Kidnapping: ଜମି ବ୍ୟବସାୟୀଙ୍କୁ ଅପହରଣ! ଭଲିବଲ୍‌ ଖେଳିବାକୁ ଯାଇ ନିଖୋଜ

ବ୍ରହ୍ମପୁର: ଗଞ୍ଜାମଜିଲ୍ଲାଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁରର ପ୍ଲଟ୍‌ ବ୍ୟବସାୟୀ ସୁଧୀର କୁମାର ପାତ୍ର ଗତକାଲି ସନ୍ଧ୍ୟାରୁ ହଠାତ୍‌ ଗାଏବ ହୋଇଯାଇଛନ୍ତି। ମାଣ୍ଡିଆପଲ୍ଲୀ ରାସ୍ତାର ଏକ ଛକରୁ ସୁଧୀରଙ୍କ ବାଇକ୍‌ ମିଳିଛି। ସୁଧୀରଙ୍କୁ ଅପହରଣ କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଏହି ଘଟଣା ଗୋପାଳପୁରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାଥମିକ ପର୍ଯ୍ୟାୟରେ କେସ୍‌ ନମ୍ବର ୧୮/୨୬ରେ ନିଖୋଜ ମାମଲା ରୁଜୁ ହୋଇଛି। ପୁଲିସ ସୁଧୀରଙ୍କ ମୋବାଇଲ୍‌ ନମ୍ବରକୁ ଟ୍ରାକ୍‌ କରୁଛି। କିନ୍ତୁ ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ରହିଛି।

ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ-ସତ୍ୟନାରାୟଣପୁର ମୁଖ୍ୟରାସ୍ତାରେ ଥିବା ଘରେ ସୁଧୀର ରହୁଥିଲେ। ସେ ପ୍ଲଟ୍‌ ବ୍ୟବସାୟ କରୁଥିବା ବେଳେ ଜଣେ ଭଲ ଭଲିବଲ୍‌ ଖେଳାଳି ଭାବେ ପରିଚିତ। ଗତକାଲି ଅପରାହ୍‌ଣ ପ୍ରାୟ ୪ଟା ବେଳେ ସେ ଭାବିନାରାୟଣପୁର ବଣଗାଁସ୍ଥିତ ଭଲିବଲ୍‌ ପଡ଼ିଆକୁ ନିଜ ବାଇକ୍‌‌ (ଓଆର୍‌ ୦୭ଏନ୍‌ ୩୫୨୭)ରେ ଯାଇଥିଲେ। ସେଠାରୁ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବାହାରିଥିଲେ। କିନ୍ତୁ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାରବର୍ଗ ସୁଧୀରଙ୍କ ମୋବାଇଲ୍‌କୁ କଲ୍‌ କରିଥିଲେ। ତେବେ ମୋବାଇଲ୍‌ ବନ୍ଦ ରହିଥିଲା।

ଭଲିବଲ୍‌ ଖେଳିବାକୁ ଯାଇ ନିଖୋଜ
ରାସ୍ତାକଡ଼ରୁ ବାଇକ୍‌ ଜବତ, ମୋବାଇଲ୍‌ ବନ୍ଦ
ସ୍ବତନ୍ତ୍ର ପୁଲିସ ଟିମ୍‌ର ଖୋଳତାଡ଼ ଜାରି

ସୁଧୀରଙ୍କ ଶାଳକ କାଳିଆ ପାତ୍ର ବିଭିନ୍ନ ଲୋକଙ୍କୁ ପଚାରାଉଚରା କରିବା ସହ ସୁଧୀରଙ୍କ ସାଙ୍ଗମାନଙ୍କୁ ଅବଗତ କରିଥିଲେ। ସାଙ୍ଗମାନେ ମାଣ୍ଡିଆପଲ୍ଲୀ ରାସ୍ତାରେ ଖୋଜାଖୋଜି କରିବା ପରେ ଏକ ଛକରେ ସୁଧୀରଙ୍କ ବାଇକ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। ବିଳମ୍ବିତ ରାତି ସୁଦ୍ଧା ସୁଧୀରଙ୍କ କୌଣସି ପତ୍ତା ନ ମିଳିବାରୁ ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆଜି ସକାଳେ ଅତିରିକ୍ତ ଏସ୍‌ପି ଆଲୋକ ଜେନା ଓ ବ୍ରହ୍ମପୁର ସଦର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ପରିଡ଼ା ସୁଧୀରଙ୍କ ଘରକୁ ଯାଇ ଘଟଣା ବିଷୟରେ ପଚାରି ବୁଝିଛନ୍ତି। ଏହାସହ ଘଟଣାସ୍ଥଳରେ ଛାନଭିନ୍‌ କରିଛନ୍ତି। ସୁଧୀରଙ୍କୁ ଖୋଜିବା ଲାଗି ପୁଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ତାଙ୍କ ମୋବାଇଲ୍‌ର ଶେଷ ଲୋକେସନ୍‌ ଏବଂ ସିଡିଆର୍‌ ବାହାର କରି ପୁଲିସ ତଦନ୍ତ କରୁଛି। ସୁଧୀର ଜଣେ ପ୍ଲଟ୍‌ ବ୍ୟବସାୟୀ ହୋଇଥିବାରୁ ବ୍ୟବସାୟିକ କାରଣରୁ ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି।

 

 

 

ସୌଜନ୍ୟ ସମ୍ବାଦ