଆଦି ବ୍ୟବସ୍ଥା ହେବ। ସେହିପରି ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ନେକଡ଼ାଘରରୁ ନେଲୁମ ଦେଇ ବାଇପାସ୍ ରୋଡ୍ ହେବା ସହିତ ଅନ୍ୟାନ୍ୟ ବିକାଶ ମଧ୍ୟ ତ୍ୱରାନିତ ହେବ ବୋଲି କହିଥିଲେ।
ସୌଜନ୍ୟ ସମ୍ବାଦ




