Cyber-criminals: ସାଇବର୍ ଅପରାଧୀଙ୍କ ‘ବସ୍ ସ୍କାମ୍’: ଆର୍ବିଆଇ, ଆୟକର ବିଭାଗ ନାଁରେ ‘ଜିପ୍’ ଫାଇଲ୍
ସାଇବର୍ ଅପରାଧୀମାନେ ଏବେ ଚାଟାର୍ଡ ଆକାଉଣ୍ଟାଣ୍ଟ, କମ୍ପାନି ନିର୍ଦ୍ଦେଶକ, ବଡ଼ ବ୍ୟବସାୟୀ, ସିଏଫ୍ଓ(ଚିଫ୍ ଫାଇନାନ୍ସିଆଲ୍ ଅଫିସର), ସିଇଓଙ୍କୁ ଟାର୍ଗେଟ୍ କରୁଛନ୍ତି। ଏହାକୁ ‘ବସ୍ ସ୍କାମ୍’ କୁହାଯାଉଛି।

କଟକ: ସାଇବର୍ ଅପରାଧୀମାନେ ଏବେ ଚାଟାର୍ଡ ଆକାଉଣ୍ଟାଣ୍ଟ, କମ୍ପାନି ନିର୍ଦ୍ଦେଶକ, ବଡ଼ ବ୍ୟବସାୟୀ, ସିଏଫ୍ଓ(ଚିଫ୍ ଫାଇନାନ୍ସିଆଲ୍ ଅଫିସର), ସିଇଓଙ୍କୁ ଟାର୍ଗେଟ୍ କରୁଛନ୍ତି। ଏହାକୁ ‘ବସ୍ ସ୍କାମ୍’ କୁହାଯାଉଛି। ମୋବାଇଲ୍ରେ ମେସେଜ୍, ହ୍ୱାଟ୍ସଆପ୍, ଇ-ମେଲ୍କୁ ଏକ ‘ଜିପ୍’ ଫାଇଲ୍ ପଠାଉଛନ୍ତି। ଫାଇଲ୍ର ନାଁ ‘ଷ୍ଟେଟମେଣ୍ଟ ଅଫ୍ ଆକାଉଣ୍ଟ.ଜିପ୍’ ରଖାଯାଇଛି। ଏହା କେତେବେଳେ ରିଜର୍ଭ ବ୍ୟାଙ୍କ, କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ତ ଆଉ କେତେବେଳେ ଆୟକର ବିଭାଗରୁ ଆସିଥିବା ଦର୍ଶାଯାଉଛି। ଏହି ଫାଇଲରେ ଏକ ‘ମାଲୱେର୍’(ଭାଇରସ୍) ଇନ୍ଷ୍ଟଲ୍ ହୋଇଥାଏ। ଏହାକୁ ଖୋଲିଲେ ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଏ। ଏହାପରେ ହ୍ୟାକ୍ ହୋଇଥିବା ମୋବାଇଲରୁ କମ୍ପାନିର ଅନ୍ୟ କର୍ମଚାରୀଙ୍କୁ ମେସେଜ୍ ପଠାଇ ଟଙ୍କା ଲୁଟିବା ଭଳି ସାଇବର ଅପରାଧୀଙ୍କ ଷଡ୍ଯନ୍ତ୍ର ପୁଲିସର ଚିନ୍ତା ବଢ଼ାଇ ଦେଇଛି।
ଆର୍ବିଆଇ, ଆୟକର ବିଭାଗ ନାଁରେ ‘ଜିପ୍’ ଫାଇଲ୍
କମ୍ପାନି କର୍ମଚାରୀଙ୍କ ଟଙ୍କା ଲୁଟ୍ ଷଡ୍ଯନ୍ତ୍ର
ସୂଚନା ଅନୁଯାୟୀ, ଏବେ ନୂଆ କରି ଉଭା ହୋଇଥିବା ‘ବସ୍ ସ୍କାମ୍’ ହେଉଛି ସାଇବର୍ ଅପରାଧୀଙ୍କ ଭିନ୍ନଧରଣର ଖେଳ। ଅପରାଧୀମାନେ ପ୍ରଥମେ କୌଣସି ଉଚ୍ଚପଦସ୍ଥ ଅଧିକାରୀ, ବ୍ୟବସାୟୀ କିମ୍ବା ଆର୍ଥିକ ବ୍ୟାପାର ଦାୟିତ୍ବରେ ଥିବା ଅଧିକାରୀଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ହ୍ୟାକ୍ କରନ୍ତି। ଆକାଉଣ୍ଟ ନିୟନ୍ତ୍ରଣକୁ ଆସିବା ପରେ ସେମାନେ ସେହି ଆକାଉଣ୍ଟ ବ୍ୟବହାର କରି କର୍ମଚାରୀମାନଙ୍କୁ ଜରୁରି ପେମେଣ୍ଟ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି। ସାଇବର ଅପରାଧୀଙ୍କ ନିୟନ୍ତ୍ରଣରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କୁହନ୍ତି। ମେସେଜ୍ଗୁଡ଼ିକ ବସ୍ଙ୍କ ପ୍ରକୃତ ହ୍ୱାଟ୍ସଆପ୍ ଆକାଉଣ୍ଟରୁ ଆସୁଥିବାରୁ କର୍ମଚାରୀମାନେ ସନ୍ଦେହ ନକରି ଟଙ୍କା ପଠାଇଦିଅନ୍ତି। ଟାର୍ଗେଟ୍ରେ ଥିବା ଅଧିକାରୀଙ୍କ ମୋବାଇଲ୍କୁ ସାଧାରଣତଃ ସାଇବର୍ ଅପରାଧୀମାନେ ଏକ ‘ଜିପ୍’ ଫାଇଲ୍ ପଠାଇଥାନ୍ତି। ଏଥିରେ ଆକାଉଣ୍ଟ ଷ୍ଟେଟ୍ମେଣ୍ଟ କିମ୍ବା କୌଣସି ଜରୁରି ନିୟାମକ ଚିଠି ଥିବା ଦର୍ଶାଯାଇଥାଏ। ଏହାର ଫାଇଲ ନାଁ ‘ଷ୍ଟେଟମେଣ୍ଟ ଅଫ୍ ଆକାଉଣ୍ଟ.ଜିପ’, ‘ଆରବିଆଇ.ଜିପ’ କିମ୍ବା ‘ଏମ୍ସିଏ.ଜିପ’ ନାଁରେ ଉଲ୍ଲେଖ ଥାଏ। ଫାଇଲର ନାଁ ଏଭଳି କରାଯାଇଥାଏ ଯେ ଜଣେ ବ୍ୟକ୍ତି ଯେମିତି ତୁରନ୍ତ ଏହାକୁ ଖୋଲିବ। ଏହି ଫାଇଲରେ ମାଲିସିୟସ୍ ୱିଣ୍ଡୋଜ୍ ଏକ୍ସିକ୍ୟୁଟେବଲ୍ (.exe) ସହ ଏକ ସହାୟକ DLL ଫାଇଲ୍ ରହିଥାଏ। ଏହାକୁ ଖୋଲିବା ପରେ ତୁରନ୍ତ ମାଲୱେର୍ ସ୍ବୟଂ ଇନ୍ଷ୍ଟଲ୍ ହୋଇ ବ୍ୟବହାରକାରୀଙ୍କ ହ୍ବାଟ୍ସଆପକୁ ହ୍ୟାକ୍ କରିନିଏ। ଆକାଉଣ୍ଟଟି ସ୍ୱୟଂଚାଳିତ ଭାବରେ ସେହି ଫାଇଲ୍କୁ ସହକର୍ମୀ, ଗ୍ରାହକ ଏବଂ ହ୍ୱାଟ୍ସଆପ୍ ଗ୍ରୁପ୍ଗୁଡ଼ିକୁ ଫରୱାର୍ଡ କରିବା ଆରମ୍ଭ କରେ। ଯେହେତୁ କୌଣସି ବଡ଼ କମ୍ପାନି କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ଉଚ୍ଚପଦସ୍ଥ ଅଧିକାରୀଙ୍କ କୌଣସି ମେସେଜ୍କୁ କେହି ଅବିଶ୍ବାସ କରିବେ ନାହିଁ, ସେଥିପାଇଁ ସେମାନେ ସଂସ୍ଥାର ଶୀର୍ଷସ୍ତରର ଅଧିକାରୀଙ୍କୁ ଟାର୍ଗେଟ୍ କରି ତଳସ୍ତରର କର୍ମଚାରୀଙ୍କୁ ଜାଲରେ ଫସାଇବା ସହଜ ହୋଇଥାଏ। ସେଥିପାଇଁ ଏହାକୁ ‘ବସ୍ ସ୍କାମ୍’ କୁହାଯାଉଛି।
ସାଇବର୍ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କୌଣସି ଅଜଣା ଉତ୍ସରୁ ଆସିଥିବା ‘ଜିପ୍’ ଫାଇଲ୍ କେବେ ବି ଡାଉନ୍ଲୋଡ୍ କିମ୍ବା ଖୋଲିବା ଉଚିତ ନୁହେଁ। ବ୍ୟବହାରକାରୀମାନେ ନିୟମିତ ଭାବରେ ହ୍ବାଟ୍ସଆପ୍ରେ ଲିଙ୍କ୍ଡ ଡିଭାଇସ୍ ସେକ୍ସନ୍ ଯାଞ୍ଚ କରି ଅଜଣା ସେସନ୍ଗୁଡ଼ିକୁ ତୁରନ୍ତ ଲଗ୍ ଆଉଟ କରିବା ଉଚିତ। ଏଭଳି ସାଇବର୍ ଠକେଇ ଏବଂ ସନ୍ଦେହଜନକ ମେସେଜ୍ ସମ୍ପର୍କରେ ତୁରନ୍ତ ଜାତୀୟ ସାଇବର୍ ଅପରାଧ ହେଲ୍ପଲାଇନ୍ ନମ୍ବର ୧୯୩୦ କିମ୍ବା ଜାତୀୟ ସାଇବର୍ ଅପରାଧ ରିପୋର୍ଟିଂ ପୋର୍ଟାଲ୍ www.cybercrime.gov.in ରେ ଅଭିଯୋଗ କରିବାକୁ ସାଇବର୍ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




